ରାଜନୀତିରାଜ୍ୟ

ବିଜେଡ଼ି ସରକାରରେ ମହିଳା ଅତ୍ୟନ୍ତ ଉପେକ୍ଷିତ ଓ ଅତ୍ୟାଚାରିତ – ମହିଳା କଂଗ୍ରେସ

ଭୁବନେଶ୍ୱର : ପିପିଲିର ବେବିନା, ବ୍ରହ୍ମଗିରୀର ମାଧବୀଲତା, ଟିକିରୀ ଶିକ୍ଷୟିତ୍ରୀ ଇତିଶ୍ରୀ, ଧର୍ମଶାଳାର ସ୍ମିତାରାଣୀ, କୁନ୍ଦୁଲୀ ଛାତ୍ରୀ, ନୟାଗଡ଼ର ପରି ଓ ମମିତା ମେହେରଙ୍କ ପରି ଶହ ଶହ ପରିବାରକୁ ଦୀର୍ଘ ୨୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇପାରିଲେ ନାହିଁ । ଏ ସବୁ ଘଟଣାରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ସାଂସଦ ଓ ନେତା ସଂପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଂଟ ଘୋଡାଉଛନ୍ତି । ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମ ଉପରେ ସରକାର ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ମହିଳା କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ବୋଲି ପିସିସି ମୁଖପାତ୍ର ଅପର୍ଣ୍ଣାଧିର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥିସହ ଏହି ପ୍ରସଙ୍ଗରେ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମହିଳା କମିସନ ଅଧ୍ୟକ୍ଷା ପ୍ରତିନିଧି ମଣ୍ଡଳୀଙ୍କ ସହ ବିସ୍ତୃତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅପର୍ଣ୍ଣାଧିର ସିଂ, ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗିତାଞ୍ଜଳି ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ଅମିତା ବିଶ୍ୱାଳ ଓ ପ୍ରଭାବତି ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିଜେଡ଼ି ସରକାରର ମା’କୁ ସମ୍ମାନ ଏକ ଫମ୍ପା ଆହ୍ୱାନ ଏବଂ ବିଜେଡ଼ି ସରକାରର ୨୩ ବର୍ଷରେ ରାଜ୍ୟର ମହିଳା ଅତି ଶୋଚନୀୟ ଭାବେ ଉପେକ୍ଷିତ ଓ ଅତ୍ୟାଚାରିତ । ବିଜେଡ଼ିର ଚରିତ୍ର ମା’କୁ ନିର୍ଯାତନା ।  ବଲାଙ୍ଗୀର ଜିଲ୍ଲାର ଶାସକ ଦଳର ତୁଙ୍ଗ ନେତା ପୂର୍ବତନ ମନ୍ତ୍ରୀ, ତାଙ୍କ ପୁଅ ପୂର୍ବତନ ସାଂସଦଙ୍କ ବରୋଧରେ ବଧୂ ନିର୍ଯ୍ୟାତନା ଅଭିଯୋଗ ହୋଇ ମୋକଦ୍ଦମା ହୋଇଛି ଏବଂ ତଦନ୍ତ ଚାଲୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତାଙ୍କ ବିରୋଧରେ ବଧୂନିର୍ଯ୍ୟାତନା ଅଭିଯୋଗ ବାଙ୍କି ଥାନାରେ ମୋକଦ୍ଦମା ରୁଜୁ ହୋଇ ତଦନ୍ତ ଚାଲୁଛି । କେନ୍ଦ୍ରାପଡ଼ାର ସାଂସଦଙ୍କ ବିରୋଧରେ ନାରୀ ନିର୍ଯ୍ୟାତନର ଅଭିଯୋଗ ଟିଭି ଚ୍ୟାନେଲରେ ଆଖି ଦେଖୁଛି । ଜଗତସିଂହପୁର ଜିଲ୍ଲାର ଜଣେ ବିଧାନସଭା ସଦସ୍ୟଙ୍କ ବିରୋଧରେ ଜଣେ ଭଉଣୀର ଯୌନାଚାର ଅଭିଯୋଗ ରହିଛି ।

ଓଡ଼ିଶାରେ ମହିଳା ସଂପର୍କିତ ଅପରାଧ ଅତ୍ୟନ୍ତ ଉଦ୍‌ବେଗ ଜନକ । ୨୦୧୨ରେ ଓଡ଼ିଶା ଉତର ପ୍ରଦେଶ ଓ ଆସାମ ପରେ ଦେଶର ତୃତୀୟ ରାଜ୍ୟ ଭାବେ ଥିଲା । ଯୌତୁକ ନିର୍ଯ୍ୟାତନା, ଧର୍ଷଣ, ଗଣଧର୍ଷଣ ପାରିବାରିକ ହିଂସା ଓ ବଳାତ୍କାର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ।  ୨୦୨୩ ରେ ଓଡ଼ିଶା ବିଧାନସଭାରେ ଉପସ୍ଥିତ ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ମହିଳା ସଂପର୍କିତ ମାମଲା ବିଚାରାଧୀନ ହୋଇ ପଡ଼ିରହିଥିବା ହେଉଛି ୯୮.୬% ଭାରତ ବର୍ଷରେ ଏହା ସର୍ବାଧିକ । ଦଣ୍ଡବିଧାନ କ୍ଷେତ୍ରରେ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ମାତ୍ର ୮.୩ ପ୍ରତିଶତ ଯାହାକି ସର୍ବଭାରତୀୟ ହାରାହାରି ୨୬.୬୭% ଠାରୁ ବହୁ ଦୁରରେ ।

Related Articles

Leave a Reply

Your email address will not be published.

Back to top button