Hockey Team Celebration:'ଚାମ୍ପିଅନ୍' ଗୀତରେ ଲକର ରୁମରେ ଝୁମିଲା ଭାରତୀୟ ମହିଳା ହକି ଟିମ୍
୪୪ ବର୍ଷ ପରେ ଏସିଆଡ୍ ସ୍ଵର୍ଣ୍ଣ | ଏସୀୟ କ୍ରୀଡ଼ାରେ ଚୀନକୁ ହରାଇ ଐତିହାସିକ ବିଜୟ | ଡ୍ରେସିଂ ରୁମରେ ସେଲିବ୍ରେସନର ମାହୋଲ | 'ଚାମ୍ପିଅନ୍, ଚାମ୍ପିଅନ୍' ଗୀତରେ ଝୁମିଲେ ଭାରତୀୟ ମହିଳା ହକି ଟିମ୍ | ଖାଲି ପଦକ ନୁହେଁ ଜିତିବା ସହ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା ଟିମ୍ |
ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ନୂଆ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ | ଶୁକ୍ରବାର ଅନୁଷ୍ଠିତ ହାଇଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚରେ ବିଶ୍ୱର ୪ ନମ୍ବର ଦଳ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଚୀନକୁ ୧-୦ ଗୋଲରେ ହରାଇଛି ଆମ ଭାରତୀୟ ଷ୍ଟାର ଟିମ। ମ୍ୟାଚର ୧୦ମ ମିନିଟରେ ଲାଲରେମସିଆମୀ ଦମଦାର ଫିଲ୍ଡ ଗୋଲ କରି ଭାରତୀୟ ଦଳ ନାଁରେ ପକ୍କା କରିଥିଲେ ସ୍ବର୍ଣ୍ଣ ପଦକ। ୧୯୮୨ ମସିହା ପରେ, ଅର୍ଥାତ୍ ଦୀର୍ଘ ୪୪ ବର୍ଷର ଅପେକ୍ଷା ପରେ ଭାରତୀୟ ମହିଳା ହକି ଦଳ ଏସିଆଡରେ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛି। ତାହାସହ ଦଳ ସିଧାସଳଖ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ନିଜ ସ୍ଥାନ ମଜଭୁତ କରିଛି ।
ଏହି ସ୍ମରଣୀୟ ବିଜୟର ଝଲକ ଭାରତୀୟ ଡ୍ରେସିଂ ରୁମରେ ହେଖିବାକୁ ମିଳିଥିଲା। ହକି ଇଣ୍ଡିଆ ପକ୍ଷରୁ ସୋସିଆଲ ମିଡିଆ 'X' ରେ ଶେୟାର କରାଯାଇଥିବା ଏକ ଭିଡିଓ ଏବେ ସାରା ଦେଶରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦଳର ସମସ୍ତ ଖେଳାଳି ଖୁସିରେ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଡ୍ୱେନ ବ୍ରାଭୋଙ୍କ ପ୍ରସିଦ୍ଧ ଗୀତ 'ଚାମ୍ପିଅନ୍, ଚାମ୍ପିଅନ୍' ଗୀତରେ ନାଚୁଥିବା ଏବଂ ଜୋରରେ ହୋହାଲ୍ଲା କରି ସେଲିବ୍ରେସନ୍ କରୁଥିବା ଦେଖିବାକୁ ମିଳିଛି। ପୋଷ୍ଟର କମେଣ୍ଟରୁ ଭାରତୀୟ ମହିଳାଙ୍କ ଏହି ଉତ୍ସାହରେ ସମସ୍ତେ ସାମିଲ ଥିବାପରି ଜଣାପଡୁଛି ।ଏହି ସ୍ଵର୍ଣ୍ଣ ପଦକ ସହ ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୭୬ରେ ପହଞ୍ଚିଛି। ଏହି ଐତିହାସିକ ସଫଳତା ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ପାଇଁ ବଡ଼ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।
