ବିବାଦରେ CBSEର On-Screen Marking (OSM) ମୂଲ୍ୟାଙ୍କନ
CBSEର On-Screen Marking (OSM) ମୂଲ୍ୟାଙ୍କନ ପ୍ରଣାଳୀକୁ ନେଇ ଉଠିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଏହାର ଦାୟିତ୍ୱ ନେଉଛନ୍ତି ଏବଂ ସମସ୍ୟାର ସମାଧାନ କରାଯିବ।

ବ୍ୟସ୍ତ ହୁଅନି, ମୁଁ ଦାୟିତ୍ୱ ନେଉଛି- କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
CBSEର On-Screen Marking (OSM) ମୂଲ୍ୟାଙ୍କନ ପ୍ରଣାଳୀକୁ ନେଇ ଉଠିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଏହାର ଦାୟିତ୍ୱ ନେଉଛନ୍ତି ଏବଂ ସମସ୍ୟାର ସମାଧାନ କରାଯିବ। ଯଦି ମୂଲ୍ୟାଙ୍କନ ପ୍ରକ୍ରିୟାରେ କୌଣସି ଅନିୟମିତତା ମିଳେ, କେହି ଜାଣିଶୁଣି କରିଥାଏ, ତାହେଲେ କାହାକୁ ବରଦାସ୍ତ କରାଯିବନି। ଏଭଳି ବାଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ OSM ଡିଜିଟାଲ୍ ମୂଲ୍ୟାଙ୍କନ ପ୍ରଣାଳୀକୁ ସ୍ୱଛ ବୋଲି କହିଛନ୍ତି। ଏହା ସହ ପାରଦର୍ଶିତା ବୃଦ୍ଧି ପାଇଁ ଅଣାଯାଇଛି। ଏହା ସହ ଏ ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। କାରଣ ଏହା ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଶିକ୍ଷା ମନ୍ତ୍ରଣାଳୟ CBSE ପାଖରୁ ଧୁସର ସ୍କାନ୍ ହୋଇଥିବା ଉତ୍ତରପତ୍ର, ଯାଞ୍ଚ ହୋଇନଥିବା ଉତ୍ତର,ପୋର୍ଟାଲ୍ କ୍ରାସ୍, ପେମେଣ୍ଟ ଗେଟୱେ ସମସ୍ୟା ଏବଂ ପୁନଃମୂଲ୍ୟାଙ୍କନର ତ୍ରୁଟି ବାବଦରେ ରିପୋର୍ଟ ତଲବ କରିଛି। ଏହି ବିବାଦ ବଢ଼ିଥିଲା ଯେତେବେଳେ ଅନେକ CBSE Class 12 ଛାତ୍ରଛାତ୍ରୀ ଭୁଲ ମାର୍କିଂ, ମେଳ ନଥିବା ସ୍କାନ୍ ଉତ୍ତରପତ୍ର ଓ ପୁନଃମୂଲ୍ୟାଙ୍କନ ସମୟରେ ଉପୁଜିଥିବା ସମସ୍ୟା ବିଷୟରେ ସୋସିଆଲ୍ ମିଡିଆରେ ଅଭିଯୋଗ କରିଥିଲେ। ପୁନଃ ମୂଲ୍ୟାୟନ ପ୍ରକ୍ରିୟାରେ ଗଡ଼ବଡ଼ି କଥାକୁ ସ୍ୱୀକାର କରିଛନ୍ତି ଧର୍ମେନ୍ଦ୍ର। ଆଜି ସିବିଏସଇ ବୋର୍ଡର ଅଧିକାରୀଙ୍କ ସହ ବୈଠକ କରିଥିଲେ। ସିବିଏସଇ ପ୍ରଥମ ଥର ପୁରା ଡିଜିଟାଲ ମୂଲ୍ୟାୟନ ସିଷ୍ଟମ ଆରମ୍ଭ କରିଥିଲା। ଏହାର ଅର୍ଥ, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା ସହ ଷ୍ଟୁଡେଣ୍ଟ ଫ୍ରେଣ୍ଡଲି କରିବା। ନୂଆ ସିଷ୍ଟମ ଅନୁସାରେ ପରୀକ୍ଷାର୍ଥୀ ନିଜର ଉତ୍ତରଖାତାର ସ୍କାନ ହୋଇଥିବା କପି ଦେଖିପାରିବେ। ଆଉ ରେଜଲ୍ଟରେ ମିଳିଥିବା ମାର୍କସକୁ ବି ଯାଞ୍ଚ କରିପାରିବେ। ଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ, ୧୭ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଜର ସ୍କାନ କପିର ନକଲ ପାଇବାକୁ ଆବେଦନ କରିଛନ୍ତି। ଯେଉଁଥିରୁ ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ନିଜର ସ୍କାନିଂ ଉତ୍ତର ଖାତା ଦେଖିସାରିଲେଣି। ଏଥିରେ ୧୧ଲକ୍ଷ ଉତ୍ତର ଖାତା ସାମିଲ ଅଛି। ବୋର୍ଡ ଏହି ପ୍ରକ୍ରିୟା ପଛରେ ଟେକ୍ନୋଲୋଜି ଇନଫ୍ରାଷ୍ଟ୍ରକଚରକୁ ଦେଖାଶୁଣା ସହ ଏହାକୁ ମଝଭୁତ୍ କରିବାକୁ ଆଇଆଇଟି କାନପୁର ଓ ଆଇଆଇଟି ମାଡ୍ରାସ ଭଳି ସଂସ୍ଥାରୁ ଟେକ୍ନିକାଲ ସପୋର୍ଟ ନେଇଛି ସିବିଏସଇ। କେନ୍ଦ୍ର ଶିକ୍ଷାମନ୍ତ୍ରୀ CBSE OSM ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କୁ ବି କଟାକ୍ଷ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଲଗାତାର ନିର୍ବାଚନୀ ପରାଜୟର କାରଣରୁ ରାହୁଲ ଗାନ୍ଧୀ ହତାଶ ହୋଇପଡ଼ିଛନ୍ତି। ସେ ଡିଜିଟାଲ ଇଣ୍ଡିଆ ଓ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷାଫଳ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଶିକ୍ଷା ସମସ୍ୟାକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ ଏବଂ ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ ହିତ ଓ ସେମାନଙ୍କ ଚାପ କମାଇବା। ରାହୁଲ ଗାନ୍ଧୀ CBSE Class 12 ମୂଲ୍ୟାଙ୍କନରେ “ବ୍ୟାପକ ହସ୍ତକ୍ଷେପ” ହୋଇଥିବା ଅଭିଯୋଗ କରିଥିଲେ ଏବଂ Coempt Edutech (ପୂର୍ବରୁ Globarena ସହ ସଂପୃକ୍ତ) କମ୍ପାନୀକୁ ଦିଆଯାଇଥିବା ଠିକା ଉପରେ ପ୍ରଶ୍ନ ଉଠାଇଥିଲେ। ରାହୁଲ କହିଥିଲେ ଯଦି ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ପ୍ରତି ସତର୍କ ଅଛନ୍ତି, ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରଣାଳୟରୁ ହଟାଇଦେବା ଉଚିତ୍ ଥିଲା। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ OSM ପ୍ରଣାଳୀକୁ ସମର୍ଥନ କରିଛନ୍ତି।
