ତିନି ରଥର ଦଣ୍ଡା ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ

Spread the love

ପୁରୀ : ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶ୍ରୀନଅର ସମ୍ମୁଖ ରଥଖଳାରେ ବିଶ୍ଵକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ, କରତିଆ ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ବର୍ତମାନ ସୁଦ୍ଧା ତିନି ରଥର ପଂଚ ଦଣ୍ଡାରେ ଆଗଆଣି ପଛଆଣି ସହ ମୁୁହାଁଟ ସଂଯୋଗ କରାଯାଉଛି । ଆଗଆଣି ମୁହାଁଟରେ ୫ଟି ସାଲଗୁଜ ଉଠି ନିରାଡ଼ି ପଡିଛି । ପଛଆଣି ମୁହାଁଟ ଦୁଇପଟେ ଦୁଇଟି ସାଲଗୁଜ ଏବଂ ମଝିରେ ତିନୋଟି ଜଳଯନ୍ତ୍ର ଉଠି ତା ଉପରେ ନିରାଡି ପଡିଛି । ତିନି ରଥର ଦଣ୍ଡା ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରୂପକାର ସେବକ ମାନେ ତିନି ରଥର ସମସ୍ତ ସାଲଗୁଜ ଓ ତିଖଗୁଜରେ ନୃସିଂହ ରୂପ ଖୋଦେଇ ଶେଷ କରିଛନ୍ତି । ଆଜି ତିନି ରଥର ସିଂହାସନରେ ପୂର୍ଣ୍ଣକୁମ୍ଭ, ପଦ୍ମ, ଗଜମାଳ, ଡାଳିଲତା ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି । କରତି ସେବକ ମାନେ ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି ।

ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ଚଣାକ କଂଟା ନିର୍ମାଣ ଜାରୀ ରଖିଛନ୍ତି । ଏହାସହ ଅନ୍ୟାନ୍ୟ କଂଟା ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ପୂର୍ବରୁ ତିନି ରଥର ୪୨ ଚକ ଓ ୨୧ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ଵକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି । ଜୁନ୍ ୪ ତାରିଖ ସ୍ନାନ ପୂର୍ଣ୍ଣମୀରେ ପ୍ରତି ରଥର ଚାରିନାହାକା ଉଠିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *