BCCI Chief Selector post vacant:ଅଜିତ ଆଗରକରଙ୍କ ପରେ ଖାଲି ପଡ଼ିଲା BCCI ଚିଫ୍ ସିଲେକ୍ଟର ପଦ
ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ରେ ଏବେ ନଜର ନୂଆ ଚିଫ୍ ସିଲେକ୍ଟରଙ୍କ ଉପରେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଦଳ ଚୟନ କରିବା ଅଗରକରଙ୍କ ଚିଫ୍ ସିଲେକ୍ଟର ଭାବେ ଶେଷ ଦାୟିତ୍ୱ ଥିଲା। BCCI ଖାଲି ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଆବେଦନ ଆରମ୍ଭ କରିଛି।
ମୁମ୍ବାଇ:ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ମଙ୍ଗଳବାର ପୁରୁଷ ସିନିୟର ଚୟନ କମିଟିର ଖାଲି ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ମାଗିଛି। ଏଥିସହ ଚିଫ୍ ସିଲେକ୍ଟର ଭାବେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟ ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ନେଇଥିବା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଗରକର ତାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଆଉ ଏକ୍ସଟେନ୍ସନ୍ ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ। ଚିଫ୍ ସିଲେକ୍ଟର ପଦ ଖାଲି ହେବା ପରେ BCCI ନୂଆ ଚୟନକର୍ତ୍ତା ପାଇଁ ଆବେଦନ ଆହ୍ୱାନ କରିଛି। ଅଗରକରଙ୍କ ବିଦାୟ ପରେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଦିଆଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଦଳ ଚୟନ ବୈଠକରେ ଓଝା ଅଧ୍ୟକ୍ଷତା କରିବେ।ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଦଳ ଚୟନ କରିବା ଅଗରକରଙ୍କ ଚିଫ୍ ସିଲେକ୍ଟର ଭାବେ ଶେଷ ଦାୟିତ୍ୱ ଥିଲା। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ଅନେକ ବଡ଼ ସଫଳତା ହାସଲ କରିଛି। ଅଗରକରଙ୍କ କାର୍ଯ୍ୟକାଳରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ ଖେଳିଥିଲା। ଏହାପରେ ଦଳ ୨୦୨୪ ଟି-୨୦ ବିଶ୍ୱକପ୍, ୨୦୨୫ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଥିଲା। BCCIର ରିଭ୍ୟୁ ବୈଠକରେ ଅଗରକରଙ୍କ ଅନୁପସ୍ଥିତି ମଧ୍ୟ ସେ ଆଉ ପଦରେ ରହିବାକୁ ଚାହୁଁନଥିବା ଦିଗକୁ ଇଙ୍ଗିତ କରିଥିଲା। BCCIର ରିଲିଜ୍ ଅନୁଯାୟୀ, ନୂଆ ଚୟନକର୍ତ୍ତାଙ୍କ ଦାୟିତ୍ୱ ହେବ ତିନୋଟି ଫର୍ମାଟ୍ ପାଇଁ ଭାରତୀୟ ଦଳର ଖେଳାଳି ଚୟନ କରିବା ଏବଂ ଭବିଷ୍ୟତ ଯୋଜନା ଅନୁଯାୟୀ ଦଳର ବିକଳ୍ପ ଖେଳାଳି ଦଳକୁ ମଜବୁତ କରିବା। ଏହାସହ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍ରେ ଖେଳାଳିଙ୍କ ପ୍ରଦର୍ଶନର ମୂଲ୍ୟାୟନ ଓ ଚୟନ ବୈଠକରେ ଅଂଶଗ୍ରହଣ କରିବା ମଧ୍ୟ ଦାୟିତ୍ୱ ରହିବ। ଆବେଦନକାରୀ ଅତିକମରେ ୭ଟି ଟେଷ୍ଟ କିମ୍ବା ୩୦ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଥିବା ଆବଶ୍ୟକ। ଏହାସହ ଅତିକମରେ ୧୦ଟି ଦିନିକିଆ ଓ ୨୦ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଥିବା ଦରକାର। ଆବେଦନକାରୀ କ୍ରିକେଟ୍ରୁ ଅବସର ନେଇଥିବାର ଅତିକମରେ ୫ ବର୍ଷ ବିତିଥିବା ମଧ୍ୟ ଆବଶ୍ୟକ। ଏହି ଯୋଗ୍ୟତା ପୂରଣ କରୁଥିବା କେଉଁ ପୂର୍ବତନ ଭାରତୀୟ ଖେଳାଳି ଅଗରକରଙ୍କ ସ୍ଥାନ ନେବେ, ଏବେ ତାହା ଉପରେ ସମସ୍ତଙ୍କ ନଜର।
