କେରଳ ଭୁସ୍ଖଳନ ବିପତ୍ତି; ନିଖୋଜ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ମୃତ

କେରଳର ଓ୍ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ମାଟି ଅତଡ଼ା ତଳେ ବହୁ ଲୋକ ପୋତିହେଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଇଛି। ଭୂସ୍ଖଳନ ବିପତ୍ତି ପରେ ବନ୍ୟା ଦାଉ ସାଧିଲାଣି। ଉଦ୍ଧାର କାମକୁ ତ୍ୱରାନ୍ୱିତ କରାଯାଇଛି। ସେପଟେ ଏଭଳି ଭୟଙ୍କର ବିପତ୍ତିରେ ସଂସଦରେ ବି ସ୍ୱର ଶାଣିତ ହୋଇଛି। ଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ କହିଛନ୍ତି, ଏଭଳି ବିପତ୍ତି ବେଳେ କେରଳ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ। ସେପଟେ ନିଖୋଜ ଥିବା ଦୁଇ ଓଡିଆ ଡାକ୍ତରଙ୍କ ଭିତରୁ ବିଷ୍ଣୁ ଚିନ୍ନାରାଙ୍କ ମୃତ ଦେହ ମିଳିଛି। ମୃତ ଦେହ ଚିହ୍ନଟ ଲାଗି ଦୁଇ ଅଧିକାରୀଙ୍କୁ  କେରଳ ପଠାଯାଇଛି।

କେରଳର ଓ୍ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ବୁଧବାର ଅପରାହ୍ନ ୨ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୬୦ ଛୁଇଁ ସାରିଥିଲା। ମାଟି ଅତଡ଼ା ତଳେ ବହୁ ଲୋକ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ବି ଆଶଙ୍କା ଥିଲା। ରେସକ୍ୟୁ ଅପରେସନ ଜୋରଦାର ଜାରି ଥିଲେ ବି ବନ୍ୟା ଦାଉ ସାଧିଛି। ଅନେକ ଲୋକ ଚାଲିୟାର ନଦୀରେ ଭାସିଯାଇଛନ୍ତି। ପୁଲିସ, ଅଗ୍ନିଶମ ବିଭାଗ, ଏନଡିଆରଏଫ, ସେନା ନିୟୋଜିତ ଅଛନ୍ତି। ଭୂସ୍ଖଳନ ଲାଗି ମୁଣ୍ଡାକାଇ, ଚୁରାଲମାଳା, ଆତ୍ତାମାଳା ଓ ନୁଲପୁଝା ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ରାସ୍ତା ବନ୍ଦରୁ ଉଦ୍ଧାରକାରୀ ଟିମ୍ ଲାଗି ପ୍ରତିବନ୍ଧକ ସାଜିଥିଲା। ୪୫ଟି ରିଲିଫ୍ ସେଣ୍ଟର ହୋଇଛି। ୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ରିଲିଫ ସେଣ୍ଟରରେ ରଖାଯାଇଛି। ଏଭଳି ବଡ଼ ବିପତ୍ତି ଲାଗି କେରଳରେ ଦୁଇ ଦିନିଆ ଶୋକ ଦିବସ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରେସକ୍ୟୁ ଅପରେସନର ସମୀକ୍ଷା କରିଥିଲେ। ବର୍ଷା ଲାଗିଥିବାରୁ ଆଉ ଏକ ଭୂସ୍ଖଳନ ବିପତ୍ତିର ଆଶଙ୍କା ରହିଛି। କାରଣ ପାଣିପାଗ ବିଭାଗ ଆକଳନ କରିଛି, ଆଗାମୀ ଦିନରେ ଅଧିକ ବର୍ଷା ହେବ। ଇଦୁକ୍କି, ଥ୍ରିସୁର, ପାଲକ୍କଡ଼, ମାଲାପୁରମ, କୋଜିକୋଡ଼, କନ୍ନୁର ଓ କାଶରଗଡ଼କୁ ରେଡ୍ ଆଲର୍ଟ ଜାରି ହୋଇଛି। ଅଧିକାଂଶ ନିଖୋଜଙ୍କ ଡାଟା ସଂଗ୍ରହରେ ଲାଗିଛନ୍ତି ସରକାର।

ଓ୍ୱାୟାନାଡ଼ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲେ ବି ତାହା ବାତିଲ୍ ହୋଇଛି। ପ୍ରବଳ ବର୍ଷା ହେତୁ ଓ୍ୱାୟାନାଡ଼ରେ ହେଲିକେପ୍ଟର ଲ୍ୟାଣ୍ଡିଂ କରିବା ଅସମ୍ଭବ ବୋଲି ପ୍ରଶାସନ କହିବାରୁ ଗସ୍ତ ବାତିଲ୍ ହୋଇଛି। ପ୍ରବଳ ବର୍ଷା ହେତୁ କେରଳର ୧୧ ଜିଲ୍ଲାରେ ସ୍କୁଲ ବନ୍ଦ ନିର୍ଦେଶ ଦିଆଯାଇଛି। ୪ ଘଣ୍ଟାରେ ସବୁ କିଛି ଛାରଖାର୍ ହୋଇଗଲା। ୨୨ହଜାର ଜନସଂଖ୍ୟା ବିଶିଷ୍ଟ ୪ଟି ଗାଁ ପୁରା ମାଟିରେ ମିଶିଯାଇଛି। ସେପଟେ ଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ କହିଛନ୍ତି ଯେ, କେରଳ ସରକାରଙ୍କୁ ସପ୍ତାହକ ଆଗରୁ ଭୂସ୍ଖଳନ ବିପତ୍ତି ନେଇ କେନ୍ଦ୍ର ସତର୍କ କରାଇଥିଲା। ଏତେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ପରେ ରେସକ୍ୟୁ ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଶତାଧିକ ଏବେ ବି ନିଖୋଜ। ସେମାନଙ୍କୁ ଠାବ ଲାଗି ଉଦ୍ୟମ ଜାରି ରହିଛି। କେରଳକୁ ୯ଟି ଏନଡିଆରଏଫ ଟିମ୍ ଆଗୁଆ ପଠାଯାଇଥିଲା। ମୃତ୍ୟୁ ସଂଖ୍ୟା କମ୍ ହୋଇପାରିଥାଆନ୍ତା। କିନ୍ତୁ କେରଳ ସରକାର ଲୋକଙ୍କୁ ସଠିକ୍ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିନଥିଲେ। ଏଭଳି ଟ୍ରାଜେଡିରେ କେରଳ ସରକାରଙ୍କ ସହ ଚଟାଣ ଭଳି ଛିଡ଼ା ହୋଇଛନ୍ତି କେନ୍ଦ୍ର ସରକାର। କେରଳ ବିପତ୍ତିକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଛି ସିପିଆଇ। ଅସ୍ଥାୟୀ ପୋଷ୍ଟମର୍ଟମ ସେଣ୍ଟରକୁ ଗସ୍ତ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ।

କେରଳ ବୁଲିବାକୁ ଯାଇଥିବା ୨ ଓଡ଼ିଆ ଡାକ୍ତରଙ୍କ ଭିତରୁ ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତ ଦେହ ବୁଧବାର ମିଳିଛି। ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳିନି। ତେବେ ଦୁଇ ଜଣ ଡାକ୍ତରଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷ୍ଣୁଙ୍କ ପରଲୋକ ଖବର ପାଇ ତାଙ୍କ ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି। କେରଳର ଲିନରାରେ ରାତ୍ରୀଯାପନ ବେଳେ ସୋମବାର ରାତି ପ୍ରାୟ ୨ଟାରେ ଭୂସ୍ଖଳନ ସହ ମାଟି ମିଶା ପାଣି ମାଡିଆସିଥିଲା। ରାଜସ୍ୱ ମନ୍ତ୍ରୀ କହିଥିଲେ, କେରଳ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗାଯୋଗରେ ଅଛନ୍ତି। ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି। ପରିବାର ଲୋକଙ୍କୁ ନିୟମିତ ଅପଡେଟ୍ କରାଯାଉଛି। ମୃତଦେହ ଚିହ୍ନଟ ଲାଗି ଦୁଇ ଅଧିକାରୀଙ୍କୁ କେରଳ ପଠାଯାଇଛି। ଓଡ଼ିଶାକୁ ଆଣିବାକୁ ବ୍ୟବସ୍ଥା କରାଯିବ।

ଭୂସ୍ଖଳନ ବିପତ୍ତି ଘେରରେ ଓ୍ୱାୟାନାଡ଼। ରେସକ୍ୟୁ ଅପରେସନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ଉଦ୍ଧାରକାରୀ ଦଳ। ଏହା ସାଙ୍ଗକୁ ଭାରି ବର୍ଷାକୁ ନେଇ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *