ଆରମ୍ଭରୁ ଅଚଳାବସ୍ଥା। ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଆରମ୍ଭ ଆଗରୁ କଂଗ୍ରେସ ସଦସ୍ୟ ବେକରେ ବ୍ୟାନର ଝୁଲାଇ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମୋହନ ସରକାର ବିରୁଦ୍ଧରେ ନାରାବାଜି କରିଥିଲେ। ଗଲା ୮ ମାସ ଭିତରେ ରାଜ୍ୟରେ ଯେଭଳି ମହିଳା ଅତ୍ୟାଚାର ବଢ଼ିଛି, ନାବାଳିକା ଗର୍ଭବତୀରୁ ନେଇ ଦୁଷ୍କର୍ମ ବଢ଼ିଛି। ସେ ଦିଗରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗୁନାହାନ୍ତି। ମହିଳା ହିଂସା ବିରୁଦ୍ଧରେ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି ଡବଲ ଇଞ୍ଜିନ୍ ସରକାର। ମହିଳା ବିରୋଧୀ ହିଂସା ରୋକିବା ନେଇ ମୋହନ ସରକାର କଠୋର ନୀତି ନ ଆଣିବା ଯାଏ ପ୍ରତିବାଦ ଜାରି ରହିବ ବୋଲି ଚେତାଇ ଦେଇଥିଲା କଂଗ୍ରେସ।
ଆଉ ଗୃହ କାର୍ଯ୍ୟ ଆରମ୍ଭରୁ ଦିବଂଗତ ସଦସ୍ୟ ଅନନ୍ତ ଦାସଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଥିଲା। ଶୋକପ୍ରସ୍ତାବ ଆଗତ ସରିବା ମାତ୍ରେ ପୁଣି ଗୃହର ମଧ୍ୟଭାଗକୁ ଓହ୍ଲାଇଥିଲା କଂଗ୍ରେସ। ବାଚସ୍ପତିଙ୍କ ପୋଡିଅମ ତଳେ ହଟ୍ଟଗୋଳ କରିଥିଲା। ଫଳରେ ବାଧ୍ୟହୋଇ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିଥିଲା। ଭୁବନେଶ୍ୱର ଏଡିଏମ ଅଫିସ ଆଗରେ ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଗଣବିକ୍ଷୋଭ କରିଥିଲେ। ମୋହନ ସରକାରଙ୍କୁ ଚେତେଇ ଦେଇଛନ୍ତି ଭକ୍ତ। ନବୀନ ସରକାର ଅମଳରେ ମହିଳା ଯେମିତି ଅସୁରକ୍ଷିତ ଥିଲେ, ମୋହନ ସରକାର ଅମଳରେ ଠିକ୍ ସେମିତି ପରିସ୍ଥିତି ହେଲାଣି। କଂଗ୍ରେସର ଏଭଳି ଆଭିମୁଖ୍ୟକୁ ନେଇ ଶାସକ ବିଜେପି ଦଳ କହିଛି, ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାର ବେଶ୍ ସଚେତନ। ନାରୀ ନିର୍ଯ୍ୟାତନା ନେଇ ମୁହଁ ଫିଟାଇବାକୁ କଂଗ୍ରେସର ନୈତିକତା ନାହିଁ।
ମହିଳା ଅତ୍ୟାଚାର, ଦୁଷ୍କର୍ମ, ନିର୍ଯ୍ୟାତନାକୁ ପ୍ରତିବାଦ ସହ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ କଂଗ୍ରେସ ଯୁଦ୍ଧଂଦେହି ଡାକରା ଦେଇଛି। ଡବଲ ଇଞ୍ଜିନ୍ ସରକାରରେ ମହିଳା ଅସୁରକ୍ଷିତ ନେଇ ସ୍ୱରକୁ ଶାଣିତ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now