ବିଶ୍ୱ

ବାୟୁ ପ୍ରଦୂଷଣ: ୨ ଲକ୍ଷରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

() ଜଙ୍ଗଲ, ଗଛବୃଚ୍ଛ ନଷ୍ଟ କରି ଗଢିତୋଳୁଛି ବହୁତଳ ଅଟ୍ଟାଳିକା। ନିଜର ସୁଖ ସ୍ବାଚ୍ଛନ୍ଦ୍ୟର ଅଳିନ୍ଦରେ ପ୍ରକୃତିର ସନ୍ତୁଳନକୁ କରୁଛି ନଷ୍ଟ। ଯାହା ହୋଇଛି ବାୟୁ ପ୍ରଦୂଷଣର କାରଣ ଆଉ ଏହି ପ୍ରଦୂଷଣରେ ସନ୍ତୁଳି ହେଉଛି ମଣିଷ। ଥାଇଲାଣ୍ଡରେ ବର୍ତ୍ତମାନ ବାୟୁ ପ୍ରଦୂଷଣରେ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ହେଉଛନ୍ତି ବାଧ୍ୟ। ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ସମ୍ପ୍ରତି ବଢାଇଛି ଚିନ୍ତା।

ବାୟୁ ପ୍ରଦୂଷଣ! ମାନବର ମହତ୍ବାକାଂକ୍ଷାର ପରିଣତି। ଯେଉଁଥିରେ ସନ୍ତୁଳି ହେଉଛି ବିଶ୍ବ। ସମ୍ପ୍ରତି ଥାଇଲାଣ୍ଡରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଏମିତି ହୋଇଛି ଯେ, ୨ଲକ୍ଷରୁ ଅଧିକ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଥାଇ ରାଜଧାନୀ ବାଙ୍ଗକକ୍ ଏହି ପ୍ରଦୂଷଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆଉ ଏହି ପ୍ରଦୂଷଣର କାରଣ ହୋଇଛି ସେଠାରେ ବଢିଚାଲିଥିବା କୃଷି କ୍ଷେତ୍ର, ଶିଳ୍ପ କାରଖାନା ଓ ଯାନବାହନରୁ ନିର୍ଗତ ଧୂଆଁ। ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦେଶରେ ୧.୩ ମିଲିୟନ ଲୋକ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣରେ ରୋଗ ଗ୍ରସ୍ତ ହୋଇପଡିଛନ୍ତି। ସ୍ଥିତି ଏମିତି ହୋଇଛି କି, ଗର୍ଭବତୀ ଓ ଶିଶୁଙ୍କୁ ଘରୁ ନ ବାହାରିବାକୁ କରାଯାଇଛି ଅପିଲ।

କେବଳ ବାଙ୍ଗକକ୍ ଅଧୀନରେ ୫୦ରୁ ଅଧିକ ଜିଲ୍ଲା ଏହି ବାୟୁ ପ୍ରଦୂଷଣରେ ପ୍ରଭାବିତ ହୋଇଛି। ରାଜଧାନୀ ବାଙ୍ଗକକ୍ ବାୟୁରେ ଅସୁରକ୍ଷିତ ଉପାଦାନ ସ୍ତର ୨.୫ରେ ରହିଛି ଓ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହେବାର ଆଶଙ୍କା କରାଯାଉଛି। ବର୍ତ୍ତମାନ ଥାଇଲାଣ୍ଡର ବାୟୁରେ ମିଳୁଥିବା ବିପଦଜନକ ଉପାଦାନ ମଣିଷର ଶରୀରରେ ପ୍ରବେଶ କରି ରକ୍ତ ମାଧ୍ୟମରେ ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇବାରେ ସକ୍ଷମ ଥିବା କୁହାଯାଉଛି। ବର୍ତ୍ତମାନର ପ୍ରଦୂଷଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ସେହିପରି ଉତ୍ତରାଞ୍ଚଳରେ ଥିବା ଚିଆଙ୍ଗ ମେଁ ଏକ କୃଷିଉତ୍ପାଦନ କ୍ଷେତ୍ର ହୋଇଥିବା ବେଳେ ସେଠାର ସ୍ଥିତି ମଧ୍ୟ ରହିଛି ସଂଗୀନ। ଚାଷ ଜମିରେ ଥିବା ନଡା ଜଳାଇବା ଦ୍ବାରା ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ସ୍ଥିତି ଏମିତି ହୋଇଛି କି, ଆବଶ୍ୟକ ସ୍ଥଳେ ହିଁ ଲୋକଙ୍କୁ ବାହାରିବାକୁ ସେଠାକାର ସରକାର କରିଛି ଅପିଲ। ସେହିପରି କମ୍ପାନୀସବୁକୁ ସେମାନଙ୍କ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରାଇବାକୁ ପରାମର୍ଶ ଦେଇଛି ସରକାର। ଯେଉଁମାନେ ବାହାରକୁ ବାହାରୁଛନ୍ତି, ସେମାନଙ୍କୁ ଉଚ୍ଚ ମାନର ଆଣ୍ଟି ପଲ୍ଲୁସନ ମାସ୍କ ପରିଧାନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନର୍ସରିରେ ପ୍ରଦୂଷଣ ଯେପରି ପ୍ରଭାବିତ ନ କରିବ ସେଥିପାଇଁ ସ୍ବତନ୍ତ୍ର ବାୟୁ ଶୁଦ୍ଧିକରଣ କରାଯାଇ ନୋ ଡଷ୍ଟ ରୁମ କରାଯାଇଛି। ସେହିପରି ଗାଡି ପ୍ରଦୂଷଣ ଉପରେ ନଜର ରଖିବାକୁ ରାସ୍ତାରେ ବେହିକୁଲାର ପଲ୍ୟୁସନ ଚେକିଂ ପଏଣ୍ଟ କରାଯାଇଛି। ଗତ ଜାନୁଆରୀ- ଫେବୃଆରୀରେ ଦେଶର ବାୟୁର ଗୁଣବତ୍ତା ହ୍ରାସ ପାଇଥିଲା। ମୁଖ୍ୟତଃ ଯାନବାହନରୁ ନିର୍ଗତ ଧୂଆଁ, କୃଷି କ୍ଷେତ୍ରରେ ନଡା ପରି ସାମଗ୍ରୀ ଜଳାଇବା ତଥା ସ୍ଥିର ପାଣିପାଗ ପାଇଁ ଏପରି ସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

ବାୟୁ ପ୍ରଦୂଷଣ ଭାରତରେ ମଧ୍ୟ ଚିନ୍ତାଜନକ ହୋଇପଡିଛି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀବାସୀ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟତଃ ଶୀତ ଋତୁରେ ଦୀପାବଳି ପରେ ପରେ ଏହି ପ୍ରଦୂଷଣ ଶୀର୍ଷରେ ପହଞ୍ଚିଥାଏ। ଆକାଶ ଧୂଆଁରେ ହୋଇଯାଏ ଆଚ୍ଛନ୍ନ। ଦିଲ୍ଲୀ ନିକଟବର୍ତ୍ତୀ ହରିଆଣା, ପଞ୍ଜାବରେ ଚାଷ ଜମିରେ ନଡା ଜଳାଇବାକୁ ମଧ୍ୟ ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ କୁହାଯାଇଥାଏ। ସେହିପରି ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଯାହାକୁ ନେଇ ବିଏମସି ପକ୍ଷରୁ ୭ ଦିନର ପ୍ରଦୂଷଣ ରିପୋର୍ଟ ମଗାଯାଇଛି, ଯେମିତି ଏପ୍ରିଲ ପହିଲାରୁ ଧୂଳି ନିୟନ୍ତ୍ରଣ ପାଇଁ ଉପାୟକୁ କଠୋରତା ସହ ପାଳନ କରାଯାଇ ପାରିବ। ସେହିପରି ଚେନ୍ନାଇରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏହି ବାୟୁ ପ୍ରଦୂଷଣ ପାଇଁ ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେଉଥିବା ତଥା ଏହା ଶିଶୁ, ବୃଦ୍ଧ ତଥା ଗର୍ଭବତୀଙ୍କ ପ୍ରତି ସମସ୍ୟା ସୃଷ୍ଟି କରୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସରକାର ତଥା ସର୍ବସାଧାରଣଙ୍କ ସଚେତନତା ଆବଶ୍ୟକ ହୋଇ ପଡିଛି। 

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button