BRICS Security Lapse:ବ୍ରିକ୍ସ ଡ୍ୟୁଟି ବେଳେ ରିଲ୍ସ- କନଷ୍ଟେବଳ ସସପେଣ୍ଡ
ସୋସିଆଲ ମିଡିଆରେ ସୁରକ୍ଷା ବ୍ୟବସ୍ଥା ଓ ଭିଭିଆଇପି ଲୋକେସନ ସହ ଜଡ଼ିତ ଭିଡ଼ିଓ ସାମ୍ନାକୁ ଆସିବା ମାତ୍ରେ ଦିଲ୍ଲୀ ପୁଲିସ ଚକିତ ହୋଇଯାଇଥିଲା। ତୁରନ୍ତ ବାଙ୍ଗରଙ୍କୁ ଡ୍ୟୁଟିରୁ ହଟାଇ ଦେଇ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛି।

ବ୍ରିକ୍ସ ସମ୍ମିଳନୀରେ ସୁରକ୍ଷା ତ୍ରୁଟି। ସସପେଣ୍ଡ ହେଲେ ପୁଲିସ କନଷ୍ଟେବଳ। ବ୍ରିକ୍ସ ସମ୍ମିଳନୀରେ ବିଦେଶୀ ଅତିଥିଙ୍କ ସୁରକ୍ଷାରେ ମୁତୟନ ଥିଲେ ପୁଲିସ କନଷ୍ଟେବଳ ଦୀପକ ବାଙ୍ଗର। କିନ୍ତୁ ସୋସିଆଲ ମିଡିଆରେ ରିଲ୍ସ କରିବାରୁ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ଲକ କରି ତତ୍କାଳ ସସପେଣ୍ଡ କରାଯାଇଛି। ସେଣ୍ଟ୍ରାଲ ଦିଲ୍ଲୀର ଫାଇଭ-ଷ୍ଟାର ହୋଟେଲ ଛାତର ରୁଫଟପ ସ୍ନାଇପର ଭାବେ ତାଙ୍କୁ ମୁତୟନ କରାଯାଇଥିଲା। ହେଲେ ସିପାହୀ ନିଜର ସର୍ଭିସ ପିସ୍ତଲ, ସ୍ନାଇପର ରାଇଫଲର ସ୍କୋପ ଓ ସୁରକ୍ଷାସ୍ଥଳକୁ ସମ୍ୱେଦନଶୀଳ ଦୃଶ୍ୟ ଦର୍ଶାଇ ଇନଷ୍ଟାରେ ରିଲ୍ସ ଅପଲୋଡ଼ କରିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ସୁରକ୍ଷାରେ ଏତେ ବଡ଼ ତ୍ରୁଟି ଓ ଅନୁଶାସନହୀନତାର ମାମଲା ସାମ୍ନାକୁ ଆସିବା ପରେ ସରକାର ଏଭଳି ତ୍ୱରିତ ଆକ୍ସନ ନେଇଛନ୍ତି। ସମ୍ୱେଦନଶୀଳ ଭିଭିଆଇପି ଡ୍ୟୁଟି ବେଳେ ବେପରୁଆ ଭାବେ ନିଜର ସର୍ଭିସ ପିସ୍ତଲ ଓ ସ୍ନାଇପର ରାଇଫଲକୁ ପ୍ରଦର୍ଶନ କରି ଇନଷ୍ଟାରେ ରିଲ୍ସ କରି ଅପଲୋଡ କରିବା ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ସୁରକ୍ଷା ବ୍ୟବସ୍ଥା ଓ ଭିଭିଆଇପି ଲୋକେସନ ସହ ଜଡ଼ିତ ଭିଡ଼ିଓ ସାମ୍ନାକୁ ଆସିବା ମାତ୍ରେ ଦିଲ୍ଲୀ ପୁଲିସ ଚକିତ ହୋଇଯାଇଥିଲା। ତୁରନ୍ତ ବାଙ୍ଗରଙ୍କୁ ଡ୍ୟୁଟିରୁ ହଟାଇ ଦେଇ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛି। ଗୋଟିଏ ଭିଡିଓରେ ଦୀପକ ସାଦା ପୋଷାକରେ ନଜର ଆସିଥିଲେ। ଯେଉଁଠି ତାଙ୍କ ଗଳାରେ ବ୍ରିକ୍ସ ସମ୍ମିଟ ୨୦୨୬ର ଅଧିକାରୀକ ଆଇଡି କାର୍ଡ ଝୁଲିଥିଲା। ଆଉ ସେ ହାତରେ ସର୍ଭିସ ପିସ୍ତଲ ସମ୍ଭାଳି ହୋଟେଲ ପରିସରର ଦୃଶ୍ୟ ଦେଖାଇଥିଲେ। ଦ୍ୱିତୀୟ ଭିଡ଼ିଓରେ ହୋଟେଲ ଛାତରୁ ସ୍ନାଇପର ରାଇଫଲର ସ୍କୋପ ବା ଦୂରବୀକ୍ଷଣରୁ ନିଶାନା କରୁଥିଲେ। ଆଉ ପୃଷ୍ଠଭୂମିରେ ଆଖପାଖରେ ପ୍ରମୁଖ ଭିଭିଆଇପି କୋଠା ଓ ସୁରକ୍ଷା ଲେଆଉଟ୍ ଦେଖାଯାଉଥିଲା। ଏ ଭିଡ଼ିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ @Jaat.bangar.0143 ରୁ ଅପଲୋଡ ହୋଇଥିଲା। ବିବାଦ ବଢିବାରୁ ଏହାକୁ ବ୍ଲକ୍ କରି ହଟାଇ ଦିଆଯାଇଛି।
