ନେତାଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ବର: ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ୧୯ ମନ୍ତ୍ରୀଙ୍କ ସମେତ ୧୧ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜିଲ୍ଲା ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦରୁ ସଞ୍ଜୟ ଦାସବର୍ମା ଯିବା ପରେ ଏହି ପଦ ଲାଗି ମୁଖ୍ୟମନ୍ତ୍ରୀ କାହାକୁ ବାଛିବେ, ତାକୁ ନେଇ କଳ୍ପନାଜଳ୍ପନା ବି ଆରମ୍ଭ ହୋଇଛି।
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ୧୯ ମନ୍ତ୍ରୀଙ୍କ ସମେତ ୧୧ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ରୋହିତ ପୂଜାରୀଙ୍କୁ ବଲାଙ୍ଗୀର, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼, ଜଗନ୍ନାଥ ସାରକାଙ୍କୁ ଗଜପତି, ବାସନ୍ତୀ ହେମ୍ୱ୍ରମଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିଭଳି ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗଞ୍ଜାମ, ସମୀର ରଞ୍ଜନ ଦାସଙ୍କୁ ଯାଜପୁର, ପ୍ରୀତିରଞ୍ଜନଙ୍କୁ ଝାରସୁଗୁଡା ଓ ନବ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପଙ୍କୁ କେନ୍ଦ୍ରାପଡ଼ାର ଦାୟିତ୍ୱ ମିଳିଛି। ଅଶ୍ୱିନୀ ପାତ୍ରଙ୍କୁ ମୟୂରଭଞ୍ଜ, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚୀଙ୍କୁ ରାୟଗଡ଼ା, ପ୍ରତାପ କେଶରୀ ଦେବଙ୍କୁ ସମ୍ୱଲପୁର, ପ୍ରଦୀପ ଅମାତଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଏହି ଗୁରୁଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କିଭଳି ଜିଲ୍ଲାରେ ଯୋଜନାର ସଫଳ ରୂପାୟନ ହେବ, ସେ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ନେତାଏ।
ନୟାଗଡ଼ରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ସୁନ୍ଦରଗଡ଼ରେ ସାରଦା ନାୟକ, କୋରାପୁଟରେ ରଘୁରାମ ପୋଡ଼ାଲ, ନବରଙ୍ଗପୁରରେ ମନୋହର ରନ୍ଧାରୀଙ୍କୁ ଦାୟିତ୍ୱ ମିଳିଛି। ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ୱନ ସହ ଖୋର୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷରୁ କାଢ଼ିବା ପରେ ରାଜେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଥିଲା। ଏଥର ବି ନିଜ ପଦ ବଜାୟ ରଖିଛନ୍ତି। ସେହିଭଳି ନବରଙ୍ଗପୁରରୁ ମନ୍ତ୍ରୀ ଆଶା ମଉଳିବା ପରେ ରନ୍ଧାରୀଙ୍କୁ ପୁଣି ଥରେ ଏହି ଗୁରୁଦାୟିତ୍ୱ ଦିଆଯାଇଛି।
ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବଣ୍ଟନ ଦାୟିତ୍ୱ ସରିଛି। ହେଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ କିଏ ହେବ, ତାକୁ ନେଇ ସରିନି ସସପେନ୍ସ। କାରଣ ଏହି ପଦରେ ଥିବା ସଞ୍ଜୟ ଦାସବର୍ମାଙ୍କୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ କାହାକୁ ବସାଇବେ ନବୀନ, ତା ଉପରେ ସମସ୍ତଙ୍କ ନଜର।
ପ୍ରକାଶ ହାତୀ, ଦେବବ୍ରତ ନାୟକ ସିମ୍ପୁଲ ନାୟକଙ୍କ ରିପୋର୍ଟ