ବିଜୟନଙ୍କ ଘରେ ଇଡି ରେଡ୍

ମନିଲଣ୍ଡରିଂ ମାମଲା- ଝିଅ ପାଇଁ ଫସିଲେ ବିଜୟନ!
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ରେଡ୍। ଝିଅର କମ୍ପାନୀ ପାଇଁ ଫସିଲେ ବିଜୟନ। ଇଡି ଘର ସମେତ ୧୦ଟି ଜାଗାରେ ରେଡ୍ କରିଛି। ବିଜୟନଙ୍କ ଝିଅ ଟି ବୀଣା ଏକ୍ସାଲୋଜିକ୍ ସଲ୍ୟୁସନର ମାଲିକାଣୀ ଅଟନ୍ତି। ଏହି କମ୍ପାନୀରେ ଆର୍ଥିକ ଅନିୟମିତତାର ଯାଞ୍ଚ ଲାଗି ଏହି ରେଡ୍ ହୋଇଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ୍ (ସିଏମଆରଏଲ) ଭ୍ରଷ୍ଟାଚାର ମାମଲା ସହ ଜଡ଼ିତ ମନି ଲଣ୍ଡରିଂକୁ ନେଇ ଚଢ଼ାଉ ହୋଇଛି। ସିଏମଆରଏଲ କେରଳର ଏକ କମ୍ପାନୀ ଅଟେ। ଯିଏ ସିନ୍ଥେଟିକ ରୁଟାଇଲ ଓ ଉଦ୍ୟୋଗିକ ରାସାୟନିକ ପଦାର୍ଥ ନିର୍ମାଣ କରେ। ଏହା ଏକ୍ସଲୋଜିକ ସଲ୍ୟୁସନର ଏକ ଆଇଟି ଫାର୍ମ ଅଟେ। ଏକ୍ସଲୋଜି ଫାର୍ମ ଉପରେ ଆରୋପ ଥିଲା କି, ସେ ସିଏମଆରଏଲରୁ ମୋଟା ଅଙ୍କର ଅର୍ଥ ନେଇଛି। କିନ୍ତୁ ବଦଳରେ କୌଣସି ଆଇଟି ସର୍ଭିସ ଦେଲାନି। ସିଏମଆରଏଲରେ କେରଳ ଷ୍ଟେଟ୍ ଇଣ୍ଡଷ୍ଟ୍ରିଆଲ୍ ଡେଭେଲପମେଣ୍ଟ କର୍ପୋରେସନର ୧୩.୪ ପ୍ରତିଶତ ଅଂଶୀଦାର ରହିଛି। ଏହି ମାମଲା କେରଳ ରାଜନୀତିରେ ବଡ଼ ବବାଲ ସୃଷ୍ଟି କରିଛି। ଇଡି ରେଡ୍ ବିରୁଦ୍ଧରେ ବିଜୟନଙ୍କ ବାସଭବନ ଆଗରେ ଆନ୍ଦୋଳନ କରିଛନ୍ତି ସିପିଏମ କର୍ମୀ। ଏହି ରେଡ୍ ପଛରେ ଏକାକୀ ବିଜେପିର ହାତ ନାହିଁ। ଏଥିରେ କଂଗ୍ରେସ ହାତ ମିଳାଇଛି ବୋଲି ଆରୋପ ଲଦିଛନ୍ତି ସାଂସଦ ଜୋନ ବ୍ରିଟାସ। ଇଡି, ଭିଡି ଓ ମୋଦିଙ୍କ ମିଳିତ ଷଡ଼ଯନ୍ତ୍ର।
ଅଗଷ୍ଟ ୨୦୨୩ରେ ଏ ମାମଲା ସାମ୍ନାକୁ ଆସିଥିଲା। ଏକ୍ସାଲୋଜିକ କମ୍ପାନୀ ୨୦୧୭ରୁ ୨୦୨୦ ଯାଏଁ ସିଏମଆରଏଲ କମ୍ପାନୀରୁ ମୋଟ୍ ୧.୭୨ କୋଟି ଟଙ୍କା ନେଇଥିଲା। କିନ୍ତୁ ପ୍ରତିବଦଳରେ କୌଣସି ସର୍ଭିସ ଦେଲାନି। ଏହାର ତଦନ୍ତ ଭାର ନେଇଥିଲା ସିରିୟସ ଫ୍ରଡ୍ ଇନଭେଷ୍ଟିଗେସନ ଅଫିସ ବା ଏସଏଫଆଇଓ। ପ୍ରାୟ ୨ ବର୍ଷ ପରେ କେନ୍ଦ୍ର କର୍ପୋରେଟ ବ୍ୟାପାର ବିଭାଗକୁ ତଦନ୍ତ ରିପୋର୍ଟ ଦେଇଥିଲା ଏସଏଫଆଇଓ। ଏପ୍ରିଲ ୨୦୨୫ରେ ମନ୍ତ୍ରାଳୟ କଥିତ ମାମଲାରେ ଟି ବୀଣାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ନିର୍ଦେଶ ଦେଇଥିଲା। ତଦନ୍ତ ଏଜେନ୍ସି କହିଥିଲା, ଏକ୍ସାଲୋଜିକ ଓ ସିଏମଆରଏଲ ଦୁଇ ସଂସ୍ଥା ଭିତରେ ଔପଚାରିକ ବୁଝାମଣାରେ ହସ୍ତାକ୍ଷର ହୋଇଥିଲା। ଆଉ ଯାହା ଭରଣା କରାଯାଇଥିଲା, ତାହା ବିଲକୁଲ ବେଆଇନ ଥିଲା। ମଙ୍ଗଳବାର କେରଳ ହାଇକୋର୍ଟ ବି ସିଏମଆରଏଲର ଆବେଦନକୁ ଖାରଜ କରିଦେଇଥିଲେ। ଇଡି କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବାକୁ ପିଟିସନ କରିଥିଲା ସିଏମଆରଏଲ। ଏହି ଅଭିଯୋଗର ଯାଞ୍ଚ ଲାଗି ୨୦୨୪ରେ ପିଏମଏଲ ଆଧାରରେ ମାମଲା ରୁଜୁ କରିଥିଲା ଇଡି। ଏହି ରେଡ୍ ପଛରେ ମୁଖ୍ୟମନ୍ତ୍ରୀ ଭିଡି ସତୀଶାନଙ୍କ ହାତ ଥିବା ଆରୋପ ଲଦିଛି ସିପିଆଇଏମ। ପ୍ରଧାନମନ୍ତ୍ରୀଙ୍କୁ ସତୀଶାନ ଭେଟିବା ପରେ ଏହି ରେଡ୍ ହୋଇଛି। ଗୃହ ମନ୍ତ୍ରୀ ରମେଶ ଚେନ୍ନିଥାଲ କହିଛନ୍ତି, ବିଜେପି ସହ ସିପିଆଇଏମ ଭିତରେ ଗୁପ୍ତ ବୁଝାମଣା ହୋଇଥିଲା। କଂଗ୍ରେସ ବିଜେପି ଓ ସିପିଆଇଏମ ବିରୁଦ୍ଧରେ ଲଢ଼ି କ୍ଷମତାକୁ ଆସିଛି। ବିଜୟନଙ୍କ ଝିଅ ବୀଣାଙ୍କ ବିରୁଦ୍ଧରେ ୨୦୨୩ କମ୍ପାନୀ ଆକ୍ଟ ଧାରା ୪୪୭ରେ ମାମଲା ରୁଜୁ ହୋଇଛି। ଦୋଷୀ ସାବ୍ୟସ୍ତ ହେଲେ ୬ ମାସରୁ ନେଇ ୧୦ ବର୍ଷ ଯାଏ ସଜ୍ଜା ହୋଇପାରେ। ଏହା ସହ ଯେତିକି ଟଙ୍କାର ହେରଫେର କରିଛନ୍ତି, ତାହାର ୩ ଗୁଣାରୁ ଅଧିକ ଭରଣା କରିବାକୁ ପଡ଼ିବ।
