ଶୁଭେନ୍ଦୁ ସରକାରଙ୍କ ମିଟିଂରେ ଟିଏମସି ସାଂସଦ

ପଶ୍ଚିମବଙ୍ଗରେ ଟିଏମସି ଗାଦିଚ୍ୟୁତ ପରେ ନିଇତି ଟିଏମସିରେ ବିଦ୍ରୋହ , ବିବାଦ ଓ ବିଭାଜନର ନୂଆ ଥିଓରୀ ଓ ଚିତ୍ର ଦେଖିବାକୁ ମିଳୁଛି। ବଙ୍ଗଳା ରାଜନୀତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଶାସନିକ ବୈଠକରେ ସାମିଲ୍ ହୋଇଛନ୍ତି ଟିଏମସି ସାଂସଦ କାକୋଳି ଘୋଷ। କାକୋଳିଙ୍କ ସହ ଦୁଇ ଟିଏମସି ବିଧାୟକ ବି ସାମିଲ ହୋଇଛନ୍ତି। ପ୍ରଶାସନିକ ବୈଠକରେ ସାମିଲ ହୋଇ କାକୋଳି ଦିଦିଙ୍କୁ ଚକମା ଦେଇଛନ୍ତି। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଓ ପରେ ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ମିଳିବା ପରେ କାକୋଳି ବିଜେପିକୁ ଡେଇଁବେ ବୋଲି ଚର୍ଚ୍ଚା ଆଜିକା ଦୃଶ୍ୟପଟ୍ଟକୁ ଅଧିକ ଖୋରାକ ଯୋଗାଇଛି। ବାରାସାତର ସାଂସଦ କାକୋଳି ଘୋଷ ଦସ୍ତିଦାର କଲ୍ୟାଣୀରେ ଆୟୋଜିତ ହାଇ ପ୍ରୋଫାଇଲ ପ୍ରଶାସନିକ ବୈଠକରେ ସାମିଲ ହୋଇଛନ୍ତି। କେବଳ କାକୋଳି ନୁହେଁ, ତାଙ୍କ ସହ ଉତ୍ତର-୨୪ ପ୍ରଗଣାର ଦୁଇ ବିଧାୟକ ବି ଉପସ୍ଥିତ ଥିଲେ। ଟଏମସିରୁ ଲଗାତାର ଦୂରତ୍ୱ ବଢ଼ିବା ଓ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ସହ ଏଭଳି ଭେଟଘାଟ ବଙ୍ଗାଳ ରାଜନୀତିରେ ଏକ ନୂଆ ଅଦଳବଦଳର ସଙ୍କେତ ଦେଲାଣି। କାକୋଳିଙ୍କ ପ୍ରଶାସନିକ ବୈଠକରେ ସରପ୍ରାଇଜ ଏଣ୍ଟ୍ରି ସମସ୍ତଙ୍କୁ ତାଜୁବ୍ କରିଛି। ତେବେ କାକୋଳିଙ୍କ ଏହି ପଦକ୍ଷେପ ଅକସ୍ମାତ ନଥିଲା। ପୁରା ସୁଚିନ୍ତିତ ଯୋଜନା। ଗଲା ରବିବାର କାକୋଳି ଟିଏମସିର ବାରାସାତ ସଂସଦୀୟ ଜିଲ୍ଲା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ସହ ମମତାଙ୍କୁ ଅନୁରୋଧ କରିଥିଲେ, ଦଳରେ କୌଣସି ଅନୈତିକ ସଂଗଠନ ବା ବାହାର ତତ୍ତ୍ୱଙ୍କୁ ସାମିଲ କରିବା ବଦଳରେ ପୁରୁଣା ଓ ବିଶ୍ୱସ୍ତ କର୍ମୀଙ୍କୁ ସ୍ଥାନ ଦିଆଯାଉ। ଟିଏମସି ସୁପ୍ରିମୋ କିଛି ଦିନ ତଳେ କାକୋଳିଙ୍କୁ ସଂସଦରେ ମୁଖ୍ୟ ସଚେତକ ପଦରୁ ହଟାଇ ତାଙ୍କ ଜାଗାରେ କଲ୍ୟାଣ ବାନାର୍ଜୀଙ୍କୁ ବସାଇଛନ୍ତି। ଏହି ନିଷ୍ପତ୍ତି କାକୋଳିଙ୍କୁ ବେଶ୍ ବାଧିଥିଲା। ସୋସିଆଲ ମିଡିଆରେ କଟାକ୍ଷ କରି ଅପମାନଜନକ ପୋଷ୍ଟ ବି କରିଥିଲେ ଘୋଷ। ଦଳରେ କ୍ରମାଗତ କଣଠେସା ଓ ଅପମାନରେ ଆଘାତ ପାଇ ଆଗ ଜିଲ୍ଲା ଅଧ୍ୟକ୍ଷ ପଦ ଛାଡିଥିଲେ ଘୋଷ। ଆଉ ଆଜି ଶୁଭେନ୍ଦୁଙ୍କ ପ୍ରଶାସନିକ ବୈଠକରେ ସାମିଲ ହେଲେ।
