କାମ ଚାପରୁ ବଢୁଛି ଅତ୍ମହତ୍ୟାର ହାର

କାମର ଚାପରେ ଚାପିହୋଇଗଲାଣି ଅଧିକାଂଶଙ୍କ ଜୀବନ। ଆଉ ଯିଏ ଅତିଷ୍ଠ ହୋଇଯାଉଛି, ଜୀବନକୁ ଛି କରିଦେଉଛି। ମୁମ୍ୱାଇରେ କାର୍ଯ୍ୟରତ ଏକ ରାଷ୍ଟ୍ରୀୟ ବ୍ୟାଙ୍କର ଡେପୁଟି ମ୍ୟାନେଜର ଅଟଳ ସେତୁକୁ ଡେଇଁ ଆତ୍ମହତ୍ୟା କରିଛନ୍ତି! ୪୦ ବର୍ଷୀୟ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ଚକ୍ରବର୍ତ୍ତୀ ପୋଲ ଉପରେ କାର ରଖି ସମୁଦ୍ରକୁ ଡେଇଁପଡ଼ିଥିଲେ। ପୁଲିସ ମ୍ୟାନେଜରଙ୍କ ଶବ ଠାବ କରିବାକୁ ତଲାସି ଅଭିଯାନ ଜାରି ରଖିଛି। ମ୍ୟାନେଜରଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀ ଉପରେ କାମର ପ୍ରବଳ ଚାପ ଥିଲା। ସେଥିଲାଗି କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ। ସୋମବାର ଡ୍ୟୁଟିକୁ ଯିବା ଆଗରୁ ସକାଳ ୯ଟା୫୭ ମିନିଟରେ ହିଁ ସମୁଦ୍ରକୁ ଡେଇଁପଡ଼ିଥିଲେ ସୁଶାନ୍ତ। ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ସୁଶାନ୍ତ ନିଜ ପତ୍ନୀ ଓ ଗୋଟିଏ ଝିଅକୁ ପଛରେ ଛାଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଗଲେ। ସୁଶାନ୍ତଙ୍କ ଫୋନରୁ ସୁରାକ୍ ଖୋଜୁଛି ପୁଲିସ। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କୁ ପଚରାଉଚୁରା କରିଛି। କୌଣସି ସୁଇସାଇଡ୍ ନୋଟ ବି ପାଇନି ପୁଲିସ। ନିଜ ପରିବାରକୁ ରବିବାର ବି ଲୋନାଓ୍ୱାଲା ବୁଲାଇ ନେଇଥିଲେ ସୁଶାନ୍ତ। ଅଟଳ ସେତୁ ହୋଇ ଫେରିଥିଲେ। ସୋମବାର କାମକୁ ଯାଉଛି କହି ଅଟଳ ସେତୁରୁ ଡେଇଁ ପଡ଼ିଲେ। ପୁଲିସ ଏଯାବତ ସୁଶାନ୍ତଙ୍କ ମରଶରୀର ଠାବ କରିପାରିନି। ସୁଶାନ୍ତ ସମୁଦ୍ରକୁ ଡେଉଁଥିଲା ବେଳେ ଜୁଆର କମ୍ ଥିଲା।

ସେପଟେ ୟୁପିରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ତରୁଣ ସକ୍ସେନା ବି କାମ ଚାପରୁ ଆତ୍ମହତ୍ୟା ଭଳି ବାଟ ବାଛିନେଲେ। ୪୨ ବର୍ଷୀୟ ତରୁଣ ଆତ୍ମହତ୍ୟା କରିବା ପଛର କାରଣ ତାଙ୍କ ସୁଇସାଇଡ ନୋଟରୁ ଜଣାପଡ଼ିଛି। କାମ ଚାପ ଏତେ ଥିଲା ଯେ, ୪୫ ଦିନ ଧରି ଭଲରେ ଶୋଇନଥିଲେ ତରୁଣ। କମ୍ପାନୀର ଲୋନ୍ ସେକ୍ସନରେ କାମ କରୁଥିଲେ ତରୁଣ। ଲୋନ୍ ରିକଭରି ହୋଇପାରୁନଥିବାରୁ ବାରମ୍ୱାର ଚାପ ପଡ଼ୁଥଲା। ଦରମା କାଟିଦେବାକୁ ମିଳୁଥିଲା ଧମକ। ନିଜ ଟାର୍ଗେଟ ହାସଲ କରିବାକୁ ଉପରିସ୍ଥ ଅଧିକାରୀ କ୍ରମାଗତ ଚାପ ପକାଉଥିଲେ। ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଅଲଗା ରୁମରେ ବନ୍ଦ କରି ନିଜେ ଆତ୍ମହତ୍ୟା କରିଦେଲେ ତରୁଣ।ପତ୍ନୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ୫ ପୃଷ୍ଠାର ସୁଇସାଇଡ ନୋଟରେ ତରୁଣ ଲେଖିଛନ୍ତି, ସକଳ ଚେଷ୍ଟା ସତ୍ତ୍ୱେ ସେ ନିଜର ଟାର୍ଗେଟ ହାସଲ କରିପାରିଲେନି। ଇଏମଆଇ ଅସୁଲି ଦାୟିତ୍ୱରେ ଥିଲେ ତରୁଣ। କିନ୍ତୁ କିଛି କାରଣ ଲାଗି ସେ ଅସୁଲ କରିପାରୁନଥିଲେ। ସେଥିଲାଗି ଚାକିରୀ ଚାଲିଯିବାର ଭୟ ସହ ବାରମ୍ୱାର ଉପରିସ୍ଥ ଅଧିକାରୀଙ୍କ ଅପମାନ ସହିବାକୁ ପଡ଼ୁଥିଲା। ଭବିଷ୍ୟତ ଲାଗି ସେ ଚିନ୍ତିତ ଥିଲେ। ଆଉ ତାଙ୍କର ଦକ୍ଷତା ନାହିଁ କହି ଶେଷରେ ଜୀବନ ହାରିଦେଇଛନ୍ତି ତରୁଣ। ଅଫିସ୍‌ର ବରିଷ୍ଠ ଅଧିକାରୀଙ୍କ ନାଁ ନେଇ ସେମାନଙ୍କ ବିରୁଦ୍ଧରେ ପୁଲିସରେ ମାମଲା ରୁଜୁ କରିବାକୁ ଲେଖିଛନ୍ତି ତରୁଣ। ସେମାନେ ହିଁ ତାଙ୍କ ମୃତ୍ୟୁ ଲାଗି ଦାୟୀ ବୋଲି ଅଭିହିତ କରିଛନ୍ତି। ସକାଳୁ ସକାଳୁ ହିଁ ଭିଡ଼ିଓ କନଫରେନ୍ସିଂରେ ତାଙ୍କ ଉପରିସ୍ଥ ଅଧିକାରୀ ମାନସିକ ଚାପ ଦେଇଥିଲେ। କାମ ଯଦି ପାରୁନ, ବାହାର କରିଦିଆଯିବ। ପୁଲିସ କହିଛି, ସୁଇସାଇଡ୍ ନୋଟ ଜବତ କରିଛୁ। ପରିବାର ଏତଲା ଦେଲେ ତଦନ୍ତ କରି ଆବଶ୍ୟକୀୟ ଆକ୍ସନ ନିଆଯିବ। ସେହିଭଳି କେରଳରେ ଇଓ୍ୱାଇ କର୍ମଚାରୀଙ୍କ କାମ ଚାପରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏନ୍ନାଙ୍କ ହୃଦଘାତରେ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। କେରଳର ୨୬ ବର୍ଷୀୟ ଏନ୍ନା ସେବେଷ୍ଟିଆନ ମାର୍ଚ୍ଚ ୧୯ରେ ପୁନେସ୍ଥିତ ଇଓ୍ୱାଇ କମ୍ପାନୀ ଜଏନ୍ କରିଥିଲେ। କିନ୍ତୁ କମ୍ପାନୀ ବିଳମ୍ୱରେ ଦରମା ଦେଉଥିଲା। ଓ୍ୱିକଲି ଅଫ୍‌ରେ ବି ଅଫିସ ଡକାଯାଉଥିଲା। ଛୁଟି ଦିନରେ କାମ କରିବା ବଦଳରେ ଅଲଗା ଛୁଟି ବି ଦିଆଯାଉନଥିଲା। ଜୁଲାଇ ୨୦ରେ ଏନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏନାଙ୍କ ମୃତ୍ୟୁକୁ ନେଇ ରାଜନୀତି ବି ଘମାସାନ ହୋଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ୱର ୨୨ରେ କହିଥିଲେ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭିତରେ ଆତ୍ମଭରସା କମ୍ ଥିଲା। ସେଥିଲାଗି କାମର ଚାପକୁ ମୁକାବିଲା କରିପାରିଲେନି। ମୃତକଙ୍କୁ ନେଇ କୌଣସି ଆକ୍ଷେପ କରୁନି। ତେବେ ମୃତକଙ୍କ ପ୍ରତି ଏଭଳି ସମ୍ୱେଦନହୀନତା ବନ୍ଦ କରନ୍ତୁ କହି ନିର୍ମଳାଙ୍କୁ ଆକ୍ଷେପ କରିଥିଲେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। କଂଗ୍ରେସ ମହାସଚିବ କେସି ବେନୁଗୋପାଳ କହିଥିଲେ, ଏଭଳି ମନ୍ତବ୍ୟ ଅମାନବୀୟ। ସେପ୍ଚେମ୍ୱର ୨୧ରେ ପୀଡ଼ିତାଙ୍କ ପରିବାର ସହ ଭିଡ଼ିଓ କନଫରେନ୍ସିଂରେ କଥା ହୋଇଥିଲେ ରାହୁଲ।

ଅଧିକ ସମୟ ଧରି କାମ କରୁଥିବା ଦେଶ ଭିତରେ ଭୂଟାନ, ବାଂଲାଦେଶ ଓ ପାକିସ୍ତାନ ରହିଛି। ଭାରତ ଏହି ତାଲିକାରେ ବି ଯୋଡ଼ି ହୋଇଛି। ପ୍ରତି ସପ୍ତାହରେ ୪୬.୭ ଘଣ୍ଟା କାମ କରନ୍ତି ଜଣେ କର୍ମଚାରୀ। ସେହିଭଳି ୫୧ ପ୍ରତିଶତ ଭାରତୀୟ କର୍ମଚାରୀ ସପ୍ତାହକୁ ୪୯ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ବୋଲି ରିପୋର୍ଟ ଆସିଛି। ଆଉ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ହିଁ କାଳ ସାଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *