BearAttack Two Brothers:ଭାଲୁ ଆକ୍ରମଣରେ ଦୁଇ ଭାଇ ଆହତ
ଚାଷ ଜମିକୁ ସାର ପକାଇବାକୁ ଯାଇଥିବା ବେଳେ ଆକ୍ରମଣ; ଆନନ୍ଦପୁର ମେଡିକାଲରେ ଚାଲିଛି ଚିକିତ୍ସା
କେନ୍ଦୁଝର: ଚାଷ ଜମିକୁ ସାର ପକାଇବାକୁ ଯାଇଥିବା ବେଳେ ଦୁଇ ଭାଇଙ୍କୁ ଆକ୍ରମଣ କଲା ହିଂସ୍ର ଭାଲୁ। ଭାଲୁ ଆକ୍ରମଣରେ ଉଭୟ ଭାଇ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମହୁଲଡିହା ଥାନା ଅନ୍ତର୍ଗତ ଘୁଳଘୁଳିଆ ଗାଁର ବେହେରା ହାଇବ୍ରୁ ଓ ତାଙ୍କ ସାନ ଭାଇ ଦୁମ୍ବି ହାଇବ୍ରୁ ଘର ନିକଟସ୍ଥ ଚାଷ ଜମିକୁ ସାର ପକାଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ଭାଲୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲା।
ଭାଲୁଟି ଉଭୟ ଭାଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା। ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଭାଲୁଟି ନିକଟସ୍ଥ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା।
ପରେ ଗ୍ରାମବାସୀ ଆହତ ଦୁଇ ଭାଇଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ଘଟଣା ପରେ ଗାଁରେ ଭାଲୁ ଆତଙ୍କ ଦେଖାଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ଭାଲୁର ଗତିବିଧି ଉପରେ ନଜର ରଖିବା ଆବଶ୍ୟକତା ଦେଖାଦେଇଛି।
