ବଦ୍ରିନାଥ ହାଇଓ୍ୱେରେ ଭୟଙ୍କର ଟ୍ରାଫିକ୍ ଜାମ୍

ଚାରିଧାମ ଯାତ୍ରା ପାଇଁ ବଦ୍ରିନାଥ ହାଇଓ୍ୱେରେ ଭୟଙ୍କର ଟ୍ରାଫିକ୍ ଜାମ୍। ଉତ୍ତରାଖଣ୍ଡର ବଦ୍ରିନାଥ ଜାତୀୟ ରାଜପଥ (NH-7) ରେ ବର୍ତ୍ତମାନ ଭୟଙ୍କର ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ଚାରଧାମ ଯାତ୍ରା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଥିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ଯୋଗୁଁ ଯାତାୟାତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜୋଶୀମଠ ଓ ବିଷ୍ଣୁପ୍ରୟାଗ ମଧ୍ୟରେ ପ୍ରାୟ ୨୫ରୁ ୩୦ କିଲୋମିଟର ଲମ୍ୱା ଟ୍ରାଫିକ୍ ଜାମ୍ ଦେଖାଦେଇଛି। ହଜାର ହଜାର ଯାତ୍ରୀ ଓ ଯାନବାହନ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଛନ୍ତି। ଚାମୋଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପାହାଡ଼ରୁ ପଥର ଖସିବା ଘଟଣା ଯୋଗୁଁ ରାସ୍ତା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ପ୍ରଶାସନ ପକ୍ଷରୁ ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ର ସହାୟତାରେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାର ଉଦ୍ୟମ ଚାଲିଛି। ଯାତ୍ରୀଙ୍କ ଲାଗି ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ। ଯାତ୍ରା ପୂର୍ବରୁ ପାଣିପାଗ ଓ ଟ୍ରାଫିକ୍ ସମ୍ୱନ୍ଧୀୟ ସର୍ବଶେଷ ସୂଚନା ଯାଞ୍ଚ କରି ବାହାରିବାକୁ ପରାମର୍ଶ ଦିଆଯାଇଛି। ଜୋଶୀମଠ, ବିଷ୍ଣୁପ୍ରୟାଗ, ପିପଳକୋଟି ଓ ଚାମୋଲି ଅଞ୍ଚଳରେ ବିଳମ୍ୱ ହେବାର ସମ୍ଭାବନା ରହିଛି। ପାଖରେ ପର୍ଯ୍ୟାପ୍ତ ଖାଦ୍ୟ, ପାଣି, ଔଷଧ ଓ ଆବଶ୍ୟକ ସାମଗ୍ରୀ ରଖନ୍ତୁ। ସ୍ଥାନୀୟ ପ୍ରଶାସନ ଓ ପୁଲିସର ନିର୍ଦ୍ଦେଶ ଅନୁସରଣ କରିବାକୁ କୁହାଯାଇଛି।
