EOW ; ପ୍ରଶ୍ନବାଚୀରେ ଦକ୍ଷତା

Spread the love

ଜାଲି ଦସ୍ତାବିଜ୍ ବଳରେ ନିଜ ନିଜ ଭିତରେ ବାଣ୍ଟିକୁଟି ଖାଇଗଲେ ପ୍ରାୟ ୧୭ କୋଟି ଟଙ୍କା। ପୀଡ଼ିତାଙ୍କୁ ଜମି ଓ ନିବେଶର ପ୍ରଲୋଭନର ପାଲରେ ପକାଇ ଲୁମେକ୍ସ ଓ ବ୍ରାଇଟହୋମ୍ସ ଡେକର ନାଁରେ ଲୁଟିଥିବା ଦମ୍ପତ୍ତି ରାଜୀବ ଦାସ ଓ ସୋନ଼ିଆ ତ୍ରିପାଠୀ ଏବେ ଜେଲରେ ସତ। କିନ୍ତୁ ମାଷ୍ଟରମାଇଣ୍ଡ ଦମ୍ପତ୍ତିଙ୍କୁ ପୁଲିସ ବାନ୍ଧିବାକୁ ଯେତେ ଫନ୍ଦିଫିକର କରିଥିଲା, ତାହା ଅବଶ୍ୟ ଭୁଲିହେବନି। ପୀଡ଼ିତା ନ୍ୟାୟ ପାଇଁ ସବୁଠିକି ଗଲେ। କମିଶନରେଟ ପୁଲିସ ଓ ଇଓଡବ୍ଲୁ ଭିତରେ ଯେମିତି ଦକ୍ଷତାକୁ ନେଇ ଚାଲିଥିଲା ପ୍ରତିଯୋଗିତା। ଆଉ ଏଥିରେ ବଳି ପଡ଼ୁଥିଲେ ପୀଡ଼ିତା। ସ୍ଥିତି ଏମିତି ହୋଇଥିଲା ଯେ, ନ୍ୟାୟ ପାଇବେନି ବୋଲି ଏକଦା ଭରସା ଉଠିଯାଇଥିଲା। ହେଲେ ନଛୋଡ଼ବନ୍ଧା ଥିଲେ ପୀଡ଼ିତା। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଓ ଡିଜି ଅରୁଣ ଷଡଙ୍ଗୀଙ୍କ ନିର୍ଦେଶରେ ନିଦ ଭାଙ୍ଗିଥିଲା ପୁଲିସର। ଗଲା ବର୍ଷ ମେ ପହିଲାରେ ରାଜୀବ ଦାସଙ୍କୁ ବାନ୍ଧିଥିଲା ଇଓଡବ୍ଲୁ। ଆଉ ଏବେ ବାନ୍ଧିବାରେ ସକ୍ଷମ ହେଲା ସୋନିଆଙ୍କୁ। ଠକେଇର ପର୍ଯ୍ୟାପ୍ତ ପ୍ରମାଣ ସତ୍ତ୍ୱେ ସୋନିଆ ବେଫିକର ବୁଲୁଥିଲେ। ପୁଲିସ ପାଉନି କହି ସମୟ ଗଡ଼ାଇଚାଲିଥିଲା। ଏପରିକି କୋର୍ଟଙ୍କ ଆଦେଶକୁ ବି କାର୍ଯ୍ୟକାରୀ କରିବାକୁ ନାନା ଆଳରେ ପଛଘୁଞ୍ଚା ଦେଉଥିଲା।

୮ଟି ମାମଲାରେ ଅଭିଯୁକ୍ତ ସୋନିଆଙ୍କ ନାଁରେ ୫ଟି ଥାନାରେ କେସ୍ ଗଡ଼ୁଛି। ୧୪ ମାସ ହେଲା ରାଜୀବ ଜେଲରେ। କଥା ପଡ଼ିଛି, ଏହି ଠକ ଦମ୍ପତ୍ତି ତ ଜେଲ୍ ଗଲେ। ହେଲେ ପୀଡ଼ିତାଙ୍କୁ କଅଣ ନ୍ୟାୟ ଏତିକିରେ ସରିଗଲା କି। ନିଜର କଷ୍ଟଅର୍ଜିତ ଧନ ପାଇବେ କେମିତି। କିଏ ଦେବ ଆଉ କେମିତି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ସହ ଅନ୍ୟ ସହଯୋଗୀଙ୍କୁ ତୁରନ୍ତ ଗିରଫ ନ କଲେ, ଏ ବିଳମ୍ୱିତ ନ୍ୟାୟ ଅଧିକ କଷ୍ଟ ଦେବ। ଆଉ ଏ କଥାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଓ ଡିଜି। ହେଲେ ଠିକ୍ ଏତିକିବେଳେ ଜଣେ ପୂର୍ବତନ ଆଇପିଏସ ଅଧିକାରୀଙ୍କ ଅସହାୟତା ଖବର ଏହି ବହୁ ଚର୍ଚ୍ଚିତ ଘଟଣାକୁ ଯୋଡ଼ିକି ଦେଖିବାକୁ ବାଧ୍ୟ ହେଲେଣି ଲୋକେ। ଆଉ ଇଓଡବ୍ଲୁର କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ନେଇ ପୀଡ଼ିତା ଆରମ୍ଭରୁ ଉଠାଉଥିବା ପ୍ରଶ୍ନରେ କେତେ ସତ ଥିଲା, ତାହା ଏବେ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ପାତ୍ରପଡ଼ା ଜମି ଦୁର୍ନୀତିରେ ଜଣେ ମାଟ୍ରିକ ଫେଲ୍ ବ୍ୟକ୍ତିର ଟ୍ରାପରେ କେମିତି ପଡ଼ିଗଲେ ଆଇଏଏସ ଓ ଆଇପିଏସ, ତାହାର ଅବତାରଣା କରି ନିଜକୁ ଲଜ୍ଜିତବୋଧ କରିଛନ୍ତି ପୂର୍ବତନ ସିବିଆଇ ନିର୍ଦେଶକ ଏମ.ନାଗେଶ୍ୱର ରାଓ। ଶୁଣନ୍ତୁ କଅଣ କହୁଛନ୍ତି ନାଗେଶ୍ୱର ରାଓ। ଇଓଡବ୍ଲୁରେ ଏତଲା ଦେଇଥିଲେ ବି ଏତଲା ରଖାଗଲାନି। ତତ୍କାଳୀନ ଡିଜି ସଞ୍ଜୀବ ମାରିକଙ୍କ ଚାପରେ ଘଟଣାକୁ ଚାପିଦିଆଗଲା। ଆଇଏଏସ କରିଡରରେ ନ୍ୟାୟ ଲାଗି ବାଟ କଅଣ ବୋଲି ପଚାରିବାରୁ ହାସ୍ୟାସ୍ପଦର ଶୀକାର ହେବାକୁ  ପଡ଼ିଥିଲା।

ଠିକ୍ ଏମିତି ବାଗରେ ତତ୍କାଳୀନ ଡିଜି ସୁନୀଲ ବଂଶଲଙ୍କଠୁ ନ୍ୟାୟ ପାଇଁ କେତେ ନେହୁରା ହୋଇଥିଲେ ପୀଡ଼ିତା। ଡିଜି ବି ଅସହାୟତା ଦେଖାଇଥିଲେ। ତାଜୁବର କଥା ଥିଲା କି, କମିଶନରେଟ ପୁଲିସର ତତ୍କାଳୀନ ଡିସିପି ଉମାଶଙ୍କର ଦାସଙ୍କ ଆଗରେ ଉପରିସ୍ଥ ଅଧିକାରୀଙ୍କ ଅସହାୟତାକୁ ଦେଖି ପୀଡ଼ିତା ନ୍ୟାୟ କେମିତି ପାଇବେ ବୋଲି ଆଶଙ୍କାରେ ଥିଲେ। ଯଦିଓ ବିଧାନସଭାରେ ଏ କଥା ଉଠିନଥାଆନ୍ତା ଆଉ ପୀଡ଼ିତା କ୍ରମାଗତ ନିଜ ଚେଷ୍ଟାରେ ନ୍ୟାୟ ଲାଗି ଅନବରତ ପ୍ରୟାସ ଜାରି ରଖିନଥାଆନ୍ତେ, ହୁଏତ ସେ ବି ନାଗେଶ୍ୱରଙ୍କ ଭଳି କାନମୁଣ୍ଡା ଆଉଁସି ରହିବାକୁ ବାଧ୍ୟ ହୋଇଥାଆନ୍ତେ। ଯେଉଁଠି

ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କ ଏତଲାକୁ ଇଓଡବ୍ଲୁ ଚାପର ବଶବର୍ତ୍ତୀ ହୋଇ ରଖିଲାନି। ସେଠାରେ ସାଧାରଣ ଲୋକଙ୍କୁ କିଏ ଅବା ପଚାରେ।

Leave a Reply

Your email address will not be published. Required fields are marked *