BHADRAK GANESH PUJA:ବୁଢ଼ା-ଟୋକା-ପିଲା ଗଣେଶଙ୍କୁ ସ୍ୱତନ୍ତ୍ର ଆରାଧନା
ଭଦ୍ରକରେ ନିଆରା ଢଙ୍ଗରେ ପୂଜା ପାଆନ୍ତି ବୁଢ଼ା, ଟୋକା ଓ ପିଲା ଗଣେଶ। ମୋଗଲ ଶାସନ ସମୟରୁ ଚାଲିଆସିଛି ବୁଢ଼ା ଗଣେଶଙ୍କ ପୂଜା ପରମ୍ପରା।
ଭଦ୍ରକ: ଗଣେଶ ଚତୁର୍ଥୀକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ। ତେବେ ଭଦ୍ରକର ଗଣେଶ ପୂଜାର ରହିଛି ଏକ ସ୍ୱତନ୍ତ୍ର ପରିଚୟ। ଏଠାରେ ପ୍ରଭୁ ବିଘ୍ନବିନାଶକ ଶ୍ରୀଗଣେଶ ପୂଜା ପାଆନ୍ତି ଭିନ୍ନ ଭିନ୍ନ ନାମରେ। ବିଶେଷକରି ବୁଢ଼ା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶଙ୍କ ପୂଜା ଭଦ୍ରକର ଗଣେଶ ପୂଜାର ଏକ ନିଆରା ବିଶେଷତ୍ୱ। ପୁରାଣ ଓ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଗଣେଶଙ୍କର ଅନେକ ନାମ ରହିଛି। ହେଲେ ପୁରାଣରେ ଉଲ୍ଲେଖ ନଥିବା ଏଭଳି ନାମରେ ଭଦ୍ରକରେ ଗଣେଶ ପୂଜା ପାଇବା ଏଠାକାର ପରମ୍ପରାକୁ ଅନ୍ୟ ସ୍ଥାନଠାରୁ ଭିନ୍ନ କରିଛି। ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ମୋଗଲ ଶାସନ ସମୟରୁ ବୁଢ଼ା ଗଣେଶ ଏକ ସ୍ଥାୟୀ ମଣ୍ଡପରେ ପୂଜା ପାଇ ଆସୁଥିବା ଜନଶ୍ରୁତି ରହିଛି। ପରବର୍ତ୍ତୀ ସମୟରେ ଏହି ପରମ୍ପରା ସହ ଯୋଡ଼ି ହୋଇଛନ୍ତି ଟୋକା ଓ ପିଲା ଗଣେଶ। ଗଣେଶ ଚତୁର୍ଥୀଠାରୁ ଦୀର୍ଘ ଏକ ମାସ ଧରି ସ୍ଥାୟୀ ମଣ୍ଡପରେ ଗଣେଶ ପୂଜା ଚାଲିଥାଏ। ଏହି ଦୀର୍ଘଦିନିଆ ପୂଜା ପରମ୍ପରା ଭଦ୍ରକର ଧାର୍ମିକ ଓ ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିଛି।
ବୁଢ଼ା ଗଣେଶଙ୍କ ପୂଜା ସହ ଜଡ଼ିତ ଆଉ ଏକ ବିଶେଷତ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରେ। କୁହାଯାଏ, ଦୀର୍ଘ ସମୟ ଧରି ସ୍ଥାୟୀ ମଣ୍ଡପରେ ପୂଜା ପାଇ ଆସୁଥିବା ଏହି ଗଣେଶ ମୂର୍ତ୍ତିରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳେନାହିଁ। ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଆଗେଇ ନେଉଛନ୍ତି ସ୍ଥାନୀୟ ଲୋକେ। ଗଣେଶ ପୂଜା ସମୟରେ ବୁଢ଼ା, ଟୋକା ଓ ପିଲା ଗଣେଶଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥାଏ। ଭଦ୍ରକର ଏହି ନିଆରା ଗଣେଶ ପୂଜା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଏହା ସହରର ଦୀର୍ଘଦିନର ସାଂସ୍କୃତିକ ପରମ୍ପରା ଓ ଲୋକବିଶ୍ୱାସର ଏକ ଅନନ୍ୟ ଉଦାହରଣ।
