Latest Newsଓଡ଼ିଶା

ବିଦ୍ୟାଳୟ ଛପର ଉଡେଇନେଲା କାଳବୈଶାଖୀ, ୭ଜଣ କୁନି ଛାତ୍ରଛାତ୍ରୀ ଆହତ

ହରିଚନ୍ଦନପୁର : ବର୍ତମାନ ଅସୟ ଗୁଳୁଗୁଳି ସାଙ୍ଗକୁ କାଳବୈଶାଖୀ ବର୍ଷା ସହ ପବନରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି  । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷାନୁଷ୍ଠାନ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମପଂଚାୟତ ଟିଗିରିଆ ଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛପର ଉଡେଇନେଲା କାଳବୈଶାଖୀ । ୭ଜଣ କୁନି ଛାତ୍ରଛାତ୍ରୀ ଆହତ ହୋଇଛନ୍ତି  । ସେମାନଙ୍କୁ ଆହତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଛନ୍ତି  । ବିଶେଷତ୍ୱରୁ ପ୍ରକାଶ ଯେ ଉକ୍ତ ଗ୍ରାମପଂଚାୟତ ମାଟିହୁଡି ଗ୍ରାମର ତ୍ରିଲୋଚନ ମହାନ୍ତ ନାମକ ବ୍ୟକ୍ତି ଟିଗିରିଆ ଗ୍ରାମ୍ୟ ଖସରା ଜଙ୍ଗଲକୁ ସଫା କରି ବେନିୟମ ଭାବେ ବିଦ୍ୟାଳୟ ନିର୍ମାଣ କରିଥିଲେ  । ଗ୍ରାମବାସୀଙ୍କ ବିରୋଧ ସତ୍ୱେ ବି ରାତି ଅଧିଆ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ବିଦ୍ୟାଳୟ ଗୃହ ନିର୍ମାଣ କରିବାରେ ସଫଳ ହୋଇଥିଲେ  । ସେଠାରେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ୍ୱ ହେବ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନାମରେ ବିଦ୍ୟାଳୟ ଖୋଲି ସେଠାରେ ଅସୁରକ୍ଷିତ ଗୃହରେ ୪୦ରୁ ଉର୍ଦ୍ଧ୍ୱ କୁନି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖି ଶିକ୍ଷାଦାନ ଦେଉଥିଲେ  । ହେଲେ ବୁଧବାର ଅପରାହ୍ନ ସମୟର କାଳବୈଶାଖୀ ବିଦ୍ୟାଳୟକୁ ଭାଙ୍ଗିରୁଜି ଛାରଖାର କରିଥିବା ବେଳେ ଅଳ୍ପକେ ବର୍ତିଗଲେ ୪୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ  । ସେଥିମଧ୍ୟରୁ ଛୋଟୁଙ୍ଗ ଗ୍ରାମର ୪ର୍ଥ ଶ୍ରେଣୀର ଛାତ୍ର ସତ୍ୟଜିତ ଦେହୁରୀ ଓ ଚିଲିକିଧରା ଗ୍ରାମର ମୁକେଶ ପାତ୍ର, ସାନ୍ତରାପୁର ଗ୍ରାମର ୩ୟ ଶ୍ରେଣୀର ଛାତ୍ର ସୁଭମ ମହାନ୍ତ, ସାନଶିଆଡିମାଳ ଗ୍ରାମର ଧର୍ମପ୍ରସାଦ ମୁଣ୍ଡା, ୧ମ ଶ୍ରେଣୀର ଛାତ୍ର ତପୁ ମୁଣ୍ଡା, ଅଁଳାଯୋଡ଼ି ଗ୍ରାମର ରାଜେଶ୍ୱର ମୁଣ୍ଡା, ଏବଂ କଂଟୁଳା ଗ୍ରାମର ଛାତ୍ରୀ ଦୀପିକା ମହାନ୍ତ ଆହାତ ହୋଇଛନ୍ତି  । ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି  । ଏଠାରେ ବଡ଼ ପ୍ରଶ୍ନ ଯେ ବର୍ତମାନ ଭୀଷଣ ଗରମ ସହ ଗୁଳୁଗୁଳି ନିମନ୍ତେ ସରକାରଙ୍କ ନିଦେ୍ର୍ଦଶ କ୍ରମେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ କିଭଳି ଏହି ବିଦ୍ୟାଳୟ ଖୋଲା ରହିଥିଲା  । ଅଭିଭାବକଙ୍କ କହିବା ଅନୁସାରେ ସ୍କୁଲର ମାଲିକ ତ୍ରିଲୋଚନ ମହାନ୍ତ ଟିଉସନ୍ ସହ କୋଚିଂ ଦିଆଯିବ କହି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡ଼ିବା ପାଇଁ କହିଥିଲେ  । ତେଣୁ ଆମେ ତାଙ୍କ କଥା ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଛାଡ଼ିଥିଲୁ  । ଅନ୍ୟପଟେ ଅଭିଭାବକଙ୍କୁ ଶ୍ରୀମହାନ୍ତ ବିଭିନ୍ନ ପ୍ରଲୋଭନ ଦେଖାଇ ଘଟଣାର ସତ୍ୟତା ଲୁଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ସରକାରଙ୍କ ନିଦେ୍ର୍ଦଶକୁ ବେଖାତିର୍ କରି ବିନା ଖାତା ଖତିଆନରେ ଚାଲୁଥିଲା ବିଦ୍ୟାଳୟ  । ଏନେଇ ଘଟଣା ସମ୍ପର୍କରେ ଅତିରିକ୍ତ ଶିକ୍ଷାଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ  । ସେ କହିଛନ୍ତି ଉକ୍ତ ବିଦ୍ୟାଳୟ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନାହିଁ, ବେନିୟମ ଭାବେ ବିଦ୍ୟାଳୟ ଗଢି ଉଠିଛି  । କାଲି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସତ୍ୟତା ଜଣାପଡ଼ିବ  । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସହ ଜିଲ୍ଲା ଶିକ୍ଷା ବିଭାଗ ଦୃଷ୍ଟି ଦେଇ ଏଭଳି ବେଆଇନ ବିଦ୍ୟାଳୟକୁ ବନ୍ଦ କରାଇବାକୁ ଜନସାଧାରଣଙ୍କ ଦାବି ହୋଇଛି  ।

Related Articles

Leave a Reply

Your email address will not be published.

Back to top button