କାହିଁକି ଗୋପାଳ ଗୁଳି କଲେ ମନ୍ତ୍ରୀଙ୍କୁ

Spread the love

() ପରିବାର, ପ୍ରଶଂସକ ଓ ପ୍ରିୟଜନ ସମସ୍ତେ ସ୍ତବ୍ଧ। ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଚାରିଆଡ଼େ ହଇଚଇ। କାରଣ ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା। ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି। ଅବଶ୍ୟ ଗୁଳିକାଣ୍ଡର ଗୁମରକୁ ନେଇ ଅନେକ ଆଲୋଚନା ହେଉଛି ସତ। କିନ୍ତୁ କ୍ରାଇମବ୍ରାଞ୍ଚ କେବେ ସୁଦ୍ଧା ଏହି ଗୁମର ଫିଟାଇବ, ତାକୁ ନେଇ ଅସମାହିତ ପ୍ରଶ୍ନ ଛନ୍ଦି ହୋଇଗଲାଣି। କାରଣ ଅଭିଯୁକ୍ତ ଏଏସଆଇ ମାନସିକ ରୋଗୀ ନା ପୂର୍ବରୁ ମନ୍ତ୍ରୀଙ୍କ ସହ କୌଣସି ବିବାଦ ଥିଲା। ରାତିଅଧିଆ ଜେରା କରି ଏ ଯାଏ କଅଣ ପାଇଲା କ୍ରାଇମବ୍ରାଞ୍ଚ, ତାକୁ ନେଇ ସମସ୍ତଙ୍କ ଉତ୍ସୁକତା ଲାଗି ରହିଛି।

ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଗୁଳିରେ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଚଳାଇଥିଲେ ୪ ରାଉଣ୍ଡ ଗୁଳି। କିନ୍ତୁ ଗୋଟିଏ ଗୁଳି ମନ୍ତ୍ରୀ ଦାସଙ୍କ ଛାତିର ବାମ ପାର୍ଶ୍ୱରେ ବାଜିଥିଲା। ଗୁଳିମାଡ଼ ପରେ ସେହିଠାରେ ହିଁ ଟଳି ପଡ଼ିଥିଲେ ମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତା ପରେ ଏୟାର ଆମ୍ୱୁଲାନ୍ସରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡରରେ ଘରୋଇ ହସ୍ପିଟାଲକୁ ନେବା ଆଉ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଚାଲିଗଲେ ନବ। ନବ ନାହାନ୍ତି। ହେଲେ ନବଙ୍କୁ ଗୁଳି କରିଥିବା ଗୋପାଳଙ୍କୁ ନେଇ ସବୁଠି  କମ୍ପନ। କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତନାଘନା କରିଛି ସତ। କିନ୍ତୁ ଏଏସଆଇ ଗୋପାଳକୃଷ୍ଣ ଦାସ କାହିଁକି ଏମିତି କାଣ୍ଡ କଲେ। କାରଣ ଗୋପାଳଙ୍କ ପରିବାର ଓ ତାଙ୍କୁ ୫ ବର୍ଷ ତଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଗୋଟିଏ ମତ ଥିଲା ବେଳେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ଗୋପାଳଙ୍କୁ ନେଇ ଭିନ୍ନ ମତ। ଗୋପାଳ ବାଇପୋଲାର ଡିସଅର୍ଡର ରୋଗରେ ଆକ୍ରାନ୍ତ ଥିଲେ ବୋଲି ଡାକ୍ତର କହିଥିଲା ବେଳେ ପରିବାର କହୁଛି, ସେ ଦୀର୍ଘବର୍ଷ ହେଲା ମାନସିକ ରୋଗରେ ପୀଡ଼ିତ ଥିଲେ। ୪ ମାସ ହେଲା ଚିକିତ୍ସା ଲାଗି ଛୁଟି ମିଳୁନଥିଲା। ଗୁଳିକାଣ୍ଡର ଘଣ୍ଟାଏ ଆଗରୁ ଝିଅ ସହ ଭିଡ଼ିଓ କଲରେ କଥା ହୋଇଥିଲେ। ଆଉ ପୁଲିସର କହିବା କଥା, ସେ ଡ୍ୟୁଟି ସ୍ୱାଭାବିକ ଭାବରେ କରୁଥିଲେ। କୌଣସି ଅସ୍ୱାଭାବିକ ପରିସ୍ଥିତି କେବେ ଉପୁଜିନଥିଲା। ତେବେ ଆଇଆଇସି ଗୋପାଳଙ୍କୁ ଅଟକାଇବା ବେଳେ ସେ ବି ଆଇଆଇସିଙ୍କୁ ମାରିବାକୁ କୁଆଡ଼େ ଉଦ୍ୟମ କରିଥିଲେ ବୋଲି କହିଥିଲେ ଆଇଜି।

ଗୋପାଳ ଗୁଳି କରି ଖସି ପଳାଇନଥିଲେ। ତାଙ୍କୁ କାବୁ କରିଥିଲେ ଆଇଆଇସି। କିଛି ବିଜେଡି କର୍ମୀ ବି ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ତାଙ୍କଠୁ ବନ୍ଧୁକ ଛଡ଼ାଇ ଆଣିଥିଲେ। ତେବେ ପ୍ରଶ୍ନ ଉଠୁଛି, ଗୋପାଳଙ୍କ ଟ୍ରାକ୍ ରେକର୍ଡ ଯଦି ଭଲ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ସେ ମେଳାପୀ ଓ ଲୋକସମ୍ପର୍କ ବି ଭଲ ଥିଲା। ତା ହେଲେ କେଉଁ ପରିସ୍ଥିତିରେ ଗୋପାଳ ମନ୍ତ୍ରୀଙ୍କୁ ମାରିଲେ। କାରଣ ଗୋପାଳ ହିଁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ବଡ଼ କଥା ହେଉଛି କି, ମନ୍ତ୍ରୀଙ୍କ ପୂର୍ବତନ ପିଏସଓ ଥିଲେ ଅଭିଯୁକ୍ତ ଗୋପାଳ। ଯଦି ଏ କଥାକୁ ଧରାଯାଏ, ତେବେ ମନ୍ତ୍ରୀଙ୍କ ସହ କୌଣସି ବଚସା ହୋଇଥିଲା କି କେବେ। ବ୍ୟକ୍ତିଗତ ଶତୃତା ନା ଆଉ କିଛି। ରାଜନୈତିକ ଷଡ଼ଯନ୍ତ୍ରର ଶୀକାର କରିବାକୁ ଗୋପାଳଙ୍କୁ ମାଧ୍ୟମ କରାଯାଇଥିଲା କି। ଗୋପାଳଙ୍କର ବଦଳିକୁ ନେଇ କେବେ କୌଣସି ତିକ୍ତତା କି ମନ୍ତ୍ରୀଙ୍କ ଅନ୍ୟଥା ହସ୍ତକ୍ଷେପ ହୋଇଥିଲା କି। ଗୁଳିମାଡ଼ ବେଳେ ବ୍ୟକ୍ତିଗତ ସୁରକ୍ଷାକର୍ମୀ କଅଣ କରୁଥିଲେ। ନବ ଦାସଙ୍କୁ ହିଁ ଖାଲି କାହିଁକି ଟାର୍ଗେଟ କରିଥିଲେ ଗୋପାଳ। ଏ ତମାମ ପ୍ରଶ୍ନର ଉତ୍ତର ଚାହୁଁଛି ଓଡ଼ିଶା। ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍ ତନାଘନା କରୁଛି। କାରଣ ଖୋଜୁଛି। ହତ୍ୟା ଉଦ୍ଦେଶ୍ୟରେ ହିଁ ମନ୍ତ୍ରୀଙ୍କୁ ଗୋପାଳ ଗୁଳି କରିଥିବା ନେଇ ବ୍ରଜରାଜନଗର ଆଇଆଇସି ଏତଲା ଦେଇଛନ୍ତି। ମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଗୋପାଳ ଟ୍ରାଫିକ କ୍ଲିଅରାନ୍ସ ଦାୟିତ୍ୱରେ ଥିଲେ। ସେଥିଲାଗି ମନ୍ତ୍ରୀ ଆସିବା ମାତ୍ରେ ତାଙ୍କ ପାଖକୁ ଚାଲିଯାଇଥିଲେ ଗୋପାଳ। ଗୁଳି କରିବା ମାତ୍ରେ ତାଙ୍କୁ କାବୁ କରିବାକୁ ଯାଇ ଆଇଆଇସି ବି ଆହତ ହୋଇଥିବା ଏତଲାରେ ଦର୍ଶାଇଛନ୍ତି। ସେପଟେ ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗରେ ରହୁଥିବା ଗୋପାଳଙ୍କ ଘରେ ଏବେ ତାଲା ପଡ଼ିଛି। ପରିବାର ଲୋକେ କୁଆଡ଼େ ଯାଇଛନ୍ତି, କେହି କିଛି କହିପାରୁନାହାନ୍ତି।

କାହିଁକି ଗୋପାଳ ଗୁଳି କଲେ ମନ୍ତ୍ରୀଙ୍କୁ। ହତ୍ୟା ଉଦେଶ୍ୟରେ ହିଁ ଗୁଳି କରିଛନ୍ତି, ଏ କଥା ତ ସ୍ପଷ୍ଟ। ହେଲେ କାହିଁକି ଜଣେ ଏଏସଆଇ ଏତେ ବଡ଼ ପଦକ୍ଷେପ ନେବାକୁ ଭାବିଲେ। ତା ପୁଣି ସର୍ବସମ୍ମୁଖରେ ଦିବାଲୋକରେ।

Leave a Reply

Your email address will not be published. Required fields are marked *