After 80yr Village Plight:୮୦ ବର୍ଷ ପରେ ବି ଦୀପାଞ୍ଚଳ ଘେରା ଗାଁ
ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଆଜିବି ଦୀପାଞ୍ଚଳ ଘେରିରେ ଅଛନ୍ତି ରାଜକନିକା ବ୍ଲକ ଅଧୀନ ତ୍ରୈଲୋକପୁର ପଞ୍ଚାୟତ ଅଧୀନ ଗଙ୍ଗାଧର ପ୍ରସାଦଡିହା ଗାଁ।ଖରସ୍ରୋତାରେ ଘେରା ଗଙ୍ଗାଧର ପ୍ରସାଦ ଡିହା; ମୌଳିକ ସୁବିଧା ଦାବିରେ ୮ କିମି ରାଲି, ତହସିଲ ସମ୍ମୁଖରେ ଆମରଣ ଅନଶନ

କେନ୍ଦ୍ରାପଡ଼ା/ରାଜକନିକା: ସ୍ୱାଧୀନତାର ୮୦ ବର୍ଷ ପରେ ବି ଯେଉଁଠି ଯୋଗାଯୋଗର ସମସ୍ୟା ଦୂର ହୋଇନି, ସେଭଳି ଏକ ଗାଁ ହେଉଛି ରାଜକନିକା ବ୍ଲକ ଅନ୍ତର୍ଗତ ତ୍ରୈଲୋକ୍ୟପୁର ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଡିହା। ପ୍ରାୟ ଦୁଇ ହଜାର ଲୋକଙ୍କ ବାସସ୍ଥାନ ଏହି ଗାଁକୁ ଚାରିପଟୁ ଘେରି ରହିଛି ଖରସ୍ରୋତା ନଦୀ। ନଦୀ ଘେରା ଜୀବନ ଏଠାକାର ଲୋକଙ୍କ ପାଇଁ ନୂଆ ନୁହେଁ। ତେବେ ନଦୀରେ କୁମ୍ଭୀର ଉପଦ୍ରବ, ଡଙ୍ଗା ଯାତାୟାତର ବିପଦ ଏବଂ ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାମବାସୀଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଥିବା ଅଭିଯୋଗ ହୋଇଛି।
ଦାବି ପୂରଣ ପାଇଁ ରାଜରାସ୍ତାରେ ଗ୍ରାମବାସୀ
ବାରମ୍ବାର ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଓ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟ ହୋଇ ଆଜି ଗାଁର ଶତାଧିକ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ମହିଳା, ବୃଦ୍ଧ ଓ ଅନ୍ୟ ଗ୍ରାମବାସୀ ପ୍ରାୟ ୮ କିଲୋମିଟର ରାଲି କରି କନିକା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ଗଙ୍ଗାଧର ପ୍ରସାଦ ଡିହାର ଗ୍ରାମବାସୀ।
ଜୀବନ ଏଠି ବିପଦରେ
ଗ୍ରାମବାସୀଙ୍କ କହିବା ଅନୁସାରେ, ଖରସ୍ରୋତା ନଦୀ ପାର ହେବା ସମୟରେ ଅନେକଥର ଦୁର୍ଘଟଣା ଘଟୁଛି। ନଦୀରେ କୁମ୍ଭୀର ଥିବାରୁ ଲୋକେ ଆକ୍ରମଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ରହିଛି। ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଗାଁର ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଏ।
ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଦୈନନ୍ଦିନ ଯାତାୟାତ—ପ୍ରତ୍ୟେକ କ୍ଷେତ୍ରରେ ନଦୀ ଘେରା ଗାଁର ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଦାବି କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି—୮୦ ବର୍ଷ ପରେ ବି ଗୋଟିଏ ଗାଁ କେବେ ଏହି ଦୀପାଞ୍ଚଳ ଜୀବନରୁ ମୁକ୍ତ ହେବ? ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ଉପରେ ପ୍ରଶାସନ କେବେ ଠୋସ ପଦକ୍ଷେପ ନେବ, ତାହାକୁ ଅପେକ୍ଷା କରିଛନ୍ତି ଗଙ୍ଗାଧର ପ୍ରସାଦ ଡିହାବାସୀ।
