ନିଟ୍ ପେପର ଲିକ୍- ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା

ନିଟ୍ ପେପର ଲିକ୍- ବସିଲା ବଡ଼ ବୈଠକ
ନିଟ୍ ପେପର ଲିକ୍ ମାମଲାରେ ବଡ଼ ବୈଠକ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ବସିଛି ଉଚ୍ଚସ୍ତରୀୟ ବୈଠକ। ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଏନଟିଏ ଡିଜି ସାମିଲ ହୋଇଛନ୍ତି। ମେ ୩ରେ ହୋଇଥିବା ପରୀକ୍ଷା ଲିକ୍ ଆରୋପରୁ ମେ ୧୨ରେ ନିଟ୍ ୟୁଜି ପରୀକ୍ଷା ବାତିଲ୍ କରାଯାଇଥିଲା। ଜୁନ୍ ୨୧ରେ ପୁଣି ଥରେ ପରୀକ୍ଷା ହେବ। ଏ ବୈଠକର ମୁଖ୍ୟ ଲକ୍ଷ୍ୟ, ଭବିଷ୍ୟତରେ ଯେମିତି କୌଣସି ପରୀକ୍ଷାରେ ଏଭଳି ଘଟଣାର ପୁନରାବୃତ୍ତି ହେବନି। ଏଥିଲାଗି କି ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। ପେପର ଲିକ୍ ଭଳି ଘଟଣାକୁ ଏଡ଼ାଇବାକୁ ଉପାୟ ସ୍ଥିର କରିବାକୁ ମାନସମନ୍ଥନ ହେଉଛି। ପ୍ରଧାନମନ୍ତ୍ରୀ ବି ବ୍ୟକ୍ତିଗତ ରୂପରେ ଏହି ମାମଲାରେ ନଜର ରଖିଛନ୍ତି। ଏ ବୈଠକ ଏଭଳି ସମୟରେ ହେଉଛି, ଯେତେବେଳେ ସିବିଏସଇ ପରୀକ୍ଷାକୁ ନେଇ ବି ବିବାଦ ଛିଡ଼ା ହୋଇଛି। କାରଣ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନସ୍କ୍ରିନ ମାର୍କିଂ ବ୍ୟବସ୍ଥାକୁ ନେଇ ଆଶଙ୍କା କରିଛନ୍ତି ପରୀକ୍ଷାର୍ଥୀ। ଅଭିଯୋଗ ହୋଇଛି ଯେ, ବୋର୍ଡ ପକ୍ଷରୁ ଅପଲୋଡ କରାଯାଇଥିବା ଅନେକ ଉତ୍ତର ପୁସ୍ତିକାର ସ୍କାନ୍ ପ୍ରକ୍ରିୟାରେ ଅସଲ ଉତ୍ତରର ମେଳ ଖାଉନି। ଏପରିକି ଓଏସଏମ ପ୍ରଣାଳୀରେ ଉତ୍ତର ଖାତାର ଅଦଳବଦଳର ଆଶଙ୍କା ବି କରିଛନ୍ତି ଅନେକ ପରୀକ୍ଷାର୍ଥୀ। ବୁଧବାର ସ୍ୱତନ୍ତ୍ର ବିଚାରପତି ବିଦ୍ୟାପ୍ରକାଶ ସିବିଆଇର ଆବେଦନ ଉପରେ ଶୁଣାଣୀ କରିଥିଲେ। ଦୁଇ ଅଭିଯୁକ୍ତ ଡାକ୍ତର ମନୋଜ ଭଗବାନରାଓ ତଥା ଫିଜିକ୍ସ ଶିକ୍ଷକ ତେଜସ ହର୍ଷଦକୁମାର ଶାହାଙ୍କୁ ପଚରାଉଚୁରା ଲାଗି ଆଉ ୫ ଦିନ ରିମାଣ୍ଡରେ ନେବାକୁ ଅପିଲ୍ କରିଥିଲା ସିବିଆଇ। ଅଦାଲତ ବି ଦୁଇ ଅଭିଯୁକ୍ତଙ୍କୁ ୫ ଦିନ ଯାଏ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଜୁନ୍ ପହିଲାରେ ଅଦାଲତରେ ହାଜର କରାଯିବ। ଏହା ସହ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫଦାରି ସଂଖ୍ୟା ବୃଦ୍ଧି ପାଇ ୧୩ ହୋଇଛି।
