ପୂର୍ବତନ ଆରବିଆଇ ଗଭର୍ନରଙ୍କୁ ନେଇ ରାଜନୀତି

Spread the love

ନୂଆଦିଲ୍ଲୀ: ଡିସେମ୍ବର ୧୬ ତାରିଖରେ ଭାରତ ଯୋଡ ଯାତ୍ରା ୧୦୦ ଦିନରେ ପହଞ୍ଚିବ। କିନ୍ତୁ ଏହା ପୂର୍ବରୁ ପୁଣି ଯାତ୍ରାକୁ ନେଇ ସରଗରମ ଚର୍ଚ୍ଚା। ବୁଧବାର ଦିନ ରାହୁଲଙ୍କ ସହ ଯାତ୍ରାରେ ପୂର୍ବତନ ଆରବିଆଇ ଗଭର୍ନର ଏନ ରଘୁରାମ ରାଜନ ସାମିଲ ହୋଇ ଦୀର୍ଘ ସମୟ ରାହୁଲଙ୍କ ସହ ଆଲୋଚନା କରିବା ପରେ ପୁଣି ଜମିଛି ରାଜନୈତିକ ବୟାନବାଜି।   

ଭାରତ ଯୋଡ ଯାତ୍ରାରେ ପୂର୍ବତନ ଆରବିଆଇ ଗଭର୍ନର। ଆରବିଆଇର ପୂର୍ବତନ ଗଭର୍ନର ଏନ ରଘୁରାମ ରାଜନ ବୁଧବାର ରାହୁଲ ଗାନ୍ଧୀଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାରତ ଯୋଡ ଯାତ୍ରାର ଭିଡିଓରେ ରାଜନ ଚାଲୁଥିବା ବେଳେ ଦୀର୍ଘ ସମୟ ଧରି ରାହୁଲଙ୍କ ସହ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କରୁଥିଲେ ଆଲୋଚନା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚାରେ ରାହୁଲଙ୍କ ଭାରତ ଯୋଡ ଯାତ୍ରା ଓ ରାଜନଙ୍କ ରାଜନୈତିକ ଯାତ୍ରାର ସମ୍ଭାବନା। ରାଜନୈତିକ ବିଶେଷଜ୍ଞ ଙ୍କ ଆକଳନ, ରାଜନ ଖୁବ ଶୀଘ୍ର ହୁଏତ କଂଗ୍ରେସରେ ପାଦ ଥାପିବାକୁ ଯାଉଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁମାନ ଯାହା ହୋଇଥାଉ ନା କାହିଁ, ଏହା ଉପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ବିଜେପି। ରାଜନ ନିଜକୁ ପରବର୍ତ୍ତୀ ମନମୋହନ ସିଂହ ଭାବେ ପରିକଳ୍ପନା କରୁଥିବା ବିଜେପି ପକ୍ଷରୁ କଟାକ୍ଷ କରାଯାଇଛି।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଗ ଯାତ୍ରା ରାଜସ୍ଥାନର ମାଧୋପୁର ଅନ୍ତର୍ଗତ ସୱାଇରେ ପହଞ୍ଚିବା ବେଳକୁ ଏହି ଯାତ୍ରାରେ ସାମିଲ ହୋଇଥିଲେ ଆରବିଆଇର ପୂର୍ବତନ ଗଭର୍ନର ତଥା ମୋଦି ସରକାର ଦ୍ବାରା ଆପଣା ଯାଇଥିବା ଅର୍ଥନୀତିର ବଡ ସମାଲୋଚକ ରଘୁରାମ ରାଜନ। ଉଭୟ ଦୀର୍ଘ ସମୟ ଧରି ଏକା ସାଂଗରେ ଚାଲିବା ସହ ପରସ୍ପର ମଧ୍ୟରେ ଆଲୋଚନାରେ ଥିଲେ ବ୍ୟସ୍ତ । ଏହି ସମୟରେ ରାଜସ୍ଥାନର ଯୁବ ନେତା ସଚିନ ପାଇଲଟ ମଧ୍ୟ ସେମାନଙ୍କ ସହ ସାମିଲ ଥିଲେ। ରାଜନ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କହିଥିଲେ କି, ଆସନ୍ତା ବର୍ଷ ଭାରତ ତଥା ବିଶ୍ବ ଅର୍ଥନୀତି ପାଇଁ ଆହୁରି କଠିନ ହେବ । ତେବେ ଚଳିତ ବର୍ଷ ମଧ୍ୟ ଯୁଦ୍ଧ ଓ ଅନ୍ୟାନ୍ୟ କାରଣ ପାଇଁ ବିଶ୍ବ ଦୁସ୍ଥ ଅର୍ଥବ୍ୟବସ୍ଥା ଦେଇ ଗତି କରୁଛି। ବିଶ୍ବର ଗ୍ରୋଥ ରେଟ ମଧ୍ୟ ମନ୍ଥର ହୋଇଛି। ବର୍ତ୍ତମାନ  ଦେଶରେ ମୁଦ୍ରାସ୍ପୀତି ଜଟିଳ ସ୍ଥିତିରେ ପହଞ୍ଚିଛି। ଦେଶରେ ଦ୍ରବ୍ୟ, ପନିପରିବା ଅନ୍ୟାନ୍ୟ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ଘଟିବାରୁ ଅର୍ଥିକ ଅଭିବୃଦ୍ଧି ଉପରେ କୁପ୍ରଭାବ ପଡିଛି। 
ଯଦି ଚଳିତ ବର୍ଷର ୫ପ୍ରତିଶତ ଗ୍ରୋଥ ରେଟ ଆସନ୍ତା ବର୍ଷ ବଜାୟ ରହେ ତେବେ ଆମେ ନିଜକୁ ଭାଗଶାଳୀ ମନେ କରିବା। ଦେଶରେ ୨୦୧୯ର ମହାମାରୀ ପୂର୍ବର ସ୍ଥିତି ଓ ମହାମାରୀ ପରର ସ୍ଥିତିରେ ପାର୍ଥକ୍ୟ ଦେଖା ଦେଇଛି। ତେବେ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡି ପଡିବାର ଗୋଟିଏ କାରଣ ମାହାମାରୀ ହୋଇଥାଇ ପାରେ କିନ୍ତୁ  ମୁଖ୍ୟ କାରଣ ହେଉଛି ଯାହା ଅଭିବୃଦ୍ଧିକୁ ଗତିଶୀଳ କରିପାରିବ ଆମେ ସେହି ସଂସ୍କାର ଆଣିପାରୁ ନାହୁଁ । କରୋନା ପୂର୍ବରୁ ଦେଶରେ ଧନୀ ଓ ଗରିବ ଭିତରରେ ଭେଦଭାବ ସୃଷ୍ଟି କରାଯାଇଥିଲା ଯାହା ପେଣ୍ଡାମିକ ଆହୁରି ବଢାଇ ଦେଇଛି। ନିମ୍ନ ମଧ୍ୟବିତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି ମହାମାରୀ।  ଏମାନେ ଗୋଟିଏ ପଟେ ରୋଜଗାର ହରାଇଥିବା ବେଳେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ପରି ମାଗଣା ରାସନ ମଧ୍ୟ ପାଇ ପାରୁ ନାହାନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଲୋୟର ମିଡିଲ କ୍ଲାସକୁ ଦୃଷ୍ଟିରେ ରଖି ଆମର ଅର୍ଥ ନୀତିକୁ ସଜାଡିବାର ଆବଶ୍ୟକତା ରହିଛି ବୋଲି ରାଜନ କହିଥିଲେ।
 ତେବେ ରାହୁଲଙ୍କ ସହ ରାଜନଙ୍‌କ ଉପସ୍ଥିତିର  ଭିଡିଓକୁ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା କି,  ଭାରତ ଯୋଡରେ  ରାହୁଲ ଗାନ୍ଧୀଙ୍କ ସହ ପାଦ ମିଳାଇଛନ୍ତି ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ଆହୁରି ଆଗକୁ ଟ୍ବିଟରରେ କୁହାଯାଇଥିଲା କି, ଘୃଣା ବିରୋଧରେ ଦେଶକୁ ଯୋଡିବାକୁ  ଠିଆ ହୋଇଥିବା ବର୍ଦ୍ଧିତ ସଂଖ୍ୟା ସୂଚାଉଛି କି, ଆମେ ନିଜ ଲକ୍ଷ୍ୟରେ ସଫଳ ହେବୁ। ଏହି ଟ୍ବିଟରୁ ରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଭିତରେ ଦେଖାଦେଇଥିବା ଉଲ୍ଲାସ ସ୍ପଷ୍ଟ ବାରି ହୋଇଯାଉଛି। ସେପଟେ କିନ୍ତୁ ରାଜନଙ୍କ ଉପସ୍ଥିତିକୁ ନେଇ ବିଜେପି କଟାକ୍ଷ କରିବାକୁ ପଛାଇ ନାହିଁ। ବିଜେପି ନେତା ଅମିତ ମାଲଭିୟ କହିଛନ୍ତି କି, ରଘୁରାମ ରାଜନ, କଂଗ୍ରେସ ଦ୍ବାରା ନିଯୁକ୍ତି ପାଇଥିବା ଆରବିଆଇର ପୂର୍ବତନ ଗଭର୍ନର। ସେ ରହୁଲଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ହେବାରେ କୌଣସି ବିସ୍ମୟତା ନାହିଁ। ସେ ନିଜକୁ ପରବର୍ତ୍ତୀ ମନମୋହନ ସିଂହ ଭାବେ ନିଜକୁ ପରିକଳ୍ପନା କରୁଛନ୍ତି। 
ତେଣୁ ତାଙ୍‌କ ଦ୍ବାରା ଭାରତ ସରକାରର ଅର୍ଥନୀତିକୁ କରାଯାଉଥିବା ସମାଲୋଚନାକୁ ଗୁରୁତ୍ବ ଦିଆ ନ ଯାଇ ପ୍ରତ୍ୟାକ୍ଷାନ କରାଯିବା ଉଚିତ। ଏହାକୁ ରଙ୍ଗୀନ ଓ ଅତିରଞ୍ଜିତ କରାଯାଉଛି ବୋଲି ମାଲଭିୟ କହିଛନ୍ତି। ସେପଟେ ମାଲଭିୟଙ୍କ ସ୍ବରରେ ସ୍ବର ମିଳାଇବାକୁ ଆଗେଇ ଆସିଥିଲେ ବିଜେପି ନାସନାଲ ଜେନେରାଲ ସେକ୍ରେଟାରୀ ସି ଟି ରବି। ରବି କହିଛନ୍ତି କି, ଯେଉଁମାନେ ତାଙ୍କୁ ଆରବିଆଇର ଗଭର୍ନର କରିଥିଲେ, ସେହି ରାଜୁତି ପ୍ରତି ନିଜ ଆନୁଗତ୍ୟ ପ୍ରକାଶ କରିବାକୁ ତଥା ନିଜର ଋଣ ପରିଶୋଧ କରିବାକୁ ରଘୁରାମ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ । ଉଦାରବାଦୀଙ୍କ ଦ୍ବାରା ମହାନ ଅର୍ଥନୀତିଜ୍ଞ ଭାବେ ଗୌରବାନ୍ବିତ ହୋଇଥିଲେ। କିନ୍ତୁ ନକଲି ଗାନ୍ଧୀଙ୍କ ଭିଡ ଭିତରେ ସେ କେବଳ ଅନ୍ୟତମ ମୂଲ୍ୟବାନ ପଥର  ହୋଇଯାଇଛନ୍ତି। 
ୟୁପିଏ ସରକାର କାଳରେ ରାଜନଙ୍କୁ ଆରିବିଆ ଗଭର୍ନର ଭାବେ ନିଯୁକ୍ତ କରାଯାଇଥିଲା। ସେ ତାଙ୍କ ଦକ୍ଷତା ଓ ନିର୍ଭୀକତା ପାଇଁ ବେଶ ପରିଚିତ। ମୋଦି ସରକାରର ଅର୍ଥନୀତିକୁ ନେଇ ରାଜନ ଅନେକ ଥର ସରକାରକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିବା ବେଳେ ଭାରତ ଯୋଡ ଯାତ୍ରାରେ ତାଙ୍କ ଉପସ୍ଥିତି ରାଜନୀତିରେ ନୂଆ ସମୀକରଣର ଚର୍ଚ୍ଚା ସୃଷ୍ଟି କରିଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *