ବିଜେପି ଗଡ଼ରେ ପଶି ହରାଇବି- ପିକେ

ଅମାନତ ହରାଇଥିବା ପିକେ କହୁଛନ୍ତି, ବିଜେପି ଗଡ଼ରେ ପଶି ହରାଇବୁ
ଶୋଚନୀୟ ହାର ପରେ ବି ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ବିହାର ଉପନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଲାଣି। ପାଟନାର ବାଙ୍କିପୁର ଆସନରେ ହେବାକୁ ଥିବା ଉପନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛନ୍ତି ପିକେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ଆସନ ଖାଲି ପଡ଼ିଛି। ଆଉ ଏଠାରେ ଉପନିର୍ବାଚନ ହେବ। ପ୍ରଶାନ୍ତ କିଶୋର ଦମ୍ଭୋକ୍ତି ଦେଖାଇଛନ୍ତି ଯେ, ସେ ଉପନିର୍ବାଚନ ମଝଭୁତି ସହ ଲଢ଼ିବେ। ଆଉ ବିଜେପି ଗଡ଼ରେ ପଶି ହରାଇବେ। ଗଲା ନିର୍ବାଚନରେ ପିକେଙ୍କ ପାର୍ଟି ୨୩୮ ଆସନରେ ପ୍ରାର୍ଥୀ ଦେଇଥିଲା। ଆଉ ଖାତା ଖୋଲିପାରିନଥିଲା। ପିକେ ଦାବି କରିଛନ୍ତି ଯେ, ଉପନିର୍ବାଚନରେ ବିଜେପି ସହ କେବଳ ତାଙ୍କ ଦଳର ସିଧା ଲଢ଼େଇ ହେବ। ପିକେ କହିଛନ୍ତି, ଏହି ସିଟରେ ଗଲା ୪୦ରୁ ୪୫ ବର୍ଷ ହେଲା ଗୋଟିଏ ପରିବାର ଜିତୁଥିଲା। ଆରଜେଡି ଓ କଂଗ୍ରେସ ଅନେକ ଥର ହାରର ସମ୍ମୁଖୀନ ହୋଇଛି। ସେଥିଲାଗି ଜନସୁରାଜ ଦଳ ବିଜେପି ଗଡ଼ରେ ପଶି ହରାଇବ। ପାଟନାର ବାଙ୍କିପୁର ସିଟରି ନୀତିନ ନବୀନ ଲଗାତାର ୫ଥର ବିଧାୟକ ଭାବେ ଜିତିଛନ୍ତି। ୨୦୦୮ ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ଏହି ଆସନର ନାଁ ପାଟନା ପଶ୍ଚିମ ଥିଲା। ନୀତିନଙ୍କ ପୂର୍ବରୁ ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବି ଲଗାତାର ୪ଥର ଏହି ଆସନରୁ ଜିତି ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ସେଥିଲାଗି ବାଙ୍କିପୁର ଆସନକୁ ବିଜେପିର ଗଡ଼ କୁହାଯାଏ। ୨୦୨୫ ବିଧାନସଭା ନିର୍ବାଚନରେ ନୀତିନ ନବୀନ ଆରଜେଡିର ରେଖା କୁମାରୀଙ୍କୁ ୫୧ହଜାର ଭୋଟ ବ୍ୟବଧାନରେ ହରାଇଥିଲେ। ଏ ନିର୍ବାଚନରେ ଜନସୁରାଜ ପାର୍ଟିରୁ ବନ୍ଦନା କୁମାରୀ ମାତ୍ର ୭ହଜାର୭୧୭ ଭୋଟ ପାଇଥିଲେ। ସେ ଅମାନତ ହରାଇଦେଲେ। ନୀତିନ ନବୀନ ରାଜ୍ୟସଭା ସାଂସଦ ହେବା ପରେ ଗଲା ମାର୍ଚ୍ଚରେ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ନିର୍ବାଚନ କମିଶନ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିବେ। ନିୟମ ଅନୁସାରେ ଖାଲି ହୋଇଥିବା ଆସନରେ ୬ ମାସ ଭିତରେ ନିର୍ବାଚନ କରିବା ଅନିର୍ବାର୍ଯ୍ୟ।
