ପରମ୍ପରାର ପର୍ବ ବାଲିଯାତ୍ରା

() ଆଧୁନିକ ଯୁଗରେ ବି ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଏବଂ ପରମ୍ପରା। ଏବେ ବି ବଞ୍ଚି ରହିଛି ଆଦିବାସୀଙ୍କ ନିଆରା ପରମ୍ପରା। ଗାଁର ମଙ୍ଗଳ କାମନା ସହ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଆଦିବାସୀଙ୍କ ବିଶ୍ୱାସର ବାର୍ତ୍ତା ବହନ କରୁଥିବା ଐତିହାସିକ ବାଲିଯାତ୍ରା ଭଳି ନିଆର ପର୍ବର ଝଲକ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ।
ଧୂମଧାମରେ ପାଳିତ ହେଲା ପରମ୍ପରାର ପର୍ବ ବାଲିଯାତ୍ରା। ପ୍ରତି ୩ ବର୍ଷର ବ୍ୟବଧାନରେ ପାଳିତ ହୋଇଥାଏ ବାଲିଯାତ୍ରା। ଚଳିତ ବର୍ଷ ବାଲିଯାତ୍ରା ବୋରିଗୁମ୍ମା ବାସୀଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି । ପାରମ୍ପରିକ ରୀତିନୀତିରେ ବାଜା ବଜଣା ନାଚଗୀତ ସାଙ୍ଗକୁ ହଜାର ହଜାର ଲୋକଙ୍କ ସମାବେଶ। ପୁରୁଣା ବୋରିଗୁମ୍ମାର ବାଲି କୁଡ଼ିଆରୁ ବାଲି ଚାଙ୍ଗୁଡ଼ିରେ ଗଜା ଶସ୍ୟକୁ ଶହ ଶହ ମହିଳା ମୁଣ୍ଡରେ ଆଣିଥିଲେ । ପୁରୁଷ ଲୋକ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଦାଳକୁ ବୋହି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ହାଟପଦା ନିକଟରେ ଥିବା ଠାକୁରାଣୀ ପୀଠରେ ପହଞ୍ଚି ଥିଲେ। ସେଠାରେ ଭୀମା ଏବଂ ଭୀମାଣି କାଠ ମୂର୍ତ୍ତି ସ୍ଥାପନ କରାଯାଇଥାଏ।
ବୋରିଗୁମ୍ମା ଠାରେ ଐତିହାସିକ ବାଲିଯାତ୍ରା କେଉଁ ରାଜା ରାଜୁଡା କାଳରୁ ଆରମ୍ଭ ହୋଇଥିଲା। ଗ୍ରାମର ମୁଖ୍ୟ ପୂଜକ ତିଥି ଅନୁଯାୟୀ ଦିନ ଧାର୍ଯ୍ୟ କରିଥାନ୍ତି। ଠିକ୍ ସାତ ଦିନ ପୂର୍ବରୁ ଗ୍ରାମର ଆରାଧ୍ୟ ଦେବ ଭୈରବ ପୀଠ ନିକୋଟସ୍ଥ ନଦୀରୁ ପୂଜାର୍ଚ୍ଚନା କରି ବାଲି ଉଠାଇ ଆଣିଥାନ୍ତି। ସେହି ବାଲିରେ ଶସ୍ୟଜାତ ଦ୍ରବ୍ୟ ବୁଣା ଯାଏ। ଯେଉଁ ଦିନ ସେହି ଦ୍ରବ୍ୟରୁ ଅଂକୁର ଜାତ ହୁଏ ସେଦିନ ବାଲି ଯାତ୍ରା ଆରମ୍ଭ ହୁଏ। ଏହି ପୂଜା କଲେ ଗାଈ ଗୋରୁ, ଲୋକଙ୍କୁ କୌଣସି ରୋଗ ମହାମାରୀ ଆକ୍ରାନ୍ତ ହୋଇନଥାଏ ଏବଂ ଭଲ ବର୍ଷା ହୋଇ ଚାଷ ଦୁଇଗୁଣ ହୁଏ ବୋଲି ବିଶ୍ବାସ ରହିଛି ।
ଆଜି ବି ଲୋକେ ଭୁଲି ନାହାନ୍ତି ନିଜ ପରମ୍ପରାକୁ। ନିଜ ପୂର୍ବ ପୁରୁଷଙ୍କୁ ଅନୁସରଣ କରି ଧୂମଧାମରେ ପର୍ବ ପାଳନ କରି ନିଜ ସଂସ୍କୃତି ପ୍ରତି ଉଦାହରଣ ସୃଷ୍ଟି କରିଛନ୍ତି ।
ରଞ୍ଜନକୁମାର ମିଶ୍ରଙ୍କ ରିପୋର୍ଟ