Nuakhai in Sonepur : ନୂଆଁଖାଇରେ ସୋନପୁରର ନିଆରା ପରମ୍ପରା ‘ପାହୁର’
ପଶ୍ଚିମ ଓଡିଶାର ଲୋକପର୍ବ ନୂଆଁଖାଇ ପାଇଁ ରହିଛି କେତେ ରୀତି ରିବାଜ, କେତେ ପରମ୍ପରା ।ଏହିପରି ସୋନପୁର ଗଡଜାତରେ ନୂଆଁଖାଇ ଦିନ ଲୋକେ ଖାଲି ଯେ ଅନ୍ନବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ ।

ପଶ୍ଚିମ ଓଡିଶାର ଲୋକପର୍ବ ନୂଆଁଖାଇ ପାଇଁ ରହିଛି କେତେ ରୀତି ରିବାଜ, କେତେ ପରମ୍ପରା ।ଏହିପରି ସୋନପୁର ଗଡଜାତରେ ନୂଆଁଖାଇ ଦିନ ଲୋକେ ଖାଲି ଯେ ଅନ୍ନବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ । ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ସମେତ ସହରର ଅଷ୍ଟଚଣ୍ଡୀଙ୍କ ପାଖକୁ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଯାଏ ପାହୁର | ସୋନପୁର ଗଡଜାତର ରାଜା ମହାରାଜାମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରି ଯାଇଛନ୍ତି ନୂଆଁଖାଇ ପାଇଁ । ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ ।ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଏ । ପାହୁରରେ ଖଞ୍ଜାରେ କୁରେଇପତ୍ରରେ ତିଆରି ଖଲି ସହିତ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବା, ପୀଠାପଣା ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି ରାଜୁଡା ଅମଳରୁ | ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟର ଏକ ବଡପଟୁଆରରେ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଯାଉଛି ଅଷ୍ଟଚଣ୍ଡୀ ଓ ହନୁମାନଙ୍କ ପାଖକୁ । ନିର୍ଦ୍ଧାରିତ ଲଗ୍ନ ଅନୁଯାଇ ଦେବା ଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡଜାତର ଅଞ୍ଚଳ ବାସୀ ତଥା ବୌଦ୍ଧଜିଲ୍ଲାର ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରନ୍ତି । ଚଳିତ ବର୍ଷ ଠିକ୍ ସମୟରେ, ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀ ମନ୍ଦିରରୁ ପାହୁର ଶୋଭାଯାତ୍ରା ବାହାରି ଅଷ୍ଟଚଣ୍ଡୀଙ୍କ ପୀଠରେ ପହଞ୍ଚିଥିଲା ବୋଲି କହିଛନ୍ତି ସୁବର୍ଣ୍ଣପୁରର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ପାହୁର କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ | ସ୍ଥାନୀୟ ବାସିନ୍ଦା ଘାସିରାମ ପଣ୍ଡାଙ୍କ ଅନୁସାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଦେବାଦେବୀଙ୍କ ପାଖରେ ନୂଆଁ ସମର୍ପଣ କରାଯାଏ । ଇଷ୍ଟଦେବୀ ମାଁ ଙ୍କ ପାଖରେ ପାହୁର ଲାଗିବା ପରେ ଗଡଜାତବାସୀଙ୍କୁ ଆତସବାଜୀ ଦ୍ୱାରା ଜଣାଇ ଦିଆଯାଏ ନବାନ୍ନ ଗ୍ରହଣ କରିବାକୁ । ପୂର୍ବରୁ ରାଜପ୍ରସାଦରୁ ଏହି ପାହୁର ଯାଉଥିଲା । ହେଲେ ରାଜୁଡା ଶାସନ ପରେ ଏହି ଦାୟୀତ୍ୱ ସୁବର୍ଣ୍ଣପୁର ପୌରପରିଷଦ ନେଇଛନ୍ତି । ତଥାପି ସୁବର୍ଣ୍ଣପୁରରେ ରାଜ ପରିବାରର ସଦସ୍ଯଙ୍କୁ ଡକାଯାଇ ପାହୁର ଭୋଗ ବଣ୍ଟାଯାଇ ଅଷ୍ଟଚଣୀଙ୍କୁ ସମର୍ପଣ କରିବା ପରମ୍ପରାକୁ ବଂଚାଇ ରଖିଛନ୍ତି ଜିଲ୍ଲାବାସୀ ।ନୂଆଖାଇ ପରି ଏକ କୃଷିଭିତ୍ତିକ ପର୍ବରେ ମଣିଷର ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ଦେବାଦେବୀ ବି ବାନ୍ଧି ହୋଇ ରହିଛନ୍ତି ପାହୁର ଭଳି ପରମ୍ପରାରେ ।ଆଜି ବି ଏ ପରମ୍ପରା କୁ ବଜାୟ ରଖାଯାଇ ସୁବର୍ଣ୍ଣପୁର ଜିଲ୍ଲାରେ ନିଆରା ଢଙ୍ଗରେ ପାଳନ କରାଯାଉଛି ନୁଆଁଖାଇ ।
