ଗଛରେ ପିଟି ହେଲା ବସ୍; ଡ୍ରାଇଭର ମୃତ
ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ନିକଟରେ ଭୟାବହ ବସ୍ ଦୁର୍ଘଟଣା। ଗଛରେ ପିଟି ହେଲା ‘ନୀଳକଣ୍ଠେଶ୍ୱର’ ବସ୍, ଡ୍ରାଇଭର ମୃତ, ୨୫ରୁ ଅଧିକ ଆହତ।
ନୟାଗଡ଼: ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ନିକଟରେ ଭୟାବହ ବସ୍ ଦୁର୍ଘଟଣା। ଭୁବନେଶ୍ୱରରୁ ନୟାଗଡ଼ ଆସୁଥିବା ‘ନୀଳକଣ୍ଠେଶ୍ୱର’ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି। ଦୁର୍ଘଟଣାରେ ବସ୍ ଡ୍ରାଇଭର ନିରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି। ସେ ସାନପଦର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୬ ଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଆହୁରି କିଛି ଆହତଙ୍କୁ ରେଫର କରାଯିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ବସ୍ରେ ୩୫ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗଛର ଏକ ବଡ଼ ଅଂଶ ବସ୍ ଭିତରକୁ ପଶିଯାଇଥିଲା। ଫଳରେ ବସ୍ରେ ଥିବା ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ। ବସ୍ର ହେଲପରଙ୍କ ଅଭିଯୋଗ ଅନୁସାରେ, ବସ୍ଟି ଦ୍ରୁତ ଗତିରେ ଚାଲୁଥିଲା ଏବଂ ଡ୍ରାଇଭର ଫୋନ୍ରେ କଥା ହେଉଥିଲେ। ଏହି କାରଣରୁ ବସ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସେ କହିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ। ଦୁର୍ଘଟଣା ଖବର ପାଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ପରେ ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।
ଘଟଣାସ୍ଥଳରେ ବିଧାୟକ ଅରୁଣ ସାହୁ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଦୁର୍ଘଟଣାଟି ଅତ୍ୟନ୍ତ ଭୟାନକ ଥିଲା ବୋଲି ସେ କହିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆହତ ପ୍ରତ୍ୟେକଙ୍କୁ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
