Soro railway station : ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୫ ଘଣ୍ଟା ଧରି ଚାଲିଲା ଅପରେସନ
ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ରାତି ପ୍ରାୟ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ଧରି ଅପରେସନ ଚାଲିଥିଲା ।

୫ ଘଣ୍ଟାର ଅପରେସନ ପରେ ଲିଭିଲା ନିଆଁ | ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିବାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା । ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ଟ୍ରେନରେ ରାଣୀତାଲ ନିକଟରେ ନିଆଁ ଲାଗିଥିବା ଗାର୍ଡଙ୍କ ନଜରକୁ ଆସିଥିଲା । ଏନେଇ ସେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ସୂଚନା ପାଇବା ପରେ ଟ୍ରେନକୁ ସୋର ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକାଯାଇଥିଲା । ଟ୍ରେନର ପ୍ରାୟ ୮ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ରାତି ପ୍ରାୟ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ଧରି ଅପରେସନ ଚାଲିଥିଲା । ଶେଷରେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିଲା । ଏହାପରେ ଆବଶ୍ୟକ ଯାଞ୍ଚ ଓ ପ୍ରକ୍ରିୟା ଶେଷ କରି ଟ୍ରେନଟି ଖଡ଼ଗପୁର ଅଭିମୁଖେ ଯାତ୍ରା କରିଥିଲା । ତେବେ ଟ୍ରେନ ଅଟକି ରହିବା ଯୋଗୁଁ କିଛି ସମୟ ପାଇଁ ରେଳ ଯାତାୟତ ପ୍ରଭାବିତ ହୋଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବାକୁ ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି ।
