ପିଡ଼ିଏସ ଚାଉଳ ଆଣିବାକୁ ଯାଇ ମହିଳା ମୃତ : ଅନାହାର ମୃତ୍ୟୁ ଅଭିଯୋଗ

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକରେ ଅସହାୟ ବୃଦ୍ଧଙ୍କ ଘରେ ପିଡିଏସ ଚାଉଳ ପହଂଚିବା ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି । ପିଡ଼ିଏସ ଚାଉଳ ଆଣିବାକୁ ଯାଇ ସେଂଟରରେ ଟଳି ପଡିଲେ ମହିଳା । କ୍ଷୁଧା ତଥା ଅନାହାରରେ ଥିବାରୁ ଅକସ୍ମାତ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉ ଥିବାବେଳେ ଏହା ଏବେ ଚମ୍ପୁଆ ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ, ରଙ୍ଗାମାଟିଆ ପଂଚାୟତର ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ହୃଦୁରାମପୁର ଗ୍ରାମର ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ହୃଦୁରାମପୁର ଗ୍ରାମରେ ବଂଟା ଯାଉଥିବା ବେଳେ ସେହି ପଂଚାୟତର ରରୁଆଁଗୋଡ଼ା ଗ୍ରାମର ଯୋଗେଶ୍ୱର ନାଏକଙ୍କ ପତ୍ନୀ ବିଳାସ ନାଏକ (୬୦) ଆଜି ନିଜର ଖାଦ୍ୟ ସୁରକ୍ଷା ଯୋଜନାରୁ ମିଳୁଥିବା ଚାଉଳ ଆଣିବାକୁ ନିଜ ଗ୍ରାମରୁ ୭ କିଲୋମିଟର ଦୂର ହୃଦୁରାମପୁର ପଡିଏସ ସେଂଟରକୁ ଚାଲି ଚାଲି ଆସିଥିଲେ । ଏହି ପଂଚାୟତରେ ପିଡ଼ିଏସ ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସିଥିବାବେଳେ ଧାର୍ଯ୍ୟ ସମୟରେ ଚାଉଳ ମିଳି ପାରୁନଥିବାରୁ ବହୁ ଅସହାୟ ବୃଦ୍ଧ, ବୃଦ୍ଧା ଠିକ ସମୟରେ ଚାଉଳ ନ ପାଇ ଭୋକରେ ରହୁଥିବା ଅଭିଯୋଗ ହେଉଥିଲା । ଚଳିତ ମାସ ଚିରାଚରିତ ଢାଂଚାରେ ଗତ ତିନି ମାସର ଚାଉଳ ଦେବା ନେଇ ଯୋଜନା ରହିଥିବା ବେଳେ ଭୋକରେ ରରୁଆଁ ଗୋଡ଼ା ଗ୍ରାମର ମହିଳା ବିଳାସ ନାଏକ ଚାଲି ଚାଲି ୭ କିଲୋମିଟର ଦୂର ହୃଦୁରାମପୁର ଗ୍ରାମରେ ଥିବା ପିଡ଼ିଏସ ସେଂଟରକୁ ଆସିଥିଲେ । ଏଠାରେ ପ୍ରବଳ ଭିଡ଼ରେ ଚାଉଳ ନେବାପାଇଁ ଧାଡିରେ ଥିବାବେଳେ ହଠାତ ମୁର୍ଚ୍ଛା ଯାଇଥିଲେ । ଉପସ୍ଥିତ ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ଯୋଜନା କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଆମ୍ବୁଲାନ୍ସ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ପରେ ପିଡ଼ିଏସ ସାମଗ୍ରୀ ବଂଟନ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ତରବରିଆ ଭାବେ ମହିଳାଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଥିଲେହେଁ ଏହାକୁ ନେଇ ଏହି ପିଡ଼ିଏସ ସେଂଟରର ବ୍ୟାପକ ଅନିୟମିତତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଠିକ୍ ସମୟରେ ପିଡ଼ିଏସ ସାମଗ୍ରୀ ନ ଦେବା, ମାସମାସ ଧରି ହିତାଧିକାରୀଙ୍କୁ ପିଡ଼ିଏସ ସାମଗ୍ରୀରୁ ବଂଚିତ କରିବା ସହ ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ଘରକୁ ପିଡ଼ିଏସ ସାମଗ୍ରୀ ପହଂଚାଇବା ପରି ଦାୟିତ୍ୱକୁ ଅଣଦେଖା କରିବାରୁ ଏପରି ଅଘଟଣ ଘଟି ଥିବାବେଳେ ଏବେ ଏହି ଘଟଣାକୁ ନେଇ ଚମ୍ପୁଆ ବ୍ଲକରେ ଯୋଗାଣ ବିଭାଗର ବିଶ୍ୱାସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *