ପୋଛିନେଲା ବିଜେପି..

Spread the love

() ଜିତିଲେ ମୁକୁ। ହାରିଲେ ବବି। ବାଜି ମାରିଲେ ଅପରାଜିତା। ୨୬ ବର୍ଷ ପରେ ପୁରୀରେ ପଦ୍ମ ଫୁଟାଇଲେ ସମ୍ୱିତ। କିନ୍ତୁ ୨୬ ବର୍ଷ ପରେ ପଟ୍ଟ ପରିବର୍ତ୍ତନ କରି ବି ପୁଣି ବିଜୟର ସ୍ୱାଦ ଚାଖିଲେ ଭର୍ତ୍ତୃହରି। ବୈଜୟନ୍ତ ଏଥର ବାଜି ମାରିଲେ। ବାଲେଶ୍ୱର ଚତୁର୍ମୁଖୀ ଲଢ଼େଇରେ ଆଗୁଆ ରହିଲେ ପ୍ରତାପ। ବ୍ରହ୍ମପୁରରୁ ଏଥର ଲେଖା ଛିଡ଼ାଇବାର ଦମ୍ଭୋକ୍ତି ଦେଖାଉଥିବା ପ୍ରଦୀପ ପାଣିଗ୍ରାହୀ ବି ଦାଉ ଦାଉ ହୋଇ ଜଳିଲେ। ହେଲେ ନବରଙ୍ଗପୁରରେ ଦୀର୍ଘ ୧୦ ବର୍ଷ ପରେ ପଟ୍ଟ ପରିବର୍ତ୍ତନ କରି ବିଜୟର ସ୍ୱାଦ ଚାଖିପାରିଲେନି ପ୍ରଦୀପ ମାଝୀ। ବରଗଡ଼ ଓ ଭୁବନେଶ୍ୱରର ସଚେତନ ଭୋଟର ଗଲାଥର ସ୍ପ୍ଲିଟ୍ ଭୋଟିଂରେ ବିଜେପିକୁ ଜିତାଇଥିଲା ବେଳେ ଏଥର ବି ବଡ଼ ବିଜୟ ଦେଲେ।

 ଦୀର୍ଘ ୧୫ ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଜି ମାରିଲେ। ହଟ୍ ସିଟ୍ ସମ୍ୱଲପୁରରେ ବାଜି ମାରିଲେ ମୁକୁ। ବିଜେଡି ସଂଗଠନ ସମ୍ପାଦକ ବବିଙ୍କୁ ହରାଇ ନିଜର ଦବଦବା ଜାହିର କରିବାକୁ ସକ୍ଷମ ହେଲେ। ୨୦୧୯ରେ ୯ହଜାର ଭୋଟ ବ୍ୟବଧାନରେ ଜିତି ଏହି ଆସନକୁ ବିଜେପି ଦଖଲକୁ ନେଇଥିବା ବେଳେ ଏଥର ବିଜୟ ବ୍ୟବଧାନ ଅଧିକ ରଖିବାକୁ ସକ୍ଷମ ହୋଇପାରିଲେ ଧର୍ମେନ୍ଦ୍ର। ୧୯୯୮ରୁ ବିଜେଡି ଗଡ଼ ଭାବେ ପରିଚିତ ଥିଲା ସମ୍ୱଲପୁର ଲୋକସଭା ଆସନ। ପଶ୍ଚିମ ଓଡ଼ିଶାର ଏପିସେଣ୍ଟରରେ ଧର୍ମେନ୍ଦ୍ରଙ୍କ ବିଜୟବାନାରେ ପୁରା ବିଜେପି ଶିବିର ଉଲ୍ଲସିତ।

 ସେପଟେ ପୁରୀରେ ଦୀର୍ଘ ୨୬ ବର୍ଷ ପରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇଲେ ସମ୍ୱିତ ପାତ୍ର। ଗଲା ନିର୍ବାଚନରେ ମାତ୍ର ୧୨ ହଜାର ଭୋଟରେ ହାରିଥିବା ସମ୍ୱିତ ଏଥର ଅରୂପଙ୍କୁ ହରାଇ ପରାଜୟର ପ୍ରତିଶୋଧ ନେଇଗଲେ। ଅରୂପ ପଟ୍ଟନାୟକ ଗଲା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ହାରିଥିଲେ। ଆଉ ଏଥର ପୁରୀରୁ ହାରିଲେ।ହେଲେ ୨୬ ବର୍ଷ ହେଲା କଟକ ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକଟରେ ବାଜି ମାରି ଆସୁଥିବା ଭର୍ତ୍ତୃହରି ମହତାବଙ୍କ ଲାଗି ଏଥର ଦଳବଦଳ ବି ଫାଏଦା ଦେଲା। ବିଜେପି ଟିକଟରେ ଲଢ଼ି କଟକ ଆସନକୁ ଏଥର ବି ନିଜ କବଜାରେ ରଖିବାକୁ ସକ୍ଷମ ହେଲେ। ସଂତୃପ୍ତ ମିଶ୍ର ନିଜର ନିର୍ବାଚନୀ ଡେବ୍ୟୁରେ ହାରିଗଲେ।

କେନ୍ଦ୍ରାପଡ଼ାରେ ବୈଜୟନ୍ତ ଏଥର ବଡ଼ ବିଜୟ ଦେଖିଲେ। ୧୯୯୮ରୁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ  ଜାରି ଥିବା ବିଜେଡିର ବିଜୟଧାରାରେ ବ୍ରେକ୍ କଷିପାରିଲେ ବୈଜୟନ୍ତ। ଅଂଶୁମାନ ମହାନ୍ତିଙ୍କ ଭଳି ଯୁବ ଚେହେରାଙ୍କ କ୍ରେଜ୍ ଅଭିଜ୍ଞ ଓ ଅନୁଭବୀ ବୈଜୟନ୍ତଙ୍କ ଉପରେ ଭାରି ପଡ଼ିପାରିଲାନି ।

ଭୁବନେଶ୍ୱର ଓ ବରଗଡ଼ ସଂସଦୀୟ କ୍ଷେତ୍ରରେ ୨୦୧୯ରେ ଗୋଟିଏ ବି ବିଧାନସଭା ଆସନ ଜିତିନଥିଲେ ବି ସ୍ପ୍ଲିଟ୍ ଭୋଟିଂ ପାଇଁ ସଂସଦୀୟ କ୍ଷେତ୍ରରେ ବାଜିମାତ୍ କରିଥିବା ବିଜେପି ଏଥର ପୂର୍ବ ରେକର୍ଡ କାଏମ ରଖିଲା। ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ଓ ବରଗଡ଼ରେ ପ୍ରଦୀପ ପୁରୋହିତ ବାଜି ମାରିଲେ। ବିଜେପି ଭୁବନେଶ୍ୱର ଓ ବରଗଡ଼ ଆସନ ଦଖଲ କରିବାକୁ ଏଥର ବି ସକ୍ଷମ ହେଲା।ସୁନ୍ଦରଗଡ଼ରେ ଜୁଏଲ ଓରାମ ନିଜର ବିଜୟର ଟ୍ରାକ୍ ରେକର୍ଡ ବଜାୟ ରଖିଲେ। ଏଥର ହ୍ୟାଟ୍ରିକ ବି ରଚିଲେ ଜୁଏଲ। ୧୯୯୮,୯୯ ଓ ୨୦୦୪ରେ ହ୍ୟାଟ୍ରିକ୍ ବିଜୟର ରେକର୍ଡ ରଚିଥିଲେ ଜୁଏଲ। କେବଳ ୨୦୦୯ରେ ହେମାନନ୍ଦ ବିଶ୍ୱାଳଙ୍କଠୁ ହାରିଥିଲେ ଜୁଏଲ।

 ମୟୂରଭଞ୍ଜ ଲୋକସଭା ଆସନରୁ ହାରିଲେ ସୁଦାମ ମାର୍ଣ୍ଡିଂ। ବାଲେଶ୍ୱରରେ ଚତୁର୍ମୁଖୀ ଲଢ଼େଇରେ ଆଗରେ ରହିଲେ ପ୍ରତାପ ଷଡ଼ଙ୍ଗୀ। ବିଜେଡିର ଲେଖାଶ୍ରୀ ବିଜେପି ହାତରୁ ଏହି ଆସନ ଛଡାଇନେବାରେ ଫେଲ୍ ମାରିଲେ। ଏଥର ଲେଖା ଛିଡ଼େଇଦେବାର ଦମ୍ଭୋକ୍ତି ଦେଖାଇଆସୁଥିବା ପ୍ରଦୀପ ପାଣିଗ୍ରାହୀ କିନ୍ତୁ ବ୍ରହ୍ମପୁରରେ ବଡ଼ ବିଜୟ ହାସଲ କଲେ। ଭୃଗୁ ବକ୍ସିପାତ୍ର ଦ୍ୱିତୀୟ ଥର ପରାଜୟର ସ୍ୱାଦ ଚାଖିଲେ।

କିନ୍ତୁ ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଦୀର୍ଘ ୧୦ ବର୍ଷ ପରେ ଦଳ ପରିବର୍ତ୍ତନ କରି ବିଜୟର ସ୍ୱାଦ ଚାଖିବାକୁ ସକ୍ଷମ ହେଲେନି। ୨୦୧୯ରେ ଏକମାତ୍ର ଆସନ ଦଖଲ କରିଥିବା କଂଗ୍ରେସ ହାତରେ କୋରାପୁଟ ଆସନ ଏଥର ବି ରହିଲା। ସପ୍ତଗିରିଙ୍କ ଦବଦବା କାଟୁ କଲା। କୌଶଲ୍ୟା ହିକ୍କକା ନିଜ ପରାଜୟର ପ୍ରତିଶୋଧ ୨୪ରେ ନେଇପାରିଲେନି। ୨୦୧୯ରେ ୪ ହଜାର ଭୋଟରେ ହରାଇଥିବା କୌଶଲ୍ୟାଙ୍କୁ ଏଥର ବି ସପ୍ତଗିରି ହରାଇଲେ।  

ଯୋଡ଼ି ଶଙ୍ଖରେ ଏଥର ବିଶ୍ୱାସ କଲେନି ଭୋଟର। ଲୋକସଭାରେ ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଅଧିକାଂଶ ଆସନ ପୋଛିନେଲା ବିଜେପି। କହିବାକୁ ଗଲେ ୨୧ ଆସନରେ ଏକତରଫା ବିଜୟ ହାସଲ କରି ୨୪ରେ ରେକର୍ଡ ରଚିଲା ବିଜେପି।

Leave a Reply

Your email address will not be published. Required fields are marked *