ଅସହାୟ ହୋଇପଡ଼ିଲେଣି କି ପିସିସି ସଭାପତି?

ଭୁବନେଶ୍ବର: କମିଟି କରିନାହାନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। କିନ୍ତୁ ଦଳରୁ ନିଲମ୍ୱିତ ନେତା ପିସିସିର ବିଭିନ୍ନ ପଦପଦବୀରେ ଅଛନ୍ତି କହି ଫାଏଦା ଉଠାଇ ଚାଲିଛନ୍ତି। ପିସିସିର ସମ୍ପାଦକ ଓ କ୍ୟାସିଅର କହି ଓଡ଼ିଶା ନିବାସରେ ରୁମ୍ ବୁକିଂ କରିଥିବା କରିତକର୍ମା ନେତା ପ୍ରଦୀପ୍ତ ଦାସଙ୍କ ଏଭଳି କାରନାମାରେ ଯେଭଳି ଶରତଙ୍କୁ କିଛି ଫରକ ପଡ଼ୁନି। ବାସ୍ତବରେ ଦଳ ନାଁରେ ଏଭଳି ମଉକା ଗୋଟାଉଥିବା ନେତାଙ୍କୁ ସାବାଡ଼ କରିବେ ନା ସେମାନଙ୍କର ସୁରକ୍ଷା କବଚ ସାଜିବେ ମୁଖିଆ, ତାକୁ ନେଇ ସବୁଠି ଚର୍ଚ୍ଚା।

ଅସହାୟ ହୋଇପଡ଼ିଲେଣି କି ପିସିସି ସଭାପତି ଶରତ ପଟ୍ଟନାୟକ? ବିରୋଧୀଙ୍କୁ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଥିବା ଶରତଙ୍କୁ ତ ନିଜ ଦଳର ନେତା ଚୂନ ଲଗାଇବାରେ ବ୍ୟସ୍ତ। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ନିଲମ୍ୱିତ ନେତା ପ୍ରଦୀପ୍ତ ଦାସ କିଭଳି ଓଡ଼ିଶା ନିବାସରେ ପିସିସିର ସେକ୍ରେଟାରୀ ଓ କ୍ୟାସିଅର କହି ଗୃହ ବିଭାଗରୁ ରୁମ୍ ବୁକ୍ ପାଇଁ ଅନୁମତି ପାଇଲେ, ତାକୁ ନେଇ ହଇଚଇ ଖେଳିଥିଲା। ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ଉଣା ଅଧିକେ ତୁଙ୍ଗ ନେତାଙ୍କ ଭିତରେ ହଇଚଇ ଖେଳିଥିଲା। ଏପରିକି ଦିଲ୍ଲୀରେ ସେଇ ଓଡ଼ିଶା ନିବାସରେ ଥିବା ଶରତ ପଟ୍ଟନାୟକଙ୍କୁ ପଚାରିଲା ବେଳେ, ସେତେବେଳେ କିଏ କେଉଁବାଟେ ଏମିତି କାରସାଦି କରିଥିଲେ , ସେ କେମିତି ଜାଣିବେ ବୋଲି କହିଥିଲେ। କିନ୍ତୁ ଓଡ଼ିଶା ନିବାସରେ ଶରତଙ୍କୁ ସମ୍ୱର୍ଦ୍ଧନା ବେଳେ ପ୍ରଦୀପ୍ତ ତାଙ୍କ ରୁମ୍‌ରେ ବସିଥିବାର ଫଟୋ ବି ଭାଇରାଲ ହେଉଛି। ଶୁଣନ୍ତୁ କଅଣ କହିଥିଲେ ଶରତ। ଆଉ କଅଣ କହିଥିଲେ ପିସିସି ଅଫିସ ସେକ୍ରେଟାରୀ।

ଆଉ ଦିଲ୍ଲୀରୁ ଫେରିବା ପରେ ସତ କଅଣ ଓ ପ୍ରଦୀପ୍ତଙ୍କ ଏଭଳି କାରସାଦି ପଛରେ କିଏ ବୋଲି ପଚାରିବାରୁ ଶରତ ସମାନ କଥାକୁ ଦୋହରାଇଛନ୍ତି। କାରଣ ସେତେବେଳକୁ ତୃଣମୂଳସ୍ତରରୁ ନେଇ ଏଆଇସିସି ଯାଏ ଏହାକୁ ନେଇ ଘଣ୍ଟା ଚକଟା ଆରମ୍ଭ ହୋଇସାରିଛି। ନିଲମ୍ୱିତ ନେତାଙ୍କ ଉପରୁ ନିଲମ୍ୱନ ଉଠାଇବାକୁ ଆପାତତଃ ସକରାତ୍ମକ ସଙ୍କେତ ବି ମିଳିସାରିଥିଲା। କିନ୍ତୁ ଏହାରି ଭିତରେ ଅଚାନକ ଦିଲ୍ଲୀରେ ଡେରା ପକାଇ ତୁଙ୍ଗ ନେତାଙ୍କ ପାଖାପାଖି ରହିବା ଓ ପତିଆରା ଦେଖାଇଥିବା ପ୍ରଦୀପ୍ତଙ୍କୁ ଏହା ମହଙ୍ଗା ପଡ଼ିପାରେ। ଶୁଣନ୍ତୁ କଅଣ କହୁଛନ୍ତି ପିସିସି ସଭାପତି।

ପ୍ରଦୀପ୍ତଙ୍କ ଭଳି ନେତା ଦଳରୁ ନିଲମ୍ୱିତ ହୋଇଛନ୍ତି। କିନ୍ତୁ ଦଳରେ ନାହାନ୍ତି ବୋଲି କହିବା ଭୁଲ୍ ହେବ। ଦିଲ୍ଲୀ ଯିବା, ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ବି ବିଚିତ୍ର କଥା ନୁହେଁ। କାରଣ ଅଧିକାଂଶ ତୁଙ୍ଗ ନେତାଙ୍କ ଜାଣତରେ ଏୟା ହୋଇଥିବ! ଓଡ଼ିଶା ନିବାସରେ ଏକାଠି ରହିବା ଏ କଥାକୁ ସୂଚାଉଛି। କିନ୍ତୁ ପଦପଦବୀରେ ନ ଥାଇ ଏହାର ଦୁରୁପଯୋଗ କରିବା କେତେଦୂର ଯୁକ୍ତିଯୁକ୍ତ, ଏହାକୁ ହାଲୁକା ଭାବେ ନେଲେ କାହାର କ୍ଷତି ହେଉଛି, କିଏ ଘଣ୍ଟ ଘୋଡ଼ାଉଛି, ଭାବିବାର କଥା।

ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *