ବିଜେପି ସରକାରକୁ ହଟାଇବାକୁ କଂଗ୍ରେସ ଏକାକୀ ଅସମର୍ଥ  

Spread the love

() ବିଜେପି ସରକାରକୁ ଏକାକୀ ପାରିବନି କଂଗ୍ରେସ। ୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଏକାକୀ କଂଗ୍ରେସ ସକ୍ଷମ ନୁହେଁ। ସେଥିଲାଗି ବିରୋଧୀ ଦଳଗୁଡ଼ିକ ଏକାଠି ହେବା ନିହାତି ଦରକାର। ବିଜେପି ବିରୋଧୀ ଭୋଟ୍ ଆଣିବାକୁ ହେଲେ ବିରୋଧୀଙ୍କ ଏକତା ଦରକାର। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେନୁଗୋପାଳ ଏହି ଅପ୍ରିୟ ସତ ଓଗାଳିବାକୁ ବାଧ୍ୟ ହେବା ପରେ କଂଗ୍ରେସ ସମେତ ସମଭାବାପନ୍ନ ବିରୋଧୀ ଦଳ ଭିତରେ ଏହାକୁ ନେଇ ଟେନସନ ବଢ଼ିଯାଇଛି।

ଚିନ୍ତାରେ କଂଗ୍ରେସ। ଟେନସନରେ ବିରୋଧୀ। ଏବେକାର ସ୍ଥିତିରେ ବିଜେପି ସରକାରକୁ ହଟାଇବାକୁ କଂଗ୍ରେସ ଏକାକୀ ସମର୍ଥ ନୁହେଁ। ସେପଟେ ବିରୋଧୀ ଏକତା ବି ସହଜ ହେଉନି। ଯେ କୌଣସି ପରିସ୍ଥିତିରେ କଂଗ୍ରେସ  ବିଜେପି ସହ ଲଢ଼ିବା ଥୟ। କିନ୍ତୁ ବିଜେପିର ଅଗଣତାନ୍ତ୍ରିକ, ମନମୁଖୀ ଶାସନକୁ ହଟାଇବାକୁ ଏତିକି ଯଥେଷ୍ଟ ହେବନି। ଏଥିଲାଗି ସାମୂହିକ ଉଦ୍ୟମ ଦରକାର। ଯାହାକି ବିରୋଧୀ ଦଳ ଗୁଡ଼ିକ ଏକାଠି ହେଲେ ଯାଇ ସମ୍ଭବ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେନୁଗୋପାଳ। ସଂସଦରେ ବିରୋଧୀଙ୍କୁ କୁହାଇ ଦିଆଯାଉନି। କାରଣ ଦେଶରେ ଏବେ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ଉପୁଜିଲାଣି। କଂଗ୍ରେସ ଏହି ବଡ଼ ଆହ୍ୱାନକୁ ମୁକାବିଲା କରିବାକୁ ପ୍ରସ୍ତୁତ। କିନ୍ତୁ ବିରୋଧୀ ଦଳ ଗୁଡ଼ିକର ସହଯୋଗ ଦରକାର।

ସେପଟେ ୨୪ରୁ ଛତିଶଗଡ଼ର ରାୟପୁରରେ ୩ ଦିନିଆ କଂଗ୍ରେସର ମହା ସମ୍ମିଳନୀ ଆରମ୍ଭ ହେଉଛି। କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବନି ବୋଲି ଜୟରାମ ରମେଶ ଦମ୍ଭୋକ୍ତି ଦେଖାଇଛନ୍ତି ସତ। ଆଉ ବିରୋଧୀ ମେଣ୍ଟର ନେତୃତ୍ୱ କଂଗ୍ରେସ ନେବା ଆବଶ୍ୟକ ବୋଲି ଟିପ୍ପଣୀ ବି କରିଛନ୍ତି। କାରଣ କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସଫଳ ହେବ। ଏମିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି କହିସାରିଛନ୍ତି, ସେ କଂଗ୍ରେସର ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିଛନ୍ତି। ସମସ୍ତ ବିରୋଧୀ ଦଳକୁ କେବେ କଂଗ୍ରେସ ଏକାଠି ଆଣୁଛି। ଆଉ ଜବାବରେ ଜୟରାମ ରମେଶ ବି କହିଛନ୍ତି, କଂଗ୍ରେସର ଭୂମିକା କଅଣ ରହିବ, ଏକଥା ଦଳ ଭଲ ଭାବେ ଜାଣେ। କଂଗ୍ରେସ ଏକମାତ୍ର ଦଳ ଯିଏ ବିଜେପି ସହ କେବେ ବି ବୁଝାମଣା କରିନି। କିନ୍ତୁ ସଂସଦ ଅଧିବେଶନ ବେଳେ ତମାମ ବିରୋଧୀ ଦଳକୁ ନିଜ ଚାମ୍ୱରକୁ ଡାକି ମଲ୍ଲିକାର୍ଜୁନ ଖଡ଼ଗେ ରଣନୀତି କରୁଥିଲା ବେଳେ, ଅନେକଙ୍କ ଭୂମିକା ବିଜେପି ଦଳକୁ ସୁହାଇଲା ଭଳି ଥିଲା। ସେଥିଲାଗି ଦୋମୁହାଁ ହେବାନି।

ଏପଟେ ନୀତିଶ ଆଗରୁ କହିଥିଲେ ବି, ତୃତୀୟ ସାମ୍ମୁଖ୍ୟ ନୁହେଁ। ବିଜେପିକୁ ହଟାଇବାକୁ ହେଲେ ମେନ୍ ଫ୍ରଣ୍ଟ୍ ଦରକାର। ସେପଟେ କିନ୍ତୁ ନୀତିଶଙ୍କ ସହ ବିଦ୍ରୋହ କରି ଜେଡିୟୁ ଛାଡ଼ିଛନ୍ତି ବରିଷ୍ଠ ଜେଡିୟୁ ନେତା ଉପେନ୍ଦ୍ର କୁଶଓ୍ୱାହା। କୁଶଓ୍ୱାହା ନୂଆ ଦଳ ଗଠନ ଲାଗି ଘୋଷଣା କରିଛନ୍ତି। ନୀତିଶଙ୍କୁ ଆରଜେଡିର ବି-ଟିମ୍ ବୋଲି କହିଛନ୍ତି କୁଶଓ୍ୱାହା। ନୀତିଶଙ୍କ ନେତୃତ୍ୱରେ ଜେଡିୟୁ ନିଜର ପରିଚୟ ହରାଇସାରିଛି। ସେପଟେ ୨୪ରେ ବିହାରରୁ ହିଁ ପ୍ରଧାନମନ୍ତ୍ରୀ ହେବେ। ବିଭିନ୍ନ ସମଭାବାପନ୍ନ ଦଳକୁ ଏକାଠି କରିବାକୁ ନୀତିଶ ଆଗୁଆ ସଂକଳ୍ପ ନେଇ କାମ ଆରମ୍ଭ କରିସାରିଛନ୍ତି। ଆଉ ଦିଲ୍ଲୀରେ ଥିବା ମୋଦି ସରକାରକୁ କ୍ଷମତାରୁ ହଟାଇବାରେ ପ୍ରମୂଖ ଭୂମିକା ସାଜିବ ବିହାର ବୋଲି କହିଲେଣି ଆରଜେଡି ନେତା ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ସାରିଛନ୍ତି ତେଜସ୍ୱୀ।

ସେପଟେ ମୋଦି ବିକାଶର ପ୍ରତୀକ ସାଜିଛନ୍ତି। ବିଜେପି ସରକାର ବିରୁଦ୍ଧରେ ଯେତେ ଅପପ୍ରଚାର କଲେ ବି ଜନତା ପ୍ରଭାବିତ ହେବେନି। ବିରୋଧୀ ଏକାଠି ହେଲେ ବି ମୋଦିଙ୍କୁ ହଲାଇପାରିବେନି ବୋଲି ବିଜେପି ଦମ୍ଭୋକ୍ତି ଦେଖାଇଛି। ଗୃହ ମନ୍ତ୍ରୀ ଅମିତ ଶାହା ବି କହିସାରିଛନ୍ତି, ୨୪ରେ ବିଜେପି ସହ କାହାର ପ୍ରତିଯୋଗିତା ହିଁ ନାହିଁ।

୨୪ ପାଇଁ ସଜବାଜ। ବିଜେପିକୁ ହଟାଇବାକୁ ଏକାକୀ କଂଗ୍ରେସ ସମର୍ଥ ନୁହେଁ ବୋଲି ହାତ ଟେକିସାରିଲାଣି। ଆଉ ବିରୋଧୀଙ୍କୁ ଏକାଠି କରିବା ବି କାଠିକର ପାଠ। ଏଭଳି ସ୍ଥଳେ ଲାଗୁଛି ଯେମିତି ବିଜେପି ଲାଗି ୨୪ ରାସ୍ତା ଏତେ କଣ୍ଟକିତ ହେବନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *