ବିବାଦରେ ଅନସ୍କ୍ରିନ ମାର୍କିଂ ସିଷ୍ଟମ

ବିବାଦରେ ଅନସ୍କ୍ରିନ ମାର୍କିଂ ସିଷ୍ଟମ- ୪ଲକ୍ଷ ପିଲାଙ୍କ ସନ୍ଦେହ ସ୍କାନରରେ ସିବିଏସଇ!
୪ଲକ୍ଷରୁ ଅଧିକ ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀ ମାଗିଛନ୍ତି ନିଜ ଉତ୍ତର ଖାତାର ସ୍କାନ କପି। ନୂଆ ଅନ- ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସେମାନଙ୍କର କୁଆଡ଼େ ଭରସା ନାହିଁ। ଏହି ପଦ୍ଧତିରେ ୧୮ଲକ୍ଷ ସ୍କ୍ରିପ୍ଟକୁ ମୂଲ୍ୟାୟନ କରିବାକୁ ଡିଜିଟାଇଜ କରାଯାଇଛି। ପ୍ରାୟ ଅଭିଯୋଗ ଆସିଛି କେଉଁଠି ସ୍କାନ୍ ଠିକ ଭାବେ ହୋଇନି। ତ କେଉଁଠି ପେଜ୍ ମିସିଂ ହୋଇଛି। ପୁଣି କେଉଁଠି ହ୍ୟାଣ୍ଡରାଇଟିଂ ମିସମ୍ୟାଚ୍ ତ ପୁଣି କେଉଁଠି ଉତ୍ତରକୁ ଓଭରଲୁକ୍ କରିଦିଆଯାଇଛି। ବିଶେଷକରି ବିଜ୍ଞାନ ବିଷୟରେ ଏହି ସନ୍ଦେହ ଅଧିକ ରହିଛି ପରୀକ୍ଷାର୍ଥୀଙ୍କ ଭିତରେ। ବିଜ୍ଞାନ ବିଷୟରେ ପାସ୍ ହାର ୮୫.୨ ପ୍ରତିଶତକୁ ଖସିଯାଇଛି। ପରୀକ୍ଷା ଖାତାର ନକଲ ପାଇବାକୁ ମେ ୨୯ ଯାଏ ଡେଡଲାଇନ ବୃଦ୍ଧି କରିଥିଲା ବେଳେ ଜୁନ୍ ୫ ଯାଏ ରି-ଚେକିଂ ଲାଗି ସମୟସୀମା ବଢ଼ାଇଛି ସିବିଏସଇ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ନୂତନ On-Screen Marking (OSM) ପ୍ରଣାଳୀକୁ ନେଇ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ବଢ଼ିବା ସହ ଏହା ଏବେ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି। କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ପୁନଃମୂଲ୍ୟାଙ୍କନ ସମୟରେ ଅପଲୋଡ୍ ହୋଇଥିବା ସ୍କାନ୍ କରାଯାଇଥିବା ଉତ୍ତରପତ୍ର ସେମାନଙ୍କ ଲେଖା କିମ୍ୱା ଅସଲ ଉତ୍ତର ସହ ମେଳ ଖାଉନି। ବେଦାନ୍ତ ଶ୍ରୀବାସ୍ତବ ନାମକ ଜଣେ ଛାତ୍ର ଦାବି କରିଥିଲେ ଯେ ତାଙ୍କ ରୋଲ୍ ନମ୍ୱରରେ ଦେଖାଯାଇଥିବା ଫିଜିକ୍ସ ଉତ୍ତରପତ୍ର ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କର ଥିଲା। ଏହା ସହ ପୋର୍ଟାଲ୍ କ୍ରାସ୍, ଉତ୍ତରପତ୍ର ଦେଖିବାରେ ବିଳମ୍ୱ, ପେମେଣ୍ଟ ସମସ୍ୟା ଏବଂ ଧୁସର ସ୍କାନ୍ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। CBSE ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ OSM ପ୍ରଣାଳୀ ହ୍ୟାକ୍ ହୋଇନଥିଲା। ବୋର୍ଡର କହିବା ଅନୁଯାୟୀ, ଯେଉଁ ପୋର୍ଟାଲ୍କୁ ନେଇ ହ୍ୟାକିଂ ଦାବି କରାଯାଇଛି, ତାହା ଡମି ପ୍ଲାଟଫର୍ମ ଥିଲା ଏବଂ ସେଥିରେ ପ୍ରକୃତ ଛାତ୍ର ତଥ୍ୟ ନଥିଲା। ଜଣେ ସାଇବର ସୁରକ୍ଷା ବିଶେଷଜ୍ଞ ଦାବି କରିଛନ୍ତି ଯେ, ସେ OSM ପୋର୍ଟାଲରେ ଗୁରୁତର ସୁରକ୍ଷା ତ୍ରୁଟି ଚିହ୍ନଟ କରିଥିଲେ। ଯାହା ମାର୍କ୍ସ ପରିବର୍ତ୍ତନ କିମ୍ୱା ଅନ୍ୟ ତଥ୍ୟକୁ ଏପଟସେପଟ କରିପାରେ। CBSE ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛି ଯେ କୌଣସି ପ୍ରକୃତ ତଥ୍ୟ ଲିକ୍ କିମ୍ୱା କାହାର ଏଥିରେ ହସ୍ତକ୍ଷେପ ହୋଇନାହିଁ। ତେବେ ଏ ନୂଆ ବିବାଦକୁ ଦୃଷ୍ଟିରେ ରଖି ସଂସଦୀୟ ସମିତି OSM ପ୍ରଣାଳୀ ଓ ମୂଲ୍ୟାଙ୍କନ ପ୍ରକ୍ରିୟାର ସମୀକ୍ଷା କରିପାରେ। ଶିକ୍ଷା ମନ୍ତ୍ରାଳୟ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛି। CBSE ତଥାପି କହିଛି ଯେ OSM ପ୍ରଣାଳୀ ମୂଲ୍ୟାଙ୍କନରେ ପାରଦର୍ଶିତା ଏବଂ ସମାନତା ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବୋର୍ଡ ଛାତ୍ରମାନଙ୍କୁ ଅଧିକୃତ ଅଭିଯୋଗ ପ୍ରକ୍ରିୟା ମାଧ୍ୟମରେ ମାର୍କ୍ସ ଯାଞ୍ଚ, ଉତ୍ତରପତ୍ର ଦେଖିବା ଏବଂ ପୁନଃମୂଲ୍ୟାଙ୍କନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛି।
