ଋଣଭାରରେ ବୁଡ଼ିଥିବା ଉଦ୍ୟୋଗପତି ଅନୀଲ ଅମ୍ୱାନୀଙ୍କ ବଢ଼ିଲା ଅଡ଼ୁଆ। ସେବି ଅନୀଲ ଅମ୍ୱାନୀଙ୍କ ରିଲାଏନ୍ସ କମ୍ପାନୀକୁ ୫ ବର୍ଷ ଲାଗି ବ୍ୟାନ୍ କରିଛି। ଏହି ବ୍ୟାନ ଲାଗି ଏଣିକି ଅମ୍ୱାନୀଙ୍କ କମ୍ପାନୀ ସିକ୍ୟୁରିଟି ମାର୍କେଟ ବା ନିବେଶ ବଜାରରେ ଆଉ ଯୋଡ଼ି ହୋଇପାରିବେନି। ଏହା ସହ ସେବି ଅମ୍ୱାନୀଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ବି ଲଗାଇଛି। ଅନୀଲ ବା ତାଙ୍କ କମ୍ପାନୀ ଏଣିକି କୌଣସି ତାଲିକାଭୁକ୍ତ କମ୍ପାନୀ, ସେବି ସହ ପଞ୍ଜୀକୃତ କୌଣସି ଇଣ୍ଟର ମିଡିଏଟାରୀରେ ନିର୍ଦେଶକ କି କେଏମପି ରୂପରେ ସାମିଲ୍ ହୋଇପାରିବେନି। କି ମ୍ୟାନେଜେରିଆଲ ପର୍ସନେଲ ହିସାବରେ ବି ସାମିଲ୍ ହୋଇପାରିବେନି ଅନୀଲ ଅମ୍ୱାନୀ। ଏହା ସମେତ ରିଲାଏନ୍ସ ହୋମ୍ ଫାଇନାନ୍ସିଂକୁ ବି ପ୍ରତିଭୂତି ବଜାରରେ ୬ ମାସ ଲାଗି ପ୍ରତିବନ୍ଧକ ଲଗାଇଛି ସେବି। ଆଉ ଏହି ସଂସ୍ଥା ଉପରେ ବି ୬ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଦେଇଛି। ଏହି ଖବର ପରେ ଅନୀଲ ଧିରୁଭାଇ ଅମ୍ୱାନୀ ଗ୍ରୁପର ସେୟାରରେ ଖସିଯାଇଥିଲା। ଗ୍ରୁପର ସେୟାର ଶୁକ୍ରବାର ଅପରାହ୍ନ ୨ ଟା ବେଳକୁ ୧୪ ପ୍ରତିଶତ ଖସିସାରିଥିଲା।
ସେବି ନିଜର ଅନ୍ତିମ ଆଦେଶରେ କହିଛି କି, ଅନୀଲ ଅମ୍ୱାନୀ କିଛି ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ରିଲାଏନ୍ସ ହୋମ ଫାଇନାନ୍ସରୁ ଟଙ୍କାକୁ ଜାଲିଆତି କରି ହଡ଼ପ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏହାକୁ ସହାୟକ କମ୍ପାନୀର ଋଣ ଆକାରରେ ଦର୍ଶାଯାଇଥିଲା। କମ୍ପାନୀର ବୋର୍ଡ ଏମିତି ଢଙ୍ଗରେ ଋଣ ପ୍ରଦାନ ଉପରେ ରୋକ୍ ଲଗାଇବାକୁ ନିର୍ଦେଶାନାମା ଜାରି କରିଥିଲା ଓ କର୍ପୋରେଟ ଶ୍ରେଣୀକୁ ଦିଆଯାଉଥିବା ଋଣର ନିୟମିତ ସମୀକ୍ଷା ବି କରିଥିଲା। କିନ୍ତୁ କମ୍ପାନୀର ପ୍ରବନ୍ଧକ ଏହି ଆଦେଶକୁ ଅବମାନନା କରିଥିଲେ। ଏଥିରୁ ଜଣାପଡ଼ିଲା ଯେ, କାର୍ଯ୍ୟଶୈଳୀରେ ବଡ଼ ଧରଣର ତୃଟି ହୋଇଛି। ଯାହାକୁ ଅନୀଲ ଅମ୍ୱାନୀଙ୍କ ପ୍ରଭାବରେ କିଛି ପ୍ରମୁଖ ଅଧିକାରୀ ଲାଗୁ କରିଥିଲେ ବୋଲି ସେବି କହିଛି। ଆରଏଚଏଫଏଲର ଅଧିକାରୀ ଅମିତ ବାପନାଙ୍କ ଉପରେ ୨୭ କୋଟି, ରବୀନ୍ଦ୍ର ସୁଧାଲକରଙ୍କ ଉପରେ ୨୬ କୋଟି ଓ ପିଙ୍କେଶ ଆର୍ ଶାହାଙ୍କ ଉପରେ ୨୧ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସେବି। ବାକି ସଂସ୍ଥା ଯଥା- ରିଲାଏନ୍ସ ୟୁନିଫର୍ମ ଏଣ୍ଚରପ୍ରାଇଜ୍, ରିଲାଏନ୍ସ ଏକ୍ସଚେଞ୍ଜ ନେକ୍ସଟ ଏଲଟି, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ୍, ରିଲାଏନ୍ସ କ୍ଲିନଜେନ୍ ଲିମିଟେଡ୍, ରିଲାଏନ୍ସ ବିଜନେସ୍ ବ୍ରଡକାଷ୍ଟର ନ୍ୟୁଜ ହୋଲଡିଂ ଲିମିଟେଡ୍ ଓ ରିଲାଏନ୍ସ ବିଗ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପ୍ରତ୍ୟେକଙ୍କ ଉପରେ ୨୫ କୋଟିର ଜରିମାନା ଲଗାଇଛି ସେବି।
ଅନୀଲ ନିଜର ଷଡ଼ଯନ୍ତ୍ରକୁ ସଫଳ କରାଇବାକୁ ଏଡିଏ ସମୂହର ଅଧ୍ୟକ୍ଷ ଭାବେ ନିଜ ପଦ ଓ ଆରଏଲଏଫଏଲର ହୋଲିଂ କମ୍ପାନୀରୁ ନିଜର ମହତ୍ତ୍ୱପୂର୍ଣ୍ଣ ସେୟାରହୋଲଡିଂର ଦୁରୁପଯୋଗ କରିଥିଲେ। ସେବି ରିଲାଏନ୍ସ ସମେତ ଅନ୍ୟ ୨୪ କମ୍ପାନୀ ଉପରେ ବି ବ୍ୟାନ୍ ଲଗାଇଛି। ଯେଉଁମାନେ କମ୍ପାନୀରୁ ଟଙ୍କା ନେଇ ହେରଫେର କରିଛନ୍ତି। ଏମିତି ଲୋକଙ୍କୁ ଋଣ ଦିଆଯାଇଛି। ଯେଉଁମାନଙ୍କ ପାଖରେ ନା ଅଛି ନିଜର ସମ୍ପତ୍ତି, ନଗଦ ଅର୍ଥରାଶି ନା ଅଛି ନେଟ୍ଓ୍ୱର୍ଥ କି ରାଜସ୍ୱ। ଏଭଳି କରଜ ଦେବା ପଛରେ ବଡ଼ ଷଡଯନ୍ତ୍ର ଥିଲା। ଉଦାହରଣସ୍ୱରୂପ ୨୦୧୮ରେ ଆରଏଚଏଫଏଲର ସେୟାର ମୂଲ୍ୟ ପ୍ରାୟ ୫୯ଟଙ୍କା୬୦ ପଇସା ଥିଲା। ମାର୍ଚ୍ଚ ୨୦୨୦ ଯାଏ ଯେତେବେଳେ ଧୋକାଦାରିର ସୀମା ସ୍ପଷ୍ଟ ହୋଇଗଲା। ଆଉ କମ୍ପାନୀର ସଂଶାଧନ ସରିଗଲା। ସେୟାରର ମୂଲ୍ୟ ହ୍ରାସ ପାଇ କେବଳ ୭୫ ପଇସା ହୋଇଗଲା। ଏବେ ବି ୯ ଲକ୍ଷରୁ ଅଧିକ ଲୋକ ଆରଏଚଏଫଏଲରେ ନିବେଶ କରିଛନ୍ତି। ସେୟାର ମୂଲ୍ୟ ହ୍ରାସରୁ ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି।
ଆରଏଲଏଫଏଲରୁ ଟଙ୍କା କାଢିବାକୁ ପ୍ରମୁଖ ମ୍ୟାନେଜମେଣ୍ଟ ସହ ମିଶି ଚକ୍ରାନ୍ତ କରିଥିଲେ ଅନୀଲ। ଆଉ ଏବେ ସେବିର ବଡ଼ ଆକ୍ସନ ପରେ କରଜରେ ବୁଡ଼ିଥିବା ଅନୀଲଙ୍କ ଅଡ଼ୁଆ ଅଧିକ ବଢ଼ିଯାଇଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now