Surajpur Double Murder: ମା’-ଝିଅ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ, ଜଣଙ୍କୁ ଜେଲ୍
ଛତିଶଗଡ଼ର ସୁରଜପୁର ଜିଲ୍ଲାରେ ଜଣେ ହେଡ୍ କନଷ୍ଟେବଳଙ୍କ ପତ୍ନୀ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ତିନି ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଚତୁର୍ଥ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ଛତିଶଗଡ଼:ଛତିଶଗଡ଼ର ସୂରଜପୁର ଜିଲ୍ଲାରେ ପୋଲିସ ହେଡ୍ କନଷ୍ଟେବଳଙ୍କ ପତ୍ନୀ ଓ ନାବାଳିକା ଝିଅଙ୍କ ହତ୍ୟା ମାମଲାରେ କୋର୍ଟ ଗୁରୁବାର, ଅକ୍ଟୋବର ୮ରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ କୁଲଦୀପ ସାହୁଙ୍କ ସମେତ ତିନି ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିବାବେଳେ ଚତୁର୍ଥ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଜିଲ୍ଲା ଓ ଅତିରିକ୍ତ ଦୌରାଜଜ୍ ଆନନ୍ଦ ପ୍ରକାଶ ୱାରିୟାଲଙ୍କ ଅଦାଲତ କୁଲଦୀପ ସାହୁ, ଚନ୍ଦ୍ରକାନ୍ତ ଚୌଧୁରୀ ଓ ଫୁଲ ସିଂହ ଓରଫ ରିଙ୍କୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଅନ୍ୟ ଦୋଷୀ ଆର୍ୟନ ବିଶ୍ୱକର୍ମା ଓରଫ ଗୋଲ୍ଡିଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ବିଚାରପତି ଆନନ୍ଦ ପ୍ରକାଶ ଭାରିୟାଲଙ୍କ ଅଦାଲତ ଉଲ୍ଲେଖ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଏବଂ ପୂର୍ବ-ପରିକଳ୍ପିତ ଉପାୟରେ ଘଟାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ, ଅଦାଲତ ସେପ୍ଟେମ୍ବର ୨୮ ତାରିଖରେ ଉକ୍ତ ଚାରିଜଣ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୋଗକାରୀ ପକ୍ଷଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ସାହୁଙ୍କର ହେଡ୍ କନଷ୍ଟେବଳ ତାଲିବ୍ ଶେଖ୍ଙ୍କ ସହ ଦୀର୍ଘଦିନ ଧରି ବିବାଦ ଚାଲିଆସୁଥିଲା।ଏହି କାରଣରୁ, ୨୦୨୪ ମସିହା ଅକ୍ଟୋବର ୧୩ ତାରିଖରେ ସେ ଦୁର୍ଗା ବିସର୍ଜନ ଶୋଭାଯାତ୍ରା ସମୟରେ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ଉପରେ ଫୁଟନ୍ତା ତେଲ ଢାଳି ଦେଇଥିଲେ। ଯେତେବେଳେ ପୋଲିସ କର୍ମଚାରୀମାନେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଲେ, ସେତେବେଳେ ସେ କାର୍ ଚଢ଼ାଇବାକୁ ମଧ୍ୟ ଉଦ୍ୟମ କରିଥିଲେ।
ଏହାପରେ କୁଲଦୀପ ଓ ତାଙ୍କର ଅନ୍ୟ ତିନି ସହଯୋଗୀ ହେଡ୍ କନଷ୍ଟେବଳଙ୍କ ଘରେ ପଶିଥିଲେ। ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିବା ପରେ ମା’-ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପୋଷ୍ଟ-ମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ପତ୍ନୀଙ୍କ ଶରୀରରେ ଧାରୁଆ ଅସ୍ତ୍ରାଘାତର ୩୭ଟି ଏବଂ ସେମାନଙ୍କ ନାବାଳିକା ଝିଅଙ୍କ ଶରୀରରେ ୨୮ଟି କ୍ଷତଚିହ୍ନ ରହିଥିଲା। ସେତେବେଳେ ହେଡ୍ କନଷ୍ଟେବଲ୍ ଘରେ ନଥିଲେ। ହତ୍ୟାକାଣ୍ଡ ପରେ, ଉଭୟ ମୃତଦେହକୁ ଘଟଣାସ୍ଥଳଠାରୁ ଦୂରରେ ଥିବା ପିଢ଼ା ଗ୍ରାମରେ ଫିଙ୍ଗି ଦିଆଯାଇଥିଲା। ଅଦାଲତ ଅପରାଧର ଗମ୍ଭୀରତାକୁ ବିଚାରକୁ ନେଇ ଏହି ଦଣ୍ଡ ଶୁଣାଇଛନ୍ତି। ତେବେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ଆବଶ୍ୟକ।
