ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ : ପ୍ରଧାନମନ୍ତ୍ରୀ

Spread the love

ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ। ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଅ। ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିଙ୍କୁ ଏଭଳି ବାଗରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସର୍ବଭାରତୀୟ ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିର ପ୍ରଥମ ବୈଠକରେ ଏହାକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ବିଶ୍ୱାସ ନ୍ୟାୟିକ ବ୍ୟବସ୍ଥା ଉପରେ ଅତୁଟ ରହିଛି। ଏଥିଲାଗି ଯେ, ନ୍ୟାୟାଳୟର ଦ୍ୱାର ତାଙ୍କ ଲାଗି ସବୁବେଳେ ଖୋଲା। କେହି ସେମାନଙ୍କ ଅସୁବିଧା ନ ଶୁଣିଲେ ବି ଅଦାଲତ ଅଛି ବୋଲି ଏ ବିଶ୍ୱାସ ମନରେ ରହିଛି। ଗଲା ୮ ବର୍ଷ ଭିତରେ ସରକାର ନ୍ୟାୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ୯ ହଜାର କୋଟି ଟଙ୍କା ବି ମଞ୍ଜୁରୀ ପାଇଛି। ଜିଲ୍ଲା କୋର୍ଟରେ ୧ କୋଟି, ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷ ମାମଲା ଭର୍ଚ୍ଚୁଆଲରେ ଶୁଣାଣୀ ହୋଇଛି। ବିଶେଷ କରି କୋଭିଡ୍ ସମୟରେ ଭର୍ଚ୍ଚୁଆଲ ଶୁଣାଣୀରେ ଗୁରୁତ୍ୱ ବାରି ହୋଇପଡ଼ିଥିଲା। ସମ୍ୱିଧାନସମ୍ମତ ନିଜର ଅଧିକାର ଓ କର୍ତ୍ତବ୍ୟ ବାବଦରେ ଲୋକଙ୍କୁ ସଚେତନ କରିବା ଅଧିକ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

ଲୋକଙ୍କ ବିକାଶ ପାଇଁ ପରବର୍ତ୍ତୀ ପୀଢିକୁ ଟେକ୍ନୋଲୋଜି ଉପରେ ଅଧିକ ଫୋକସ୍ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ମୋଦି। ସେପଟେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି କି, ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ଏବେକାର ସମୟ ପାଇଁ ଅତି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷ କରି ତଳକୋର୍ଟକୁ ସୁଦୃଢ଼ କରିବା ଅଧିକ ଆବଶ୍ୟକ। କାରଣ ଜିଲ୍ଲା କୋର୍ଟ ହିଁ ଲୋକଙ୍କୁ ନ୍ୟାୟ ଦେବାର ପ୍ରଥମ କଣ୍ଟାକ୍ଟ ପଏଣ୍ଟ। ପ୍ରତି ପ୍ରଗତିଶୀଳ ନୀତି ଏକ ସୁଦୃଢ଼ ମୂଳଦୁଆ ଆବଶ୍ୟକ କରେ। ଆଉ ଏହି ସମାନ କଥା ଜୁଡିସିଆରୀରେ ବି ଦରକାର। ଲୋକମତରେ ଜିଲ୍ଲା କୋର୍ଟରୁ ହିଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ କି ଅନୁଭୂତି ସାଉଁଟିଛନ୍ତି, ଏଇଠୁ ହିଁ ଲୋକେ ଅଭିଜ୍ଞତା ହାସଲ କରିନିଅନ୍ତି। ସେଥିଲାଗି ତ ତଳକୋର୍ଟର କାନ୍ଧରେ ବଡ଼ ଗୁରଭାର ରହିଛି। କାରଣ ତଳକୋର୍ଟ ହିଁ ଲୋକଙ୍କ ଅସୁବିଧା ଓ ସାମାଜିକ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିପାରିବାର ପ୍ରକୃଷ୍ଠ କ୍ଷେତ୍ର ଅଟେ। ଆଉ ଏଥିପାଇଁ ମଲଟିଫେସେଟ୍ ଟାସ୍କ ଓ ରୋଲ୍ ନିର୍ବାହ କରିବାକୁ ପଡ଼ିବ ଜିଲ୍ଲା କୋର୍ଟଗୁଡିକୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି।

ଯଦି କୋର୍ଟ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲୁଚାଇବ, ଚାପରେ ରହିବ ଓ ଠିକଣା ଭାବରେ ଜଣାଇବନି, ତେବେ ସିଷ୍ଟମ ହଲିଯିବ। ଏପରିକି ପ୍ରଧାନ ବିଚାରପତି ଆଶଙ୍କା ବି କରିଛନ୍ତି କି, ଏଭଳି ମନୋଭାବ ରହିଲେ, ସାମାଜିକ ନ୍ୟାୟ ଦେବାରେ ଅଦାଲତ ନିଜର ସାମ୍ୱିଧାନିକ ଦାୟିତ୍ୱ ନିର୍ବାହ କରିପାରିବନି। ସେଥିଲାଗି ଡିବେଟ୍ ଓ ଡିସାଇଡ୍ ଥିଓରୀକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରମଣା। ଚାକିରୀର ସର୍ତ୍ତ, ପାରିଶ୍ରମିକ ଓ ଭିତ୍ତିଭୂମିର ଆହ୍ୱାନ ଯେମିତି ଚାପର ଗୋଟିଏ ଗୋଟିଏ ଆଧାର ବୋଲି ଦର୍ଶାଇଛନ୍ତି ଜଷ୍ଟିସ ରମଣା। ବିଚାରାଧୀନ ବନ୍ଦୀଙ୍କ ବାବଦରେ ତ୍ୱରିତ ଶୁଣାଣୀ ଓ ବିଚାରକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି। ଓକିଲଙ୍କ ପ୍ରଭାବଶାଳୀ ଯୁକ୍ତି ଓ ତର୍କ ଯେତିକି ଜରୁରୀ। ସେଭଳି ଭାବରେ ଓକିଲ ବି ସମର୍ପିତ ହେବା ଦରକାର।

କାରଣ ବିଚାରାଧୀନ ବନ୍ଦୀ ତଥା ସେମାନଙ୍କ ମହକିଲର ସ୍ଥିତି ଓ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଦରକାର ଓକିଲ। ସେଥିଲାଗି ଜେଲକୁ ଭିଜିଟ୍ କରି ମହକିଲଙ୍କ ବାସ୍ତବତାକୁ ବୁଝିବା ଦରକାର। ଏଡିଆର ଓ ଲୋକଅଦାଲତକୁ ସୁଦୃଢ କଲେ ଅଦାଲତରେ ଗଡ଼ୁଥିବା ମାମଲାର ବୋଝ ଓ ବ୍ୟାକଲଗ୍ ଦୂର ହୋଇପାରିବ ବୋଲି ମତପୋଷଣ କରିଛନ୍ତି ପ୍ରଧାନ ବିଚାରପତି। କାରଣ ଏହି ଦୁଇଟି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକ ନିଜର ଅଭିଯୋଗର ସମାଧାନ ପାଇପାରୁଛନ୍ତି। ଦେଶର ଶକ୍ତି ହେଉଛନ୍ତି ଯୁବବର୍ଗ। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଏ, ତେବେ ସେମାନଙ୍କର ଦକ୍ଷତାକୁ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଲଗାଯାଇପାରିବ। ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇଦେବାର ଲକ୍ଷ୍ୟ ରହିଛି। ସେପଟେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି କି, ଫ୍ୟାମିଲି କୋର୍ଟରେ ଗଡ଼ୁଥିବା ମାମଲାକୁ ତ୍ୱରିତ ସମାଧାନ ଲାଗି ସୁନିଶ୍ଚିତ କରାଯାଉଛି। ଏବେ ୧୧ ଲକ୍ଷରୁ ବେଶୀ ମାମଲା ପେଣ୍ଡିଂ ଅଛି। ପରିବାରରେ ବଡ଼ଙ୍କ ଭିତରେ ବିବାଦରୁ କାହିଁକି ଛୋଟ ପିଲା ଭୋଗିବେ।

ସେଥିଲାଗି ପରିବାର ଅଦାଲତରେ ଗଡ଼ୁଥିବା ମାମଲାର ତ୍ୱରିତ ବିଚାର ଲାଗି ଜିଲ୍ଲା ଜଜ୍ ଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ ରିଜ୍ଜୁ। ଲୋକସଭାରେ ଫ୍ୟାମିଲି କୋର୍ଟ ଆମେଣ୍ଡମେଣ୍ଟ୍ ବିଲ୍ ୨୦୧୧ ପାରିତ ହୋଇସାରିଛି। ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଉପସ୍ଥାପିତ ହେବ। ଟେଲି- ଲ ପ୍ରୋଗ୍ରାମ ପାଇଁ ପ୍ରତି ଜିଲ୍ଲାରେ ନାଲସା ୭ଶହ ଆଇନଜୀବିଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଏହି ଏମପ୍ୟାନେଲ୍ ଲୟର ରେଫେରାଲ ଲୟର ଭାବରେ ପରିଗଣିତ ହେବେ ଓ ସମସ୍ୟାକୁ ଏଡ଼ାଇବା ସହ ପ୍ରି-ଲିଟିଗେସନ ଷ୍ଟେଜ୍‌ରୁ ସମସ୍ୟା ତୁଟାଇବାକୁ ପ୍ରୟାସ କରିବେ। ନ୍ୟାୟବନ୍ଧୁ ଯୋଜନାରେ ୧୧୨ ଆକାଙ୍କ୍ଷୀ ଜିଲ୍ଲାରେ ଲୋକଙ୍କୁ ଆଇନଗତ ଶିକ୍ଷା, ସଚେତନ କରାଇବାକୁ ପ୍ରୟାସ ଜାରି ରହିଛି। ଅଗଷ୍ଟ ୧୫ ନଚେତ୍ ତା ଆଗରୁ ଅଧିକରୁ ଅଧିକ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବାକୁ ଟାର୍ଗେଟ ରହିଛି। ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ଟାର୍ଗେଟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *