ଥାର୍ଡ ଇନିଂସ : ଥ୍ରୀ-ଏନ୍ ଫ୍ୟାକ୍ଟର

Spread the love

ବିଜେପି ଏଥର ଏକାକୀ ସରକାର ଗଠନ ଲାଗି ସକ୍ଷମ ହୋଇନି। ଗୋଟିଏ ଦଶନ୍ଧି ପରେ ମେଣ୍ଟରେ ରହି ସରକାର କରିବାକୁ ବାଧ୍ୟ ହେଉଛି। ୨୦୧୪ ଓ ୨୦୧୯ରେ ମ୍ୟାଜିକ୍ ନମ୍ୱର ୨୭୨ ପାର୍ କରିଥିଲା ବେଳେ ଏଥର ୨୪୦ରେ ସୀମିତ ରହିଯାଇଛି। ଏକକ ସଂଖ୍ୟାଗରିଷ୍ଠତା ପାଖରେ ନଥିବାରୁ ସହଯୋଗୀ ଦଳକୁ ନେଇ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ମୋଦି ସହଯୋଗୀ ଦଳର ଅନେକ ଦାବିକୁ ଗୌଣ କରିପାରିବେନି। କିଏ ବାଚସ୍ପତି ପଦ ମାଗିଲାଣି ତ କିଏ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମାଗିଲାଣି। ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ ଲାଗି ନୀତିଶ ଓ ନାଇଡ଼ୁ ବଡ଼ ଭରସା ସାଜିଛନ୍ତି।

ଏଥର ଜନାଦେଶ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠ ସଜାଇଲାନି। ୨୦୧୪ ଓ ୨୦୧୯ରେ ସିନା ମ୍ୟାଜିକ୍ ନମ୍ୱର ୨୭୨ ପାର୍ କରିଦେଇଥିଲା ବିଜେପି। ଏଥର କିନ୍ତୁ ୨୪୦ ଆସନରେ ସୀମିତ ରହିଗଲା। ଏଥିରୁ ସ୍ପଷ୍ଟ ସହଯୋଗୀ ଦଳକୁ ନେଇ ସରକାର ଗଠନ କରିବାକୁ ଯାଉଛନ୍ତି ତୃତୀୟ ଥର ମୋଦି। ଏହି ଗଠବନ୍ଧନରୁ ଏନଡିଏ ସରକାରର ତୃତୀୟ ପାଳିରେ ବିଜେପିର ଏକଛତ୍ରବାଦ ପୂର୍ବଭଳି ମୁଣ୍ଡ ଟେକିପାରିବନି ବୋଲି ସଙ୍କେତ ଦେଇସାରିଛି। ଏନଡିଏ ସରକାର ଗଠନ ଲାଗି ୧୬ ସହଯୋଗୀ ଦଳର ୨୧ ନେତାଙ୍କ ସମର୍ଥନ ପାଇସାରିଛନ୍ତି ମୋଦି।

ଏନଡିଏର ନେତା ନିର୍ବାଚିତ ହେବା ପରେ ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ନିଜର ତୃତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ମୋଦି। ଏନଡିଏ ବୈଠକ ଆଗରୁ ରାଷ୍ଟ୍ରପତିଙ୍କୁ ଭେଟି ମୋଦି ନିଜ ପଦରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ଯାଏ କାମ ଚଳାଇବାକୁ ପରାମର୍ଶ ଦେଇଥିଲେ। ବଡ଼ ଦଳ ଭାବେ ଉଭା ହୋଇଥିବା ଟିଡିପି ଓ ଜେଡିୟୁ ନିଜର ସମର୍ଥନ ଦେଇଛନ୍ତି ସତ। କିନ୍ତୁ ସର୍ତ୍ତ ବି ରଖିଛନ୍ତି। ସେଥିଲାଗି ତ ଏନଡିଏ ବୈଠକରେ ନିଜ ଉଭୟ ପାର୍ଶ୍ୱରେ ଚନ୍ଦ୍ରବାବୁ ନାଇଡ଼ୁ ଓ ନୀତିଶଙ୍କୁ ପାଖରେ ବସାଇଥିଲେ ମୋଦି। କିଏ ବାଚସ୍ପତି ପଦ ମାଗିଲାଣି ତ କିଏ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଓ ଦୁହାଁଳିଆ ବିଭାଗ ମାଗିଲାଣି। କିଙ୍ଗ୍ ମେକର ଭୂମିକାରେ ଥିବା ଚନ୍ଦ୍ରବାବୁ ନାଇଡ଼ୁ ଓନୀତିଶ କୁମାର ମୂଲଚାଲ ଆରମ୍ଭ କରିସାରିଲେଣି।

ଟିଡିପିର ୧୬ ଓ ଜେଡିୟୁର ୧୨ ଲୋକସଭା ସିଟ୍ ମୋଦି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏଥର। ଏନଡିଏ ମେଣ୍ଟରେ ସର୍ବବୃହତ ସଦସ୍ୟ ଥିବା ଟିଡିପି ୬ଟି ଦାବି ଉପରେ ମୂଲଚାଲ ଆରମ୍ଭ କଲାଣି। ବାଚସ୍ପତି ପଦ ସହ ମୋଦି କ୍ୟାବିନେଟରେ ୬ ମନ୍ତ୍ରୀ ପଦ ମାଗିଲାଣି ଟିଡିପି। ଏହା ସହ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇଛି। ପରିବହନ, କୃଷି, ଗ୍ରାମ୍ୟ ଉନ୍ନୟନ, ଆଇଟି, ସ୍ୱାସ୍ଥ୍ୟ, ଶିକ୍ଷା, ନଗର ଉନ୍ନୟନ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଦ ମାଗିଥିବା ଜଣାପଡ଼ିଛି। ବାଚସ୍ପତି ପଦ ପାରମ୍ପରିକ ଭାବେ କେନ୍ଦ୍ରରେ ଥିବା ଶାସକ ଦଳ ପାଖରେ ରୁହେ। ଯଦିଏ ଏନଡିଏ ବୈଠକରେ ବାଚସ୍ପତି ପଦକୁ ନେଇ କୌଣସି ଦାବି ଉଠାଇନଥିଲା ଟିଡିପି। କିନ୍ତୁ ମୌଖିକ ଭାବେ ମୋଦିଙ୍କୁ ଏ କଥା ସୂଚାଇଦେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ। ଗୃହରେ ସରକାରଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ବେଳେ ବାଚସ୍ପତିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ବାବଦରେ ବେଶ୍ ଅବଗତ ନାଇଡ଼ୁ।

A୧୯୯୮ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ବାଜପେୟୀଙ୍କୁ ସମର୍ଥନ ଦେବା ବେଳେ କୌଣସି ମନ୍ତ୍ରୀ ପଦ ମାଗିନଥିଲେ। କିନ୍ତୁ ବାଚସ୍ପତି ପଦ ସେତେବେଳେ ଚାହିଁଥିଲେ ନାଇଡ଼ୁ। ସେଥିଲାଗି ସେତେବେଳେ ଜିଏମସି ବାଲଯୋଗୀ ନାଇଡ଼ୁଙ୍କ ନୋମିନି ଭାବେ ବାଚସ୍ପତି ପଦ ପାଇଥିଲେ। ଗିରିଧର ଗମାଙ୍ଗଙ୍କ ଗୋଟିଏ ଭୋଟରେ ଟଳିପଡ଼ିଥିଲା ବାଜପେୟୀ ସରକାର। ସେତେବେଳେ ବାଚସ୍ପତି ଥିବା ବାଲଯୋଗୀ ଗମାଙ୍ଗଙ୍କୁ କହିଥିଲେ, ନିଜ ବିବେକାନୁମୋଦିତ ଭୋଟ ଦେବାକୁ। ତେବେ ଚନ୍ଦ୍ରବାବୁ ନାଇଡ଼ୁ ବି ଖୁବ ଶୀଘ୍ର ଇଣ୍ଡିଆ ମେଣ୍ଟକୁ ଫେରିଯିବେ ବୋଲି ଆଶାବାଦୀ ଉଦ୍ଧବ ଠାକରେ। କାରଣ ବିଜେପି ନାଇଡ଼ୁଙ୍କୁ ହଇରାଣ କରିଛି।

ଜେଡିୟୁର ନୀତିଶ କୁମାର ମୋଦିଙ୍କ କ୍ୟାବିନେଟରେ ୩ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମାଗିଲେଣି। ରେଳ, ପ୍ରତିରକ୍ଷା, କୃଷି ଶିଳ୍ପ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଡିୟୁ ମାଗିଥିବା ଜଣାପଡ଼ିଛି। ଏହା ସହ ଦେଶତମାମ ଜାତି ଜନଗଣନା  ସହ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି ବି ଦୋହରାଇଛି। ଯଦିଓ ଏନଡିଏକୁ ସମର୍ଥନ ପଛରେ କୌଣସି ସର୍ତ୍ତ ନାହିଁ ବୋଲି କହୁଛି ଜେଡିୟୁ। କିନ୍ତୁ ଏହା ବିଶ୍ୱାସ ଲାଗୁନି। ସେପଟେ ଶିବସେନା ବି ଅତି କମରେ ୩ଟି କ୍ୟାବିନେଟ୍ ମନ୍ତ୍ରୀ ପଦ ଚାହୁଁଛି। ଶିବସେନା ଏଥର ୭ଟି ଆସନରେ ଜିତିଛି। ଏଲଜେପି ବି ଗୋଟିଏ କ୍ୟାବିନେଟ୍ ବର୍ଥ ମାଗିଛି। ଏଲଜେପିର ଚିରାଗ ପାଶଓ୍ୱାନ ମୁଖ୍ୟତଃ ଖାଦ୍ୟ ଯୋଗାଣ ବିଭାଗ ମାଗିଛନ୍ତି। କାରଣ ଚିରାଗଙ୍କ ପିତା ସ୍ୱର୍ଗତ ରାମବିଳାସ ପାଶଓ୍ୱାନ୍ ମୋଦିଙ୍କ ଦୁଇଟି ଯାକ ପାଳିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥର ଏଲଜେପି ୫ଟି ଆସନରେ ଜିତିଛି।

ଏଥର କେନ୍ଦ୍ରରେ ତୃତୀୟ ପାଳି ସରକାରରେ ଥ୍ରୀ- ଏନ୍ ଫ୍ୟାକ୍ଟର ବହୁତ ମାଏନା ରଖୁଛି। ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସରେ ନାଇଡ଼ୁ ଓ ନୀତିଶ ମୁଖ୍ୟ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଖିବାର କଥା, ଏଥର ଏନଡିଏ ମେଣ୍ଟ କେତେ ସଶକ୍ତ ରହୁଛି। ନାଇଡ଼ୁ ଓ ନୀତିଶଙ୍କ ଆଶାବାଡ଼ି ଧରି ଏଥର ମୋଦି ଚାଲିବେ।

Leave a Reply

Your email address will not be published. Required fields are marked *