US House moves bill 100 per cent tariffs: ଭାରତ ଆମେରିକା ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ଆଶଙ୍କା : 100% ଶୁଳ୍କ ଲଗାଇବାକୁ ଟ୍ରମ୍ପଙ୍କୁ କ୍ଷମତା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୁଷରୁ ଅଶୌଧିତ ତେଲ ଓ ପ୍ରାକୃତିକ ଗ୍ୟାସ୍ କ୍ରୟ କରୁଥିବା ଭାରତ ଏବଂ ଚୀନ୍ ଭଳି ପ୍ରମୁଖ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କଠୋର ସୀମା ଶୁଳ୍କ (ଟ୍ୟାରିଫ୍) ଲଗାଇବାର ବ୍ୟାପକ କ୍ଷମତା ମିଳିବ।
ଆମେରିକା ପ୍ରତିନିଧି ସଭା 'ଲିଣ୍ଡସେ ଓ ଗ୍ରାହମ୍ ସାଙ୍କସନିଂ ରୁଷ ଆଣ୍ଡ ଇରାନ ଆକ୍ଟ ୨୦୨୬' ବିଲ୍ କୁ ଆଗକୁ ବଢ଼ାଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାଗତ ବାଧା ପାର କରିଛି। ଏହି ପ୍ରସ୍ତାବିତ ଆଇନ ବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୁଷରୁ ଅଶୌଧିତ ତେଲ ଓ ପ୍ରାକୃତିକ ଗ୍ୟାସ୍ କ୍ରୟ କରୁଥିବା ଭାରତ ଏବଂ ଚୀନ୍ ଭଳି ପ୍ରମୁଖ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କଠୋର ସୀମା ଶୁଳ୍କ (ଟ୍ୟାରିଫ୍) ଲଗାଇବାର ବ୍ୟାପକ କ୍ଷମତା ମିଳିବ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ମତଦାନରେ ଦୁଇଜଣ ଡେମୋକ୍ରାଟିକ୍ ସାଂସଦ ରିପବ୍ଲିକାନ୍ ଦଳକୁ ସମର୍ଥନ କରିବାରୁ ଏହି ପ୍ରସ୍ତାବଟି ୨୧୪-୨୧୧ ମତରେ ପାରିତ ହୋଇଥିଲା | ଏହାର ମୁଖ୍ୟ ଉଦ୍ଦେଶ୍ୟ ରୁଷର ଉର୍ଜା ରାଜସ୍ବ କୁ ସମାପ୍ତ କରିବା ଓ ୟୁକ୍ରେନ୍ ଆକ୍ରମଣ ପାଇଁ ଆର୍ଥିକ ସମ୍ବଳ ପ୍ରବାହକୁ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଛି | ଆମେରିକୀୟ ସିନେଟ୍ ଆଗରୁ ହିଁ ଗତ ଅଗଷ୍ଟ ୭ ତାରିଖରେ ଏହି ବିଲ୍ ୮୬-୧୧ ଭୋଟରେ ଗୃହିତ କରିସାରିଥିବାବେଳେ ଆଜି ବୁଧବାର ହାଉସ୍ରେ ଚୂଡ଼ାନ୍ତ ମତଦାନ ହେବାପରେ ଚୂଡାନ୍ତ ମଞ୍ଜୁରୀ ନିମନ୍ତେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖକୁ ପଠାଯିବ। ଆମେରିକାର କେତେକ ବରିଷ୍ଠ ଡେମୋକ୍ରାଟ୍ ସାଂସଦ ଟ୍ରମ୍ପଙ୍କୁ ଅସୀମିତ ଟ୍ୟାରିଫ୍ କ୍ଷମତା ପ୍ରଦାନକୁ ବିରୋଧ କରୁଛନ୍ତି ଓ ଏହି ପଦକ୍ଷେପ ରେ ଆମେରିକୀ ଉପୋଭୋକ୍ତାଙ୍କୁ ଦରଦାମ ବଢିବା ଓ ଅନ୍ତରାଷ୍ଟ୍ରୀୟ ସହଯୋଗୀଙ୍କ ସହ ସମ୍ବନ୍ଧ ଖରାପ ହେବା ନେଇ ତର୍କ ରଖିଛନ୍ତି | ଏହି ବିଲ୍ ଆଇନରେ ପରିଣତ ହେଲେ ଭାରତର ଆମେରିକାକୁ ହେଉଥିବା ରପ୍ତାନି ଏବଂ ଶକ୍ତି ନୀତି ଉପରେ ଗମ୍ଭୀର ପ୍ରଭାବ ପଡ଼ିବାର ସମ୍ଭାବନା ରହୁଛି |
