Couple Found Dead in Hotel : ନିଜଠାରୁ ୧୯ ବର୍ଷ ସାନ ପ୍ରେମିକଙ୍କ ସହ ହୋଟେଲରେ ଆତ୍ମହତ୍ୟା
ହୋଟେଲ କୋଠରୀରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ! ୪୬ ବର୍ଷୀୟା ବିବାହିତ ମହିଳା ଓ ୨୭ ବର୍ଷୀୟ ଯୁବକଙ୍କ ଏହି ରହସ୍ୟମୟ ଆତ୍ମହତ୍ୟା ପଛରେ ସୋସିଆଲ ମିଡିଆ ପ୍ରେମ ଓ ପାରିବାରିକ ବିବାଦ ଥିବା ସନ୍ଦେହ କରାଯାଉଛି | ମୃତ୍ୟୁର ମାତ୍ର ଗୋଟିଏ ଦିନ ପୂର୍ବରୁ ସେହି ରୁମ୍ରେ ଏକ ରୋମାଣ୍ଟିକ ରିଲ୍ ବନାଇଥିଲେ ଉଭୟ।
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲା ହୋଟେଲ 'ଅବଧ କୈଳାସ'ରେ ଘଟିଥିବା ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ମହିଳା ଜଣକ ବିବାହିତା ଥିବାବେଳେ ନିଜ ସ୍ୱାମୀ ଓ ପାଞ୍ଚ ବର୍ଷର ଛୁଆକୁ ଛାଡି ନିଜଠାରୁ ୧୯ ବର୍ଷ ସାନ ପ୍ରେମିକଙ୍କ ସହ ଘରୁ ପଳେଇଆସିଥିଲେ | ଘଟଣାଟି ଏମିତିଯେ,ଗତ ସେପ୍ଟେମ୍ବର ୨୨ ତାରିଖରୁ ଗୌତମବୁଦ୍ଧ ନଗରର ପିଙ୍କି (୪୬) ଏବଂ ଶ୍ରାବସ୍ତୀର ରିଙ୍କୁ ଯାଦବ (୨୭) ନିଜକୁ ସ୍ୱାମୀ-ସ୍ତ୍ରୀ ଦର୍ଶାଇ ହୋଟେଲରେ ରହୁଥିଲେ | ମାତ୍ର ଗୁରୁବାର ଦିନସାରା କୋଠରୀରୁ କୌଣସି ହଲଚଲ ନହେଇଥିବାରୁ କବାଟ ବାଡେଇଥିଲେ ହୋଟେଲ ମ୍ୟାନେଜର | କୌଣସି ପ୍ରତିକ୍ରିୟା ନଆସିବାରୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ | ପୋଲିସ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ଏବଂ ଭିଡିଓଗ୍ରାଫି ସହ କବାଟ ଭାଙ୍ଗି ଦେଖିଲା ବେଳକୁ ଉଭୟଙ୍କ ଶବ ପଙ୍ଖାରେ ଝୁଲୁଥିଲା | ପିଙ୍କି ଓଢ଼ଣୀରେ ଏବଂ ରିଙ୍କୁ ଗାମୁଛା ସାହାଯ୍ୟରେ ଫାସି ଲଗାଇଥିଲେ।
ପୋଲିସ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ. ତେବେ ଫୋରେନ୍ସିକ ଟିମ୍ ସେଠାରୁ ବିଭିନ୍ନ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛି | ପୋଲିସ ରିଙ୍କୁଙ୍କ ମୋବାଇଲ୍ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ମୃତ୍ୟୁର ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ଉଭୟେ ସେହି ହୋଟେଲ କୋଠରୀରେ ଏକ ହରିୟାଣଭୀ ଗୀତରେ ରୋମାଣ୍ଟିକ ଇନଷ୍ଟାଗ୍ରାମ ରିଲ୍ ପ୍ରସ୍ତୁତ କରି ପୋଷ୍ଟ କରିଥିଲେ | ତେବେ,ପିଙ୍କିଙ୍କ ସ୍ୱାମୀ ବିଜୟ ଶର୍ମା ବହରାଇଚ୍ ପହଞ୍ଚି ପୋଲିସକୁ ଜଣାଇଛନ୍ତି ଯେ, ଗତ ସେପ୍ଟେମ୍ବର ୧୪ ତାରିଖରୁ ପିଙ୍କି ଘରୁ ୩ ଲକ୍ଷ ଟଙ୍କାର ଗହଣା ଏବଂ ନଗଦ ଟଙ୍କା ନେଇ ନିଖୋଜ ଥିଲେ। ରିଙ୍କୁ ପୂର୍ବରୁ ସେମାନଙ୍କ ଘର ସାମ୍ନାରେ ଭଡ଼ାରେ ରହୁଥିଲା ଏବଂ ପିଙ୍କିଙ୍କୁ ଭଉଣୀ ବୋଲି କହୁଥିଲା | ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା | ଅନ୍ୟପଟେ ରିଙ୍କୁଙ୍କର ଚଳିତ ବର୍ଷ ଜୁଲାଇ ୧୧ରେ ବିବାହ ହୋଇଥିଲା, କିନ୍ତୁ ସ୍ତ୍ରୀଙ୍କ ବିଦାୟୀ ହୋଇନଥିଲା | କୋଟୱାଲୀ ନଗର ପୋଲିସ ଉଭୟ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି | ସିଟି ସିଓ ନାରାୟଣ ଦତ୍ତ ମିଶ୍ର କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବଂ ମୋବାଇଲ୍ କଲ୍ ଡିଟେଲ୍ସ (CDR) ଯାଞ୍ଚ ହେବା ପରେ ହିଁ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ |
