ପଦ୍ମ ଧରିଲେ ଦେବାଶୀଷ

କାଲି ବିଜେଡି ଛାଡ଼ିଥିଲେ। ଆଜି ପଦ୍ମ ପୋଖରୀକୁ ଡେଇଁଲେ।କାଲି ଶଙ୍ଖ ଛାଡ଼ିଥିଲେ। ଆଜି ପଦ୍ମ ଧରିଲେ। ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହେଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡିରେ ଅଣଦେଖା, ଅଲୋଡ଼ା ଓ ଅବହେଳାର କାରଣଦର୍ଶାଇ ଜନସ୍ୱାର୍ଥରେ ଏଭଳି ନିଷ୍ପତ୍ତି ନେଲି ବୋଲି କହିଥିଲେ ଦେବାଶୀଷ। ରାଜ୍ୟସଭା ସଦସ୍ୟରୁ ବି ଇସ୍ତଫା ଦେଇଥିଲେ। ପଦ୍ମ ପୋଖରୀକୁ ଡେଇଁଲା ପରେ ଦେବାଶୀଷ କହିଛନ୍ତି, ସେ ମୋଦିଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ। ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି। ଓଡ଼ିଶାରେ ବିଜେପି ପାଇଁ ସେ କାମ କରି ଦଳକୁ ଅଧିକ ସୁଦୃଢ଼ କରିବେ। ମନମୋହନ କହିଛନ୍ତି, ବିକଶିତ ଭାରତ ବିଚାରାଧାରାରେ କାମ କରିବାକୁ ମନସ୍ଥିର କରିଛନ୍ତି ଦେବାଶୀଷ। ତାଙ୍କର ଲମ୍ୱା ଅନୁଭୁତିକୁ ସେ କାମରେ ଲଗାଇବେ। ଦଳରେ ମିଶିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଥିଲେ ଦେବାଶୀଷ। ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଦେବାଶୀଷ ଭେଟିଛନ୍ତି। ଦେବାଶୀଷ ବିଜେପିରେ ସାମିଲ୍ ପରେ ବିଜେଡି କହିଛି, ବିଜେଡିରୁ ସବୁ କିଛି ପାଇଲା ପରେ ନିଜ ସ୍ୱାର୍ଥ ଦେଖି ବାଟ କାଟି ଚାଲିଗଲେ ଦେବାଶୀଷ। ଦେବାଶୀଷ ଦଳରୁ ଗଲା ପରେ ଏହା ଦଳକୁ କୌଣସି ପ୍ରଭାବ ପକାଇବନି। ବିଶେଷ କରି କଟକ ବିଜେଡିର ସଂଗଠନ ପୂର୍ବଭଳି ସୁଦୃଢ଼ ଅଛି ବୋଲି କହିଛନ୍ତି ସୁବାଷ ସିଂ। ଦଳ ପକ୍ଷରୁ କୁହାଯାଇଛି, ବ୍ୟକ୍ତିଗତ ସ୍ୱାର୍ଥରୁ ଦଳ ଛାଡ଼ିଛନ୍ତି। ଦେବାଶୀଷଙ୍କୁ ମିଶାଇ ବିଜେଡିରୁ ୩ ରାଜ୍ୟସଭା ସାଂସଦ ଦଳ ଛାଡିଲେଣି। ଏବେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୫କୁ ହ୍ରାସ ପାଇଛି। ପୂର୍ବରୁ ମମତା ଓ ସୁଜିତ ଦଳରୁ ଇସ୍ତଫା ଦେଇ ପୁଣି ବିଜେପି ଟିକଟରେ ରାଜ୍ୟସଭା ଯାଇଛନ୍ତି। ଦେବାଶୀଷଙ୍କ କ୍ଷେତ୍ରରେ ବି ଏହାର ପୁନରାବୃତ୍ତି ହେବା ଥୟ। ଏବେ କଥା ପଡ଼ିଛି। ଦେବାଶୀଷଙ୍କ ପରେ ଏବେ ଆଉ କିଛି ସାଂସଦ ସେହି ବାଟରେ ଯିବେ କି। ରାଜ୍ୟସଭାରେ ବିଜେଡି ଛିଣ୍ଡୁଥିଲା ବେଳେ ତାକୁ ଅଟକାଇବାକୁ ନବୀନ କେମିତି ମୁକାବିଲା କରିବେ।
