Paradeep Biswakarma Puja:ପାରାଦୀପରେ ବିଶ୍ୱକର୍ମା ପୂଜା ପ୍ରସ୍ତୁତି ଜୋରଦାର
ରଙ୍ଗିନ ଆଲୋକରେ ଝଲସିବ ବନ୍ଦର ନଗରୀ ପାରାଦୀପ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆରାଧନା ପାଇଁ ଏବେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ।
ପାରାଦୀପ: ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହେବ ବନ୍ଦର ନଗରୀ ପାରାଦୀପ । ବିଶ୍ୱକର୍ମା ପୂଜାକୁ ନେଇ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରର କାରିଗରମାନେ ମାସକ ପୂର୍ବରୁ ଆରମ୍ଭ କରିଥିବା କାମକୁ ଏବେ ଶେଷ ସ୍ପର୍ଶ ଦେଉଛନ୍ତି । ନିଜ ଅନୁଷ୍ଠାନ, ପ୍ରତିଷ୍ଠାନ ଓ କମ୍ପାନୀର ଶୁଭ ମନାସି ପ୍ରଭୁ ବିଶ୍ୱକର୍ମାଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି । କିଏ ମଣ୍ଡପ ସଜାଇବାରେ ବ୍ୟସ୍ତ ତ କିଏ ପୂଜା ପଡ଼ିଆକୁ ସଫାସୁତୁରା କରିବାରେ ଲାଗିଛି । ଆକର୍ଷଣୀୟ ଥିମ୍କୁ ନେଇ ମଣ୍ଡପଗୁଡ଼ିକରେ ଚାଲିଛି ସାଜସଜ୍ଜା । କେଉଁଠି ରାଜସ୍ଥାନର ରାଜମହଲର ରୂପ ଦିଆଯାଉଛି ତ ଆଉ କେଉଁଠି ଇଟାଲୀର ସୁନ୍ଦର ରାଜବାଟୀର ନକଲ କରାଯାଉଛି । ପ୍ରତିକୂଳ ପାଗ ସତ୍ତ୍ୱେ ଶିଳ୍ପୀମାନେ ଦିନରାତି ଏକ କରି ନିଜ କଳାକୃତିକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି । ଚଳିତ ବର୍ଷ ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନ୍ର ପୂଜା ମଣ୍ଡପକୁ ଏକ ଭିନ୍ନ ରୂପ ଦେବାକୁ ଚାଲିଛି ପ୍ରସ୍ତୁତି । ମଣ୍ଡପକୁ ପ୍ରଜାପତିର ଆକୃତି ଦେବା ସହ ବିଭିନ୍ନ ସ୍ଥାନରେ ବାଉଁଶ ପାତିଆରେ ସୁନ୍ଦର କାରୁକାର୍ଯ୍ୟ କରାଯାଉଛି । କେଉଁଠି ଆଦିବାସୀ ପରମ୍ପରାର ଝଲକ ଦେଖାଇବାକୁ ଉଦ୍ୟମ ହୋଇଛି ତ ଆଉ କେଉଁଠି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତିଛବିକୁ ମଣ୍ଡପରେ ସ୍ଥାନ ଦିଆଯାଇଛି । ଭିନ୍ନ ଅଢ଼ଙ୍ଗ ଓ ଭିନ୍ନ ଥିମ୍ରେ ପୂଜା ମଣ୍ଡପ ସହ ଭିତର ସାଜସଜ୍ଜାକୁ ନେଇ ଚାଲିଛି ପ୍ରତିଯୋଗିତା ।
ବିଶ୍ୱକର୍ମା ପୂଜାକୁ ନେଇ ପାରାଦୀପ ସହର ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସିବ। ପୂଜା ପଡ଼ିଆରେ ଜମିବ ଭିଡ଼ । ଆସିବେ ହଜାର ହଜାର ଆଗନ୍ତୁକ । ଦୋଳି, ମୀନାବଜାର ସାଙ୍ଗକୁ ଚାଟ୍ ଓ ଚଟ୍ପଟିର ମଜା ନେବେ ଶ୍ରଦ୍ଧାଳୁ । ଏହାସହ ଅପେରା, ମେଲୋଡି ଓ ଭଜନ ସନ୍ଧ୍ୟା ଭଳି କାର୍ଯ୍ୟକ୍ରମରେ ରାତି ଜମିବାକୁ ଥିବାବେଳେ ପୂଜା ମଣ୍ଡପ ଓ ଭିତର ସାଜସଜ୍ଜାକୁ ନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ହେବ ପ୍ରତିଯୋଗିତା । କେଉଁ ମଣ୍ଡପ ହାତେଇବ ପ୍ରଥମ ପୁରସ୍କାର, ତାକୁ ନେଇ ଏବେଠାରୁ ବଢ଼ିଛି ଉତ୍କଣ୍ଠା ।
ସୁରକ୍ଷା ପାଇଁ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା
ପ୍ରବଳ ଜନସମାଗମକୁ ନଜରରେ ରଖି ପୋଲିସ ଓ ପ୍ରଶାସନ ମଧ୍ୟ ସଜାଗ ହୋଇଛନ୍ତି । ପୂଜା ପଡ଼ିଆ ଉପରେ ସିସିଟିଭି ମାଧ୍ୟମରେ କଡ଼ା ନଜର ରଖାଯିବ । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ପ୍ରତିକୂଳ ପାଗ ସତ୍ତ୍ୱେ ଚଳିତ ବର୍ଷ ପ୍ରବଳ ଜନସମାଗମ ହେବ ବୋଲି ଆଶା ରଖିଛନ୍ତି ଆୟୋଜକ । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ତେବେ ଚଳିତ ବର୍ଷ କେଉଁ ମଣ୍ଡପ ହାତେଇବ ପ୍ରଥମ ପୁରସ୍କାର, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
