ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ

Spread the love

ଭୁବନେଶ୍ବର: ଦେଶର ୫୦ଟି ସ୍ଥାନରେ ରୋଜଗାର ମେଳା କରି ୭୫ହଜାର ଯୁବକଯୁବତୀଙ୍କୁ ଆଜି ସରକାରୀ ଚାକିରୀରେ ନିଯୁକ୍ତିପତ୍ର ଦିଆଯାଇଛି। ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ତେବେ ଏହି ଅବସରରେ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ବିଜେଡି-ବିଜେପି ଭିତରେ ତୁତୁମେମେ ଅଧ୍ୟାୟର ଆଉ ଏକ ଏପିସୋଡ୍ ଆରମ୍ଭ ହୋଇଛି।

ଓଡ଼ିଶାର ଦାୟିତ୍ୱ ନେଲା ବେଳେ ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ଚାପ ଥିଲା। ନିଯୁକ୍ତି ବନ୍ଦ ଥିଲା। ପଦବୀ ଉଛେଦ ହେଉଥିଲା। ଦାୟିତ୍ୱ ନେବାପରଠୁ କିଭଳି ନିଯୁକ୍ତି ଦେବି,ତାକୁ ନେଇ ଚିନ୍ତାରେ ଥିଲି। ୨୦୧୩ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ। ଯଦିଓ ଏହା କଷ୍ଟକର ନିଷ୍ପତ୍ତି ଥିଲା। ଆଉ ଏବେ ସବୁଦିନ ଲାଗି ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ନିଜ ଜନ୍ମଦିନର ଦିନକ ଆଗରୁ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଅନେକ ଏହାକୁ ନବୀନଙ୍କ ଦୀପାବଳି ଗିଫ୍ଟ ବି କହିଲେ। ସେପଟେ ଆଜି ପ୍ରଧାନମନ୍ତ୍ରୀ ଗଲା ୮ ବର୍ଷ ଭିତରେ ସେ ଶାସନଭାର ସମ୍ଭାଳିବାଦିନଠୁ କିଭଳି ମୁଦ୍ରାସ୍ଫୀତି, ବେରୋଜଗାରରେ ଯୁଝୁଥିବା ଦେଶର ଆର୍ଥିକ ବିକାଶ ସହ ଯୁବଶକ୍ତିକୁ  ନିଯୁକ୍ତି ଦେବେ ବୋଲି ଅହରହ ଚିନ୍ତା କରୁଥିବା କହିଛନ୍ତି ମୋଦି। ଆଉ ଆଜି ରୋଜଗାର ମେଳା କରି ଏହାକୁ କାମରେ ଦେଖାଇପାରିଛନ୍ତି। ଉଭୟ ମୋଦି ଓ ନବୀନଙ୍କ ଏଭଳି ଯୁକ୍ତି ପଛରେ କେତେ ଯଥାର୍ଥତା ରହିଛି, ତାହା ଭିନ୍ନ କଥା। କିନ୍ତୁ ଓଡ଼ିଶା ସନ୍ଦର୍ଭରେ ରୋଜଗାର ମେଳା ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ସ୍ଥାୟୀ ନିଯୁକ୍ତି ଫଣ୍ଡାକୁ ନେଇ ପ୍ରଶ୍ନବାଚୀ ଆଙ୍କିଛନ୍ତି। ଏହି ଘୋଷଣା ପରେ ନୂଆ କଅଣ ହେଲା। ଆରମ୍ଭରୁ କାହିଁକି ସ୍ଥାୟୀ ଭାବେ ନିଯୁକ୍ତି ଦିଆଗଲାନି। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗକୁ ନିରାଶ ହେବାକୁ ପଡ଼ିଛି। ଏହି ଉଭୟ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି, କେତେ ନିଯୁକ୍ତି ଦିଆଯିବ, ତାକୁ ନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟି ଦିଅନ୍ତୁ। ସେପଟେ ବିଜେଡି ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛି। ଓଡିଶାରେ ସରକାରୀ ନିଯୁକ୍ତି ପ୍ରକ୍ରିୟା ଅବିରତ ଚାଲିଛି। ବାଧ୍ୟବାଧକତା କଅଣ ଥିଲା, ତାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି। ଓଡ଼ିଶାର ସ୍ୱାର୍ଥ ପ୍ରତି କିଏ କେତେ ଯତ୍ନବାନ୍, ତାହା ବୁଝାଇବାକୁ ପଡ଼ିବନି।  ନିଯୁକ୍ତି ମିଳିବା ଭଲ କଥା। କିନ୍ତୁ କେନ୍ଦ୍ର ସରକାର ବହୁ ବିଳମ୍ୱ କରିଦେଲେ।

ରୋଜଗାର ସବୁଠୁ ବଡ଼ ମୁଦ୍ଦା ହେବାକୁ ବସିଲାଣି। ସେଥିଲାଗି ରାଜନୀତିକ ଦଳ ଗୁଡ଼ିକ ଏହା ଉପରେ ଅଧିକ ପ୍ରାଥମିକତା ଦେଉଛନ୍ତି। ରୋଜଗାର ମେଳା ଅବସରରେ ଭୁବନେଶ୍ୱର ଓ କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ ହୋଇଛି। ଭୁବନେଶ୍ୱରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।

ବେକାରୀ ଚର୍ଚ୍ଚା ଭିତରେ ମୋଦିଙ୍କ ଚାକିରୀ। ଠିକା ନିଯୁକ୍ତି ବଦଳରେ ନବୀନଙ୍କ ନିୟମିତ ଚାକିରୀ। ଉଭୟ ଭଲ କଥା। ହେଲେ ଏହାକୁ ନେଇ ଶ୍ରେୟ ନେବାର ରାଜନୀତିରୁ କେହି କାହାକୁ କମ୍ ନୁହେଁ। ଏ କଥା ବି ଜଳଜଳ କରି ଦିଶୁଛି।

ସିମ୍ପୁଲ ନାୟକ, ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *