ରାଜନୀତି

କେବଳ ଘୋଷଣାରେ ସୀମିତ ଓଡିଆ ବିଶ୍ୱବିଦ୍ୟାଳୟ: ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ନାଁରେ ଛାତ୍ରଛାତ୍ରୀଙ୍କୁ ପ୍ରତାରିତ କରୁଛନ୍ତି । ରାଜ୍ୟ ସରକାର ଓଡ଼ିଶାରେ ସମସ୍ତ ସରକାରୀ ନିଥିପତ୍ର ଓ ନାମଫଳକ ଓଡ଼ିଆରେ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିଁ । ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବା ସ୍ୱାଗତ ଯୋଗ୍ୟ କିନ୍ତୁ ଅଣଓଡ଼ିଆଙ୍କ ଦ୍ୱାରା ଶାସିତ ହେଉଥିବା ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟକୁ ଅବହେଳା ଦୁର୍ଭାଗ୍ୟଜନକ । ପୂର୍ବତନ ବିଧାୟକ ଓ ରାଜ୍ୟ ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ଯେ, ଓଡ଼ିଆ ବିଶ୍ୱବିଦ୍ୟାଳୟ ୨୦୧୮ରେ ପୁରୀରେ ସତ୍ୟବାଦୀରେ ପତିଷ୍ଠା କରାଯିବ ବୋଲି ନିଷ୍ପତି ହୋଇଥିଲା । ଦୀର୍ଘ ୬ବର୍ଷ ବିତିଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନା ପରିକଳ୍ପନାରେ ରହିଲା, ନିର୍ମାଣ କାର୍ଯ୍ୟ ଶେଷ ହେଲା ନାହିଁ । ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଓ ଇଛାଶକ୍ତି ଅଭାବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯଥାଶୀଘ୍ର ବିଶ୍ୱବିଦ୍ୟାଳୟ କୁଳପତି, ରେଜିଷ୍ଟର, ଓଏସ୍ଡି, ଅଧ୍ୟାପକ ତଥା ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସହ ୟୁଜିସି ଓ ନାକ୍ ଅନୁଦାନ ଉପଯୋଗୀ ଆବଶ୍ୟକତା ପୂରଣ କରାଯାଉ । ଏଥିସହ ଓଡ଼ିଆ ଭାଷା ସହ ଦୀର୍ଘ ଶତାଦ୍ଦୀ ଧରି ସଂଶ୍ଳୀଷ୍ଟ ବକୁଳବନର ସୁରକ୍ଷା ଓ ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ପଦକ୍ଷେପ ନେବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ଭୁବନେଶ୍ୱର ପରିବର୍ତେ ସତ୍ୟବାଦୀରେ ରଖାଯାଉ । ପୋଟି ଶ୍ରୀରାମଲୁ ତେଲୁଗୁ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦ ଓ ହାମ୍ଫି କନ୍ନଡ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚମାନର ଭାଷାଭିତିକ ବିଶ୍ୱବିଦ୍ୟାଳୟ ପାଇଁ ସରକାର ଜମି ଅଧିଗ୍ରହଣ କରିବା ସହ ଭିତିଭୂମି ସ୍ଥାପନା ପାଇଁ ଅବିଳମ୍ବେ ପଦକ୍ଷେପ ନେବାକୁ ବଳିୟାରସିଂହ ଦାବି କରିଛନ୍ତି ।

ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଚଳିତବର୍ଷ ୨୦୨୩-୨୪ରେ ଓଡ଼ିଆ ସାହିତ୍ୟ, ଭାଷାବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ କରିବେ । ନାକ୍, ୟୁଜିସି ଗ୍ରାଣ୍ଟ ପାଇଁ ସର୍ବନିମ୍ନ ୫ଟି ବିଷୟରେ ଶିକ୍ଷାଦାନ ଆବଶ୍ୟକତା ଥିଲାବେଳେ ମାତ୍ର ୩ଟି ବିଷୟ ଆରମ୍ଭ ହେବ ବୋଲି କୁହାଯାଉଛି । ନିର୍ମାଣ କାର୍ଯ୍ୟ ସରିନାହିଁ, ଏଯାଏଁ କୁଳପତି, ରେଜିଷ୍ଟ୍ରାର ନାହାନ୍ତି, ଅଧ୍ୟାପକ ନିଯୁକ୍ତି ହୋଇନାହାନ୍ତି, ଓଏସଡି ବିଜୟ ନାଏକ ରାଷ୍ଟ୍ରପତିଭବନ ଗଲାପରେ ବର୍ଷେ ହେଲା ପଦବୀ ଖାଲିପଡିଛି ଅଥଚ ଶିକ୍ଷାଦାନ ଆରମ୍ଭ କିପରି ହେବ ସେ ନେଇ ରାଜ୍ୟ ସରକାର ଉତ୍ତର ରଖିବା ଆବଶ୍ୟକ ।

ବିଶ୍ୱବିଦ୍ୟାଳୟ ହେଡକ୍ୱାଟର ସତ୍ୟବାଦୀ ପରିବର୍ତେ ଭୁବନେଶ୍ୱରରେ ରଖାଯିବାକୁ ମସୁଧା ଚାଲିଛି । ରାଜ୍ୟ ଭାରତରେ ଆଞ୍ଚଳିକ ଭାଷା ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଛି । କିନ୍ତୁ କେବଳ ଭାଷାଭିତିକ ବିଶ୍ୱବିଦ୍ୟାଳୟ ତେଲୁଗୁ, କନ୍ନଡ, ପଞ୍ଜାବ ରହିଛି ଓ ଓଡ଼ିଶାରେ ହେବାକୁ ଯାଉଛି ।

ବିଶ୍ୱବିଦ୍ୟାଳୟ ପାଇଁ ପ୍ରଶାସନିକ, ଶିକ୍ଷାଦାନ, ଲାଇବ୍ରେରୀ, ଗବେଷଣା, ସଂଗ୍ରାହଳୟ, ହଷ୍ଟେଲ, ଷ୍ଟାପ କ୍ୱାଟର, ସଭାଗୃହ, ଖେଳପଡିଆ, ଇନ୍ଣ୍ଡୋର ଷ୍ଟାଣ୍ଡିୟମ, କ୍ୟାଣ୍ଟିନ, ଗେଷ୍ଟ ହାଉସ, ଇତ୍ୟାଦି ବହୁବିଧ କୋଠା ନିର୍ମାଣର ଆବଶ୍ୟକତା ଥିଲାବେଳେ “ପର୍ବତର ମୂଷିକ ପ୍ରସବ”ଭାବେ ମାତ୍ର ୧୧ଏକର ଜମିରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯାଉଛନ୍ତି । ଏତେ କମ୍ ଜାଗାରେ ରାଜ୍ୟ ସରକାର କ’ଣ କରିବେ?

ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଧିକୃତ ଜାଗାରେ ରାଧାକୁଣ୍ଡ ତୀର୍ଥ ପୁଷ୍କରଣୀ ରହିଛି । ଏହି ତୀର୍ଥ ପୁଷ୍କରଣୀକୁ ୟୁପି, ବିହାର, ୱେଷ୍ଟବେଙ୍ଗଲରୁ ଆସୁଥିବା ଗଙ୍ଗାସାଗର ମେଳା ଯାତ୍ରୀ ସ୍ନାନ କଲେ ପୁଣ୍ୟ ହୁଏ ବୋଲି ପ୍ରବାଦ ଅଛି । ଏବେ ତାହା ବିଶ୍ୱବିଦ୍ୟାଳୟ ଭିତରେ ରହିଥିବାରୁ ଉକ୍ତ ତୀର୍ଥଯାତ୍ରୀମାନେ ପୁଣ୍ୟସ୍ନାନରୁ ବଞ୍ଚିତ ହେଲେ । ଶ୍ରୀଜିଉ ମନ୍ଦିରର କାଳୀୟଦଳନ ଉତ୍ସବ ମଧ୍ୟ ବାଧାପ୍ରାପ୍ତ ହେଲା । ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ଶ୍ମଶାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରହିଥିବା କାରଣରୁ ସାକ୍ଷୀ ଗୋପିନାଥ ମନ୍ଦିର ଦୁଇ ତିନିଦିନ ଧରି ବନ୍ଦ ରହିଲା । ରାଜ୍ୟ ସରକାର କ୍ରୀଡାର ବିକାଶ କରୁଛନ୍ତି କହିଲାବେଳେ ସତ୍ୟବାଦୀର ଏକମାତ୍ର ଖେଳପଡିଆ ସଂକୁଚିତ ହେଲା ବୋଲି ବଳିୟାରସିଂହ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button