ଉଚ୍ଛେଦକୁ ବିତିଲା ୪ ବର୍ଷ, ଅଧୁରା ପଡ଼ିଛି ମୋଚି ଛକ-ଭଦ୍ରକାଳୀ ରାସ୍ତା
ଉଚ୍ଛେଦର ୪ ବର୍ଷ ପରେ ବି ଅଧୁରା ମା’ ଭଦ୍ରକାଳୀ ରାସ୍ତା: ମରଣଯନ୍ତା ପାଲଟିଛି ମୋଚି ଛକ-ଭଦ୍ରକାଳୀ ରାସ୍ତା। ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଏବେ ବି ଅଧୁରା, ଜନଅସନ୍ତୋଷ ତୀବ୍ର ।
ଭଦ୍ରକ: ଭଦ୍ରକ ସହରର ମୋଚି ଛକଠାରୁ ମା’ ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ରାସ୍ତାର ପ୍ରଶସ୍ତିକରଣ ଓ ପୁନରୁଦ୍ଧାର ପାଇଁ ପ୍ରାୟ ୪ ବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ ଅଭିଯାନ କରାଯାଇଥିଲା। ରାସ୍ତା ନିର୍ମାଣ ଓ ଯାତାୟାତ ସୁଗମ କରିବା ଲକ୍ଷ୍ୟରେ ହୋଇଥିବା ଏହି ଉଚ୍ଛେଦକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ କରାଯାଇଥିଲା। ତେବେ ଉଚ୍ଛେଦ ଅଭିଯାନ ଯୋଗୁଁ ଶତାଧିକ ବ୍ୟବସାୟୀ ନିଜର ଦୋକାନ ଓ ଜୀବିକା ହରାଇଥିବା ବେଳେ, ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାକୁ ନେଇ ଏବେ ଅସନ୍ତୋଷ ତୀବ୍ର ହୋଇଛି। ସୂଚନା ଅନୁସାରେ, ମା’ ଭଦ୍ରକାଳୀଙ୍କ ପୀଠକୁ ଯାଉଥିବା ଏହି ରାସ୍ତାର ପୁନରୁଦ୍ଧାର ଓ ପ୍ରଶସ୍ତିକରଣ ପାଇଁ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦ ପରେ ମାତ୍ର ୪ ମାସ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦାବି ହୋଇଛି। କିନ୍ତୁ ଇତିମଧ୍ୟରେ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଅଧୁରା ପଡ଼ିରହିଛି। ଫଳରେ ରାସ୍ତାଟି ଏବେ ଯାତାୟାତ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତାର ଅବ୍ୟବସ୍ଥା ଯୋଗୁଁ ଭଦ୍ରକ ପୌରାଞ୍ଚଳର ୧୫ଟି ୱାର୍ଡ ସମେତ ୩ଟି ପଞ୍ଚାୟତର ଲକ୍ଷାଧିକ ଲୋକ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି।
ବିଶେଷକରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ନିର୍ମାଣ ଦାବିରେ ପୂର୍ବରୁ ଏକାଧିକ ଥର ଆନ୍ଦୋଳନ ଓ ରାସ୍ତାରୋକ କରାଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇ ଉଚ୍ଛେଦ ପରେ ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ଓ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଇଛି। ହେଲେ ପ୍ରତିଶ୍ରୁତିର ବର୍ଷ ବର୍ଷ ପରେ ମଧ୍ୟ କାମ ଶେଷ ନହେବାକୁ ନେଇ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ରାସ୍ତା କାର୍ଯ୍ୟରେ ଅବହେଳା ଏବଂ ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି ଭଦ୍ରକ ପୌରପାଳିକା ଅଧ୍ୟକ୍ଷା। ରାସ୍ତାର ପୁନରୁଦ୍ଧାର ଓ ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାକୁ ସେ ଦାବି କରିଛନ୍ତି। ମା’ ଭଦ୍ରକାଳୀଙ୍କ ପୀଠକୁ ଯିବା ପାଇଁ ଏହି ରାସ୍ତାର ଗୁରୁତ୍ୱ ଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।
