ମଣ୍ଡିରୁ ଉଠୁନି ଧାନ। ୯ ଦିନ ହେଲାଣି ଏସଏଚଜି ଗ୍ରୁପର ଅବହେଳାରୁ ଆସୁନାହାନ୍ତି ମିଲର। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଲ୍ୟାମ୍ପ ଅନ୍ତର୍ଗତ କୋଟାଗାଁ ମଣ୍ଡିରେ ଶୀତକାକରରେ ପଡ଼ି ଧାନକୁ ଜଗି ବସିଛନ୍ତି ଚାଷୀ। ଏସଏଚଜି ଗ୍ରୁପର କହିବା କଥା, ଧାନର ମାନ ଖରାପ ଥିବାରୁ ମିଲର ଧାନ ନେବାକୁ ମନା କରୁଛନ୍ତି। ପ୍ରଶ୍ନ ଉଠୁଛି। ଧାନ କିଣିବାକୁ ପ୍ରଶାସନ ସହ ଚୁକ୍ତି କରିଥିବା ଏସଏଚଜି ଗ୍ରୁପ୍ ଏବେ ମିଲରଙ୍କୁ ଦୋଷ ଦେଇ ଖସିଯାଉଛି କାହିଁକି। ଅବଶ୍ୟ ମିଲରଙ୍କ ଅସହଯୋଗରୁ ଅସହାୟତା ଦେଖାଇଛି ଏସଏଚଜି ଗ୍ରୁପ୍। ଏସଏଚଜି ଗ୍ରୁପରୁ ମଣ୍ଡି କାର୍ଡ କରିବା ପରେ ଚାଷୀଙ୍କୁ ମିଳିଥିଲା ଟୋକନ। ଚାଷୀଙ୍କ ଟୋକନ ଅବଧି ସରିବାକୁ ବସିଲାଣି। ଏହା ପରେ ଚାଷୀ ଧାନ ବିକିବେ କେମିତି ବୋଲି ଚଡ଼କ ପଡ଼ିଛି। ମଣ୍ଡିରେ ଉପୁଜୁଥିବା ଏଭଳି ସମସ୍ୟା ବାବଦରେ ବେଶ୍ ଅବଗତ ଥିବା ଜିଲ୍ଲା ପ୍ରଶାସନ କହିଛି, ଏହାର ସମାଧାନ ହେବ। ଚାଷୀ, ଏସଏଚଜି ଗ୍ରୁପ୍ ଓ ମିଲରଙ୍କ ସହ କଥା ହୋଇ ଧାନ କେମିତି ଜଲଦି ଉଠିବ, ସମାଧାନ କରାଯିବ। ଏମିତିରେ କଟନି ଛଟନି ଜାରି ରହିଛି। ପୂର୍ବରୁ ଏହି ମଣ୍ଡିରେ ୭ରୁ୮କିଲୋ ଯାଏଁ ଧାନ କାଟି ଚାଷୀଙ୍କଠୁ କିଣାଯାଇଛି।
ସେପଟେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ଅନୁରୂପ ଅବ୍ୟବସ୍ଥା। କର୍ଲାମୁଣ୍ଡା ବ୍ଲକର ଯୋରାଡବରା ଚାଷୀ ସେମାନଙ୍କ ଧାନ ମଣ୍ଡିରେ ବିକିଥିଲେ ସୁଦ୍ଧା କେବଳ ବୋନସ ୮ଶହ ଟଙ୍କା ପାଇଲେ ସିନା। କିନ୍ତୁ ଏମଏସପି ୨୩ଶହ ଟଙ୍କା ପାଇନାହାନ୍ତି। ଏହାର ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀ ଯୋରାଡବରା ସମବାୟ ସମିତି ଅଫିସ ଆଗରେ ଧାରଣା ଦେଇଥିଲେ।
କର୍ଲାମୁଣ୍ଡା ତହସିଲଦାର ସେମାନଙ୍କ ପ୍ରାପ୍ୟ ୫ ଦିନ ଭିତରେ ଦେବାକୁ କହିବାରୁ ଚାଷୀ ଆନ୍ଦୋଳନରୁ ଓହରିଥିଲେ।
ସେପଟେ ଯୋଗାଣ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର। ଚାଷୀଙ୍କ ଧାନ କେମିତି ଉଠିବ, ସେ ଦିଗରେ ଜିଲ୍ଲାପ୍ରଶାସନକୁ କଡ଼ା ନିର୍ଦେଶ ଦିଆଯାଇଛି। କଟନିଛଟନି ରୋକିବାକୁ କୁହାଯାଇଛି। ମାନକୁ ନେଇ ଉଠୁଥିବା ଆପତ୍ତି ଅଭିଯୋଗର ସମାଧାନ ହେବ। ଏମଏସପି ଟଙ୍କା ଯିଏ ପାଇନାହାନ୍ତି, ତାଙ୍କୁ ତୁରନ୍ତ ଦିଆଯିବ।
ମଣ୍ଡିରୁ ଉଠୁନି ଧାନ। ମାନ ଖରାପ ଆଳରେ ମିଲର ନେବାକୁ ରାଜି ହେଉନାହାନ୍ତି। ଆଉ ଶୀତକାକର ମାଡ଼ ଖାଇ ମଣ୍ଡିରେ ପଡ଼ିରହୁଛି ଚାଷୀ। ସରକାରଙ୍କ ଘୋଷଣା ତଳସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି, ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ବେଶ୍ ବାରି ହୋଇପଡ଼ିଲାଣି। ସେଥିଲାଗି ତ ଚାଷୀ ଅଭାବୀ ବିକ୍ରିର ଶୀକାର ହେବା ଥୟ ବୋଲି ଜଳଜଳ କରି ଦେଖାଯାଉଛି। ପଡ଼ୋଶୀ ରାଜ୍ୟର ଦଲାଲଙ୍କୁ କମ୍ ଦରରେ ନ ବିକିବା ଛଡ଼ା ଚାଷୀର ଚାରା ନଥିଲା ଭଳି ମନେ ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now