ବେଦାନ୍ତ ଉପରେ ଇଡି ଚଢ଼ାଉ
ଇଡି ଚଢ଼ାଉ ପରେ ବେଦାନ୍ତର ସେୟାର ଦରରେ ହ୍ରାସ ଦେଖାଯାଇଛି। ମାର୍କେଟରେ ନିବେଶକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ କମ୍ପାନୀର ଷ୍ଟକ୍ ମୂଲ୍ୟ ୧% ରୁ ଅଧିକ କମିଥିବା ଖବର ମିଳିଛି।

ବେଦାନ୍ତ ଉପରେ ଇଡି ରେଡ୍। ଅନୀଲ ଅଗ୍ରଓ୍ୱାଲଙ୍କ ବେଦାନ୍ତ ଗ୍ରୁପ ଉପରେ ଇଡି କରିଛି ରେଡ୍। ଫେମା ଉଲ୍ଲଂଘନ ସହ ଜଡ଼ିତ ଆରୋପର ହେଉଛି ତଦନ୍ତ। ବିଦେଶୀ ନେଣଦେଣ, ଫଣ୍ଡ ଫ୍ଲୋ ଓ ଦସ୍ତାବିଜର ଯାଞ୍ଚ କରୁଛି ଇଡି। ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଙ୍ଗଳବାର ଦିନ Vedanta Group ସହ ସମ୍ପର୍କିତ ବିଭିନ୍ନ କାର୍ଯ୍ୟାଳୟ ଓ ପ୍ରାଙ୍ଗଣରେ ତଲାସି ଅଭିଯାନ ଚାଲାଇଛି। ଏହି ତଲାସି ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଅନୁସାରେ ଚାଲିଥିବା ଏକ ତଦନ୍ତର ଅଂଶ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଓ ମୁମ୍ୱାଇରେ ଥିବା ବେଦାନ୍ତ ଅଫିସରେ ଏହି ଚଢ଼ାଉ ହୋଇଛି। ତଦନ୍ତ କେଉଁ ନିର୍ଦ୍ଦିଷ୍ଟ FEMA ଉଲ୍ଲଂଘନକୁ ନେଇ ଚାଲିଛି, ସେନେଇ ED ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ। ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ତଦନ୍ତକାରୀ ସଂସ୍ଥାକୁ ପୂର୍ଣ୍ଣ ସହଯୋଗ କରୁଛି ଏବଂ ଚାହିଁଥିବା ସମସ୍ତ ତଥ୍ୟ ପ୍ରଦାନ କରୁଛି। କମ୍ପାନୀ ଆଇନ ଓ ନିୟମ ପାଳନ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।
ଇଡି ଚଢ଼ାଉ ପରେ ବେଦାନ୍ତର ସେୟାର ଦରରେ ହ୍ରାସ ଦେଖାଯାଇଛି। ମାର୍କେଟରେ ନିବେଶକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ କମ୍ପାନୀର ଷ୍ଟକ୍ ମୂଲ୍ୟ ୧% ରୁ ଅଧିକ କମିଥିବା ଖବର ମିଳିଛି। କୌଣସି କମ୍ପାନୀ ଦ୍ୱାରା ବିଦେଶୀ ମୁଦ୍ରାର ଲେନଦେନ ନିୟମର ଉଲ୍ଲଂଘନ ସନ୍ଦେହରେ ଇଡି ରେଡ୍ କରିପାରିବ। ଅବୈଧ ରୂପରେ ବିଦେଶକୁ ପୁଞ୍ଜି ପଠାଇବା ହେଉ ଅବା ଅବୈଧ ରୂପରେ ସମ୍ପତ୍ତି ହାସଲ ଲାଗି ବିଦେଶୀ ନିବେଶ ନିୟମକୁ ଉଲ୍ଲଂଘନ ହୋଇଥିଲେ, ଇଡି ଛାନଭିନ କରିପାରିବ। ଏହି ବହୁରାଷ୍ଟ୍ରୀୟ ମାଇନିଂ କମ୍ପାନୀର ଏହା ଏକ ମାତ୍ର ବିବାଦ ନୁହେଁ। ଏପ୍ରିଲ ୨୦୨୬ରେ ଛତିଶଗଡ଼ର ଏକ ପାଓ୍ୱାର ପ୍ଲାଣ୍ଟରେ ବୟଲର ବିସ୍ଫୋରଣ ପରେ କମ୍ପାନୀର ଟପ୍ ଲିଡରସିପ ଏପରିକି ଅନୀଲ ଅଗ୍ରଓ୍ୱାଲଙ୍କ ବିରୁଦ୍ଧରେ ବି ଏତଲା ହୋଇଥିଲା। କାରଣ ଏହି ଘଟଣାରେ ୨୦ରୁ ଅଧିକ ଶ୍ରମିକଙ୍କ ଜୀବନ ଯାଇଥିଲା। କେବଳ ଏତିକି ନୁହେଁ। ଓଡ଼ିଶାରେ ଭେଡେନ ନଦୀରୁ ବିନା ଅନୁମତିରେ ପାଣି ନେଉଥିବା ଅଭିଯୋଗରେ ବେଦାନ୍ତ ଆଲୁମିନିୟମ ଉପରେ ୨୩୩.୧୧ କୋଟି ଟଙ୍କାର ଜରିମାନା ଲଗାଇଥିଲା ଜଳସେଚନ ବିଭାଗ।
