ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ଆଜି ପବିତ୍ର ଅଷ୍ଟମୀ ତିଥିରେ ପାଳିତ ହେଉଛି ଜନ୍ମାଷ୍ଟମୀ। ରାତି ୭ଟାରୁ ୧୨ଟା ଯାଏଁ ଦର୍ଶନ ବନ୍ଦ, ନିଶାର୍ଦ୍ଧରେ ଜନ୍ମ ନେବେ ଶ୍ରୀକୃଷ୍ଣ, ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି।
ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହି ପବିତ୍ର ତିଥିରେ ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହେବ। ମହାଜନ ସେବକଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ କରାଯିବ। ଦେବକୀ ଓ ବସୁଦେବ ବେଶରେ ଦୁଇଜଣ ମହାଜନ ସେବକ ଜନ୍ମ ଚକଡ଼ାରେ ନିଶାର୍ଦ୍ଧ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳନ କରିବେ। ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ। ସେଠାରେ ସୁନାର କୃଷ୍ଣମୂର୍ତ୍ତି ସ୍ଥାପନ କରାଯିବ। ଏହାପରେ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ। ଜନ୍ମନୀତି ସମ୍ପନ୍ନ ହେବା ପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯିବ। ସେଠାରେ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ଉପନୟନ ପର୍ଯ୍ୟନ୍ତ ବିଭିନ୍ନ ନୀତି ସମ୍ପନ୍ନ ହେବ। ପରେ ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ବିଜେ କରାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ।
ଜନ୍ମାଷ୍ଟମୀ ପୂର୍ବଦିନ ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଜନ୍ମାଷ୍ଟମୀ ଅବସରରେ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରାଯିବ। ଅନ୍ୟପକ୍ଷରେ, ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ମଠବାଡ଼ିରେ ମଧ୍ୟ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀରୁ ଆରମ୍ଭ ହୋଇ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଶ୍ରୀମନ୍ଦିରରେ ପାଳିତ ହେବ ଏବଂ କଂସ ବଧ ପର୍ଯ୍ୟନ୍ତ ଏହି ଲୀଳାକ୍ରମ ଜାରି ରହିବ।
