ବନ୍ୟାର ତାଣ୍ଡବ, ଧୋଇଗଲା ବ୍ରିଜ୍
ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟାର ଭୟଙ୍କର ରୂପ। ବାହ୍ୟ ଜଗତରୁ ବିଚ୍ଛିନ୍ନ ତିଖିଲିଆ ନୂଆସାହି,ଶହ ଶହ, ଏକର ଚାଷଜମିରେ ମାଡ଼ିଲା ବନ୍ୟାଜଳ ସ୍ଥାୟୀ ପ୍ରତିକାର ଦାବିରେ ଗ୍ରାମବାସୀ।
ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା ନେଇଛି ଭୟଙ୍କର ରୂପ। ଉଫାନ୍ ଗେଙ୍ଗୁଟିର ପ୍ରବଳ ଜଳସ୍ରୋତ ଆଗରେ ହାର୍ ମାନିଛି ଗ୍ରାମୀଣ ଭିତ୍ତିଭୂମି। ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ତିଖିଲିଆ ନୂଆସାହି ଗାଁ। ଗାଁକୁ ଯାତାୟାତର ମୁଖ୍ୟ ମାଧ୍ୟମ ଥିବା ବ୍ରିଜ୍ ଉପରେ ମାଡ଼ିଗଲା ବନ୍ୟାଜଳ। ପ୍ରବଳ ସ୍ରୋତରେ ବ୍ରିଜ୍ ସମ୍ପୂର୍ଣ୍ଣ ଧୋଇଯିବା ପରେ ଏବେ ଠପ୍ ହୋଇଯାଇଛି ଯାତାୟାତ। ବ୍ରିଜ୍ ଧୋଇଯିବାରୁ ଗାଁ ଲୋକଙ୍କ ପାଇଁ ବଢ଼ିଛି ଦୁର୍ଦ୍ଦଶା। ଜରୁରୀ ସମୟରେ ଯାତାୟାତ ଠାରୁ ଆରମ୍ଭ କରି ଦୈନନ୍ଦିନ ଆବଶ୍ୟକତା ପାଇଁ ବାହାରକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ନଦୀବନ୍ଧ ନିକଟରେ ଥିବା ଅନେକ ଲୋକଙ୍କ ଘରଦ୍ୱାର ମଧ୍ୟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ଶହ ଶହ ଏକର ଚାଷଜମିରେ ପଶିଛି ବନ୍ୟାଜଳ। ଫଳରେ ବ୍ୟାପକ ଭାବେ ନଷ୍ଟ ହୋଇଛି ଚାଷବାସ। ଗ୍ରାମବାସୀଙ୍କ ଅଭିଯୋଗ, ପ୍ରତିବର୍ଷ ବନ୍ୟା ଆସୁଛି। କ୍ଷତି ହେଉଛି ରାସ୍ତା, ବ୍ରିଜ୍ ଓ ଚାଷଜମି।ହେଲେ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନିଆଯାଉନାହିଁ। ଏଥର ବ୍ରିଜ୍ ଧୋଇଯିବା ପରେ ତୁରନ୍ତ ବିକଳ୍ପ ରାସ୍ତା ବ୍ୟବସ୍ଥା ସହ ବ୍ରିଜ୍ର ପୁନଃନିର୍ମାଣ ଏବଂ ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି। କେବଳ ଷୋଳମପୁର ନୁହେଁ, ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବନ୍ୟାର ପ୍ରଭାବ ଅନେକ ପଞ୍ଚାୟତକୁ ଛୁଇଁଛି।
ଷୋଳମପୁର, ମାଳଦା, ବାଲିପୋଖରୀ, କୁରିଗାଁ, ନପଙ୍ଗ, ବଣ୍ଡାଳ ମଢ଼ିଆଳି ଓ ଝୁଟଣା ସମେତ ବିଭିନ୍ନ ପଞ୍ଚାୟତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି।ବିଶେଷକରି ଷୋଳମପୁର ପଞ୍ଚାୟତର ତିଖିଲିଆ ଅଞ୍ଚଳରେ ଗେଙ୍ଗୁଟି ନଦୀର ବନ୍ୟାଜଳ ବ୍ରିଜ୍ ସହ ଚାଷବାସକୁ ମଧ୍ୟ ବ୍ୟାପକ କ୍ଷତି ପହଞ୍ଚାଇଛି। ଗ୍ରାମବାସୀଙ୍କ କହିବା କଥାବର୍ଷ ପରେ ବର୍ଷ ଏହି ଅଞ୍ଚଳ ବନ୍ୟାରେ ପ୍ରଭାବିତ ହେଉଛି। ପ୍ରତିଥର ରାସ୍ତା, ବ୍ରିଜ୍ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି।କିନ୍ତୁ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ।ତୁରନ୍ତ ବିକଳ୍ପ ଯାତାୟାତ ବ୍ୟବସ୍ଥା ସହ ବ୍ରିଜ୍ର ପୁନଃନିର୍ମାଣ ଏବଂ ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି। ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଶାସନ ପକ୍ଷରୁ ମଧ୍ୟ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି।ରାସ୍ତା ଓ ବ୍ରିଜ୍ ଧୋଇଯିବା ପରେ ତୁରନ୍ତ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ବନ୍ୟା ଚାଲିଯିବ, ପାଣି କମିଯିବ। ହେଲେ ପ୍ରତିବର୍ଷ ଯଦି ସମାନ ଚିତ୍ର ଦେଖାଯାଏ, ତେବେ କେବେ ମିଳିବ ସ୍ଥାୟୀ ସମାଧାନ?
