ଟ୍ରେକିଂରୁ କୁଆଡେ ଗାଏବ ହୋଇଗଲେ ବବିତା?
ଏକ୍ସପ୍ଲୋର ଉତ୍ତରକାଶୀ ନାଁରେ ପୋର୍ଟାଲ ଅଛି। ଯେଉଁଥିରେ ଟ୍ରେକିଂ ପାଇଁ ଆବେଦନ କରିବାକୁ ହୁଏ। ଏଥିରେ କିନ୍ତୁ ବବିତାଙ୍କ ନାଁରେ କୌଣସି ଆବେଦନ କି ଅନୁମତି ଜାରି ହୋଇନି। କିନ୍ତୁ ଏହି ନାଁରେ ବନବିଭାଗ ପାଖରେ ଏଜେନ୍ସି ଏହି ନାଁରେ ଅନୁମତି ପତ୍ର ଜମା କରିଛି।

ଟ୍ରେକିଂ ସମୟରେ ନିଖୋଜ ହୋଇଥିବା ବବିତା ପାଣ୍ଡେଙ୍କ ପତ୍ତା ମିଳୁନି। ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ୨୪ ବର୍ଷୀୟା ବବିତା ପାଣ୍ଡେ ଉତ୍ତରକାଶୀ ଜିଲ୍ଲାର ପ୍ରସିଦ୍ଧ ଦୟାରା ବୁଗ୍ୟାଲ (Dayara Bugyal) ଟ୍ରେକ୍ ରୁଟରେ ଦୁଇ ଜଣ ସହଯାତ୍ରୀଙ୍କ ସହ ଯାଇଥିଲେ। ଟ୍ରେକିଂ ସମୟରେ ସେ ଦଳଠାରୁ ଅଲଗା ହୋଇଯାଇଥିବା ପରେ ତାଙ୍କ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନାହିଁ। ଖବର ମିଳିବା ପରେ ଉତ୍ତରାଖଣ୍ଡର ଏସଡିଆରଏଫ, ବନ ବିଭାଗ ଏବଂ ସ୍ଥାନୀୟ ପୁଲିସ ମିଶି ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ତାଙ୍କ ସହ ଥିବା ଦୁଇ ଜଣ ପୁରୁଷ ଟ୍ରେକର ସୁରକ୍ଷିତ ଭାବେ ମିଳିଥିବାବେଳେ ବବିତାଙ୍କ ଖୋଜ ଏପର୍ଯ୍ୟନ୍ତ ମିଳିନାହିଁ। ଉଦ୍ଧାରକାରୀ ଦଳ ତାଙ୍କୁ ଶେଷ ଥର ଦେଖାଯାଇଥିବା କ୍ୟାମ୍ପ ସାଇଟ୍ ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ତଲାସି ଚଳାଇଛନ୍ତି। ଶେଷ ଥର ରୈଥଲ ଗାଁ ପାଖରେ ବବିତା ନଜରକୁ ଆସିଥିଲେ। ଯାହାର ସିସିଟିଭି ସାମ୍ନାକୁ ଆସିଛି। ଅଧିକାରୀଙ୍କ କହିବା ଅନୁସାରେ, ଭାରି ବର୍ଷା, କୁହୁଡ଼ି ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଉଦ୍ଧାର କାର୍ଯ୍ୟକୁ କଠିନ କରିଦେଇଛି। ତଥାପି ବିଭିନ୍ନ ଏଜେନ୍ସି ମିଳିତ ଭାବେ ଖୋଜାଖୋଜି ଜାରି ରଖିଛନ୍ତି। ୪ ଦିନ ହେଲା ବବିତାଙ୍କ କୌଣସି ଖୋଜଖବର ମିଳୁନି। ଲଗାତାର ସର୍ଚ୍ଚ ଅପରେସନ ଜାରି ଥିଲେ ସୁଦ୍ଧା କୌଣସି ସୁରାକ୍ ମିଳିନି। ଏହା ଭିତରେ ଟ୍ରାକିଂ ରେଜିଷ୍ଟ୍ରେସନରେ କଥିତ ଗଡ଼ବଡ଼ି ମାମଲାକୁ ଅଧିକ ଜଟିଳ କରିଦେଇଛି। କାରଣ ପର୍ଯ୍ୟଟନ ବିଭାଗ ତଦନ୍ତରୁ ଜଣାପଡ଼ିଛି, ଯେଉଁ ଟ୍ରେକିଂ ଏଜେନ୍ସି ଜରିଆରେ ଏହି ଦଳ ଟ୍ରେକରେ ଯାଇଥିଲେ। ସେଥିରେ ବବିତାଙ୍କ ନାଁ ହିଁ ନାହିଁ। କିନ୍ତୁ ବନବିଭାଗକୁ ଦିଆଯାଇଥିବା କାଗଜରେ ବବିତାଙ୍କ ନାଁ ଅଛି। ଏଥିରୁ ନାଁରେ ଜାଲିଆତି ବା କାରସାଦିର ଗନ୍ଧ ଆସୁଛି। ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀଙ୍କ କହିବା କଥା, ଏକ୍ସପ୍ଲୋର ଉତ୍ତରକାଶୀ ନାଁରେ ପୋର୍ଟାଲ ଅଛି। ଯେଉଁଥିରେ ଟ୍ରେକିଂ ପାଇଁ ଆବେଦନ କରିବାକୁ ହୁଏ। ଏଥିରେ କିନ୍ତୁ ବବିତାଙ୍କ ନାଁରେ କୌଣସି ଆବେଦନ କି ଅନୁମତି ଜାରି ହୋଇନି। କିନ୍ତୁ ଏହି ନାଁରେ ବନବିଭାଗ ପାଖରେ ଏଜେନ୍ସି ଏହି ନାଁରେ ଅନୁମତି ପତ୍ର ଜମା କରିଛି। ମେ ୨୯ରୁ ବବିତାଙ୍କ ପତ୍ତା ମିଳୁନି। ଡ୍ରୋନ୍ ଓ ଡଗ୍ ସ୍କାଡର ସହଯୋଗ ବି ନିଆଯାଉଛି। ସେପଟେ ବବିତାଙ୍କ ପରିବାର ଲୋକଙ୍କ ଅବସ୍ଥା ନକହିଲେ ଭଲ। କୌଣସି ଅଘଟଣ ଆଶଙ୍କାରେ ପ୍ରତି ମୂହୂର୍ତ୍ତ କଟୁଛି। ବବିତା ନୈନିତାଲର ରାମନଗର ଏରିଆର ଚିଲକିୟା ଗାଁର। ସେ ଏମବିଏ ଛାତ୍ରୀ। ଓ୍ୱାର୍କ ଫ୍ରମ ହୋମ ଭିତ୍ତିରେ କୌଣସି ଅନଲାଇନ କମ୍ପାନୀରେ କାମ ବି କରୁଥିଲେ। ମେ ୨୫ରେ ଦୁଇ ସାଙ୍ଗ ହରମନପାଲ ଓ ହରମନପ୍ରୀତଙ୍କ ସହ ଉତ୍ତରକାଶୀ ବୁଲିବାକୁ ଯାଇଥିଲେ। ପୁଲିସ ଅନୁସାରେ ତିନି ଜଣ ଆଗ ଗଙ୍ଗୋତ୍ରୀ କ୍ଷେତ୍ର ଆଡ଼େ ଯାଇଥିଲେ। ପରେ ଦୟାରା ବୁଗ୍ୟାଲ ଟ୍ରେକରେ ଗଲେ। ମେ ୨୯ ରାତିରେ ତିନିଜଣ ଟ୍ରେକିଂ ବେଳେ ଗୋଟିଏ ଜାଗାରେ ରହିଥିଲେ। ହେଲେ ରାତିରେ ବବିତା କୁଆଡ଼େ ବାହାରକୁ ଚାଲିଗଲେ। ସେବେଠୁ ବବିତାଙ୍କ ଖୋଜଖବର ମିଳୁନି। ବବିତାଙ୍କ ପରିବାର ମନେରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ବବିତାଙ୍କ ସାଥୀ ଓ ଗାଇଡ୍ସଙ୍କୁ ପଚରାଉଚୁରା କରୁଛି। ଉତ୍ତରକାଶୀ ଜିଲ୍ଲାରେ ଥିବା ଦୟାରା ବୁଗ୍ୟାଲ ଟ୍ରେକ୍ ଏକ ପ୍ରସିଦ୍ଧ ସୁନ୍ଦର ଟ୍ରେକ୍ ଅଟେ। ଯାହା ୩ହଜାର୫ଶହ ମିଟର ଉଚ୍ଚରେ ଅଛି। ଉତ୍ତରକାଶୀରୁ ୪୦ କିଲୋମିଟର ଦୂରରେ ଥିବା ରଥୈଲ ଗାଁରୁ ଦୟାରା ବୁଗ୍ୟାଲ ଟ୍ରେକ୍ ଆରମ୍ଭ ହୋଇଛି। ଏହି ଟ୍ରେକ୍ ୮ କିଲୋମିଟରର। ଏହାକୁ ୪ରୁ ୫ଘଣ୍ଟା ଭିତରେ ପାରି କରିହୁଏ। ଏହାର ଅନେକ ବେସ୍ କ୍ୟାମ୍ପ୍ ବି ଅଛି।
