Delhi Minor Rape Case: ଦିଲ୍ଲୀ ପୁଣି ବଦନାମ:ପୋଲିସ ପରିଚୟ ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ
ରାଜଧାନୀରେ କଡ଼ା ସୁରକ୍ଷା ଦାବି ଭିତରେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି | ପୋଲିସ ବେଶରେ ଚାକୁ ଦେଖାଇ ନାବାଳିକାକୁ କରାଯାଇଛି ଗଣଧର୍ଷଣ |ପୋଲିସ ଗୁଳିମାଡ଼ରେ ଜଣେ ଗିରଫ | ଦୁଇ ଫେରାର |
ଦେଶର ରାଜଧାନୀ ନୂଆଦିଲ୍ଲୀରେ ମହିଳା ଓ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସନ୍ଧ୍ୟାବେଳେ ଦକ୍ଷିଣ ଦିଲ୍ଲୀର ପ୍ରସିଦ୍ଧ କାଲକାଜୀ ମନ୍ଦିରରେ ଯେତେବେଳେ ଶ୍ରଦ୍ଧାଳୁମାନଙ୍କର ଗହଳଚହଳ ଥିଲା ସେ ସମୟରେ ମନ୍ଦିର ନିକଟସ୍ଥ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ସାମୂହିକ ଦୁଷ୍କର୍ମ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ 7.30 ସମୟରେ ନାବାଳିକା ଜଣକ ତାଙ୍କ ବନ୍ଧୁଙ୍କ ସହ ମନ୍ଦିର ଦର୍ଶନ ସାରି ପାର୍କରେ ବସିଥିବା ସମୟରେ ୩ ଜଣ ଯୁବକ ପୋଲିସର ମିଛ ପରିଚୟ ଦେଇ ସେମାନଙ୍କ ନିକଟକୁ ଆସିଥିଲେ । ଅଭିଯୁକ୍ତମାନେ (ବୟସ 25-30) ଦୁଇଜଣଙ୍କୁ ଡରାଇ ଧମକାଇ, ନାବାଳିକାଙ୍କ ବନ୍ଧୁଙ୍କୁ ମାଡ଼ପିଟ କରି ଅଟକାଇବା ସହ ନାବାଳିକାଙ୍କୁ ଶୂନଶାନ ସ୍ଥାନକୁ ଜବରଦସ୍ତି ଟାଣି ନେଇଥିଲେ | ସେଠି ବନ୍ଧୁକ ଓ ଛୁରୀ ଦେଖାଇ ଜଣ ଜଣ କରି ତିନି ଜଣଯାକ ନାବାଳିକାଙ୍କୁ ସହ ଦୁଷ୍କର୍ମ କରିଥିଲେ। ମିଳିଥିବା ଫୋନ କଲ ରୁ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ପାର୍କ ରେ ପହଂଚି ପୀଡ଼ିତାକୁ ଉଦ୍ଧାରକରିବା ସହ ତଦନ୍ତ ଆରମ୍ଭ କରିଥିଲା । ସିସି ଟିଭି ଚେକ୍ କରିବାପରେ ପୋଲିସ ଅମର କୋଲୋନୀ ଅଞ୍ଚଳରେ ଡ଼ିଏମ ଅଫିସ ରୋଡ଼ ନିକଟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା କରିବା ସମୟରେ ମୁଖ୍ୟ ଅଭିଯୁକ୍ତ ଆସିଫ୍ ପୋଲିସ ଉପରକୁ ଗୁଳିଚାଳନା କରିଥିଲା। ପୋଲିସର ପାଲଟା ଜବାବରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିବାରୁ ତାକୁ ଗୁରୁତର ଅବସ୍ଥାରେ କାବୁ କରାଯାଇଛି। ରାଜଧାନୀ ରେ ଗତ 10 ଦିନରେ କୌଣସି ନାବାଳିକା ସହ ଦୁଷ୍କର୍ମର ଏହା ଚତୁର୍ଥ ଘଟଣା | 13 ସେପ୍ଟେମ୍ବରରେ ସ୍ୱରୂପ ନଗରରେ ଗ୍ୟାଙ୍ଗରେପ୍ ପରେ ହତ୍ୟା,16 ରେ ସଦର ବଜାରରେ ଛୋଟଝିଅର ହାତ ଗୋଡ ବାନ୍ଧି ଦୁଷ୍କର୍ମ, 21 ରେ କିଶନଗଞ୍ଜ ରେ 6 ବର୍ଷର ନିରୀହ ଝିଅର ରେପ୍ ଦିଲ୍ଲୀକୁ ଥରାଇ ରଖିଛି | ଏହି ଘଟଣାରେ ପୋକ୍ସୋ (POCSO) ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଥିବା ବେଳେ ଫରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି।
