Monsoon Health: ଅଦିନିଆ ବର୍ଷାରେ ଦେହ ଖରାପ ଆଶଙ୍କା ; ତେବେ ଘରୋଇ ଉପାୟରେ ରଖନ୍ତୁ ପିଲାଙ୍କ ଯତ୍ନ
ଅସମୟରେ ହେଉଥିବା ବର୍ଷା ଦେହସୁହାଏନି ଛୁଆମାନଙ୍କୁ । ଏହି ବଦଳୁଥିବା ଋତୁରେ ଛୁଆମାନେ ଖୁବ୍ ଶୀଘ୍ର ଥଣ୍ଡା, କାଶ, ଜ୍ଵର ଓ ସଂକ୍ରମଣରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ତେବେ ଜାଣନ୍ତୁ କେମିତି ସହଜ ଘରୋଇ ଉପାୟରେ ଛୁଆଙ୍କ ଯତ୍ନ ନେଇପାରିବେ |
ଅଦିନିଆ ବର୍ଷା ଯୋଗୁଁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ହେବାସହ ପାଗ ମଧ୍ୟ ଥଣ୍ଡା ଥାଏ , ଯାହାର ସିଧା ପ୍ରଭାବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେପକାଇଥାଏ | ତେବେ ଏହିଭଳି ସମୟରେ ଆମ ରୋଷେଇ ଘରେ ଥିବା କିଛି ସାମଗ୍ରୀ ଓ ବାଡ଼ି ରେ ଥିବା କିଛି ଚେରମୂଳି ଗଛ କୌଣସି ଔଷଧରୁ କମ୍ ନୁହଁ | ତେବେ ଯଦି ପିଲାମାନଙ୍କ ଠାରେ ଥଣ୍ଡା,ଜର,କାଶ କିମ୍ବା ଥକାପଣ ଦେଖାଯାଏ ତେବେ, ଘରୋଇ ଉପାୟରେ ଏମିତି ନିୟନ୍ତୁ ପିଲାଙ୍କର ସଠିକ୍ ଯତ୍ନ |
ସହଜ ଘରୋଇ ଉପଚାର (Home Remedies):
1) ହଳଦୀ ଓ ଶୁଣ୍ଠୀ ଖୀର: ରାତିରେ ଶୋଇବା ପୂର୍ବରୁ ପିଲାଙ୍କୁ ଟିକିଏ ହଳଦୀ ଓ ଶୁଣ୍ଠୀ ମିଶା ଈଷତ୍ ଉଷୁମ ଖୀର ଦିଅନ୍ତୁ। ହଳଦୀରେ ଥିବା 'କରକ୍ୟୁମିନ ' ପ୍ରାକୃତିକ ଆଣ୍ଟି ବାୟୋଟିକର କାମ କରେ | ବର୍ଷା ଯୋଗୁଁ ହେଉଥିବା ତଣ୍ଟି ବଥା ଓ ଥଣ୍ଡା ଦୁରକରିବା ସହ ଏହା ଶରୀରକୁ ଭିତରୁ ଗରମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
2) ତୁଳସୀ, ଅଦା ଓ ମହୁ ର କାଢା : ଯଦି ଛୁଆକୁ ହାଲକା କାଶ କିମ୍ବା ନାକରୁ ପାଣି ବୋହୁଥିଲେ 4-5 ଟି ତୁଳସୀ ପତ୍ର, ଅଦା ଓ ଗୋଲମରିଚ କୁ ପାଣି ଅଧା ହେବାଯାଏଁ ଫୁଟାଇ ଦିଅନ୍ତୁ ,ଏହାପରେ କାଢ଼ାରେ ମହୁ ମିଶାଇ ଦିନକୁ ଦୁଇଥର ଦିଅନ୍ତୁ। (ଧ୍ୟାନ ରଖନ୍ତୁ ୧ ବର୍ଷରୁ କମ୍ ଶିଶୁଙ୍କୁ ମହୁ ଦିଅନ୍ତୁ ନାହିଁ।)
3) ଜୁଆଣି ଓ ରସୁଣ ପୋଟଳୀ ର ସେକ: ଛୁଆର ଛାତିରେ କଫ ଜମିଥିଲେ କିମ୍ବା ନିଃଶ୍ୱାସ ନେବାରେ ଅଳ୍ପ ଅସୁବିଧା ହେଉଥିଲେ ,ଜୁଆଣି ଓ ରସୁଣକୁ ତାୱା ରେ ଭାଜି ଏକ ସୁତା କପଡ଼ାରେ ପୋଟଳି ବାନ୍ଧି ଶିଶୁର ଛାତି, ପିଠି ଓ ପାଦରେ ହାଲୁକା ସେକ ଦିଅନ୍ତୁ। ଏହାଦ୍ୱାରା ଜମାଟ ବାନ୍ଧିଥିବା କଫ କମିଯାଏ।
4) ବାମ୍ଫ ଓ ଜାଇ ଫଳ : ଯଦି ପିଲାଟି ତିନି ବର୍ଷରୁ ବଡ ଅଛି,ତେବେ ତାକୁ ସାଧା ପାଣି କିମ୍ବା ଜୁଆଣି ପାଣିର ବାମ୍ଫ ଦିଅନ୍ତୁ | ଛୋଟ ଶିଶୁଙ୍କୁ ଅଳ୍ପ ଦୁଗ୍ଧରେ ଟିକେ ଜାଇଫଳ ଘୋରି ଛୁଆର ଛାତି ଓ ମଥାରେ ଲେପ ଦିଅନ୍ତୁ ଫଳରେ ଥଣ୍ଡାରୁ ତୁରନ୍ତ ଆରାମ ମିଳିବ |
ଘରେ ପାଳନ କରିବା ଭଳି କିଛି ଜରୁରୀ ସାବଧାନତା (Precautions):
କେବଳ ଘରୋଇ ଉପାୟ ଯଥେଷ୍ଟ ନୁହଁ,ବଦଳୁଥିବା ପାଣିପାଗ ପାଇଁ ରହଣି ସହଣୀ ଓ ଖାଦ୍ୟ ପେୟ ରେ କିଛି ସାବଧାନତା ମଧ୍ୟ ଜରୁରୀ |
A. କେବଳ ଫୁଟା ଉଷୁମ ପାଣି ପିଆନ୍ତୁ : ବର୍ଷା ସମୟରେ ଜଳ ସ୍ରୋତ ଶୀଘ୍ର ଦୂଷିତ ହେଇଯାଏ ଓ ସଂକ୍ରମଣ ବ୍ୟାପିବାର ଭୟ ଥାଏ। ପିଲାଙ୍କୁ ସଦାସର୍ବଦା ଫୁଟାଯାଇ ଥଣ୍ଡା କରାଯାଇଥିବା ଉଷୁମ ପାଣି ପିଇବାକୁ ଦିଅନ୍ତୁ।
B. ଓଦା କପଡ଼ାରୁ ବଞ୍ଚନ୍ତୁ : ପିଲାଙ୍କୁ ସମ୍ପୂର୍ଣ୍ଣ ଶୁଖିଲା ଓ ସୁତା କପଡ଼ା ପିନ୍ଧାନ୍ତୁ। ବର୍ଷାରେ ବାୟୁମଣ୍ଡଳ ଆଦ୍ର ଥିବା ଯୋଗୁଁ ଓଦାଳିଆ କପଡ଼ାରୁ ଚର୍ମ ରୋଗ ଓ ଥଣ୍ଡା ହେବାର ଆଶଙ୍କା ଥାଏ।
C. ଗରମ ଓ ତାଜା ଖାଦ୍ୟ: ପିଲାଙ୍କୁ ଫ୍ରିଜ୍ ଖାଦ୍ୟ, ଆଇସକ୍ରିମ୍ ,ପ୍ୟାକେଟ ଜୁସ୍ କିମ୍ବା ଥଣ୍ଡା ପାଣି ଆଦୌ ଦିଅନ୍ତୁ ନାହିଁ। ସେମାନଙ୍କୁ ଗରମ ସୁପ୍ (ଯେମିତିକି ଟମାଟର କିମ୍ବା ଡାଲିର) , ଦାଲିଆ ଓ ଗରମ ତାଜା ଖାଦ୍ୟ ଦିଅନ୍ତୁ।
D. ମଶା ଓ କୀଟ ପତଙ୍ଗଠୁ ରକ୍ଷା : ଏମିତି ବର୍ଷାରେ ଜାଗା ଜାଗାରେ ପାଣି ଜମାହେଇ ମଶା ସୃଷ୍ଟି ହୋଇଥାନ୍ତି ,ଘରେ ମଶାରୀ ଟାଙ୍ଗି ପିଲାଙ୍କୁ ଶୁଆନ୍ତୁ ଓ ଘର ଆଖପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ |
E. ଘର ଭିତରର ତାପମାତ୍ରା : ବର୍ଷା ବନ୍ଦ ହେଲା ପରେ ମଧ୍ୟ ପଙ୍ଖା କିମ୍ବା ଏସି ଚଲାଇଲେ ତାପମାତ୍ରା ନିୟନ୍ତ୍ରଣରେ ରଖନ୍ତୁ | ଓଦା କପଡ଼ାରେ ଛୁଆଙ୍କୁ ସିଧା ସଳଖ ପଙ୍ଖା ତଳେ ବସିବାକୁ ଦିଅନ୍ତୁ ନାହିଁ |
ଯଦିଓ ସାଧାରଣ ଲକ୍ଷଣ କିମ୍ବା ପ୍ରାରମ୍ଭିକ ଅବସ୍ଥାରେ ଘରୋଇ ଉପାୟ କାମ ଦେଇଥାଏ ତଥାପି ଯଦି, ଶିଶୁକୁ ଅତ୍ୟଧିକ ଜ୍ଵର ହୁଏ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ହୁଏ, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
